କନକ ବ୍ୟୁରୋ : ତେଜୁଛି ଚାଷୀ ଆନ୍ଦୋଳନ । ଅଷ୍ଟମ ଦିନରେ ପହଂଚି ଥିବା ଆନ୍ଦୋଳନ ଉଗ୍ର ରୂପ ନେଉଛି । ବରିଷ୍ଠ ଅକାଳୀ ଦଳ ନେତା ତତା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇଦେଇଛନ୍ତି । ନୂଆ କୃଷି ଆଇନ ପ୍ରଣୟନ କରି ସରକାର ଚାଷୀଙ୍କୁ ପ୍ରତାରଣା ଦେଉଥିବା ଅଭିଯୋଗ କରି ସେ ପଦ୍ମ ବିଭୂଷଣ ଫେରାଇଛନ୍ତି । ପଂଜାବର ୪ ଥର ମୁଖ୍ୟମନ୍ତ୍ରୀ ରହିଥିବା ପ୍ରକାଶ ସିଂ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚାଷୀ ପ୍ରସଙ୍ଗରେ ଏନଡିଏରୁ ସମର୍ଥନ ଫେରାଇଥିଲା ଅକାଳୀ ଦଳ । ୨୦୧୫ରେ ପ୍ରକାଶ ସିଂ ବାଦଲଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା ।

Advertisment

ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରକାଶ ସିଂ ବାଦଲ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ପଦ୍ମ ବିଭୂଷଣ ସମ୍ମାନ ଫେରାଇବା କଥା ଉଲ୍ଲେଖ କରିଛନ୍ତି । ସେହିପରି ଚାଷୀଙ୍କୁ ସମର୍ଥନ ଜଣାଇ ଶିରୋମଣୀ ଅକାଳୀ ଦଳ ଡେମୋକ୍ରାଟିକ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ସୁଖଦେବ ସିଂ ଢିଣ୍ଡସା ମଧ୍ୟ ପଦ୍ମ ବିଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି । ଚାଷୀଙ୍କୁ ଦେଶ ବିରୋଧୀ କୁହାଯାଉଥିବା ଅଭିଯୋଗ ଆଣି ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି ଏହି ବରିଷ୍ଠ ନେତା । ଏହାସହ ସରକାର କାହିଁକି ଚାଷୀଙ୍କ କଥା ଶୁଣୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି ୮ଦିନ ହେଲା ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଚାଷୀମାନଙ୍କର ଦିବା ହେଲା ଏମଏସପକୁ ନେଇ ରହିଥିବା ସେମାନଙ୍କ ଦାବି ସରକାରଙ୍କଠାରୁ ପୂରଣ କରାଇନେବେ । ତେଣୁ ସେମାନେ ପୋଲିସ ପ୍ରଶାସନ ସାଙ୍ଗରେ ମୁହାଁମୁହିଁ ହେଉନାହାନ୍ତି । ବରଂ ଶାନ୍ତିପୂର୍ଣ୍ଣ ଭାବରେ ଦିଲ୍ଲୀରେ ପହଂଚି ନିଜ କଥା ସରକାରଙ୍କ କାନରେ ପକାଇ ଏହାକୁ ମନାଇନେବାକୁ ଅଡି ବସିଛନ୍ତି ।