ଦଳ ଛାଡିବା ପରେ କଂଗ୍ରେସ ଉପରେ ସାଂଘାତିକ ଅଭିଯୋଗ ଆଣିଲେ କ୍ୟାପଟେନ, ବେଆଇନ ଖଣି ଖୋଳିବା ନେଇ କହିଲେ ଏମିତି କଥା

118

କନକ ବ୍ୟୁରୋ : କଂଗ୍ରେସରୁ ଇସ୍ତଫା ଦେବା ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂ ଦଳର ନେତାମାନଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବେଆଇନ ଖଣି ଖୋଳାରେ ସାମିଲ ଥିବା ଦଳର ନେତା ଓ ମନ୍ତ୍ରୀମାନଙ୍କ ମୁଖା ଖୋଲିବେ ବୋଲି କହିଛନ୍ତି । ଏଭଳି ଖବର ଆସିବା ପରେ ଏବେ ରାଜ୍ୟ କଂଗ୍ରେସର ନେତାମାନଙ୍କ ପାଇଁ ଅଡୁଆ ବଢିଛି ।

ସେପଟେ କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ଅନେକ ମୁଦ୍ଦା ଉଠାଇଛନ୍ତି । ଏହାସହ ସେ ବେଆଇନ ଖଣି ଖନନ ନେଇ କ୍ୟାପଟେନ ସୋନିଆଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କି ଏଭଳି ବେଆଇନ କାମରେ ରାଜ୍ୟର ଅନେକ ମନ୍ତ୍ରୀ ଓ ନେତା ସାମିଲ ଅଛନ୍ତି । ହେଲେ କ୍ୟାପଟେନ ସେମାନଙ୍କ ନାମ ଉଲ୍ଲେଖ କରି ନାହାଁନ୍ତି ।

ସେ ଲେଖିଛନ୍ତି କି ପାର୍ଟିର ମଙ୍ଗଳ ଚିନ୍ତାକରି ସେ ଏପର୍ଯ୍ୟନ୍ତ ଏହି ବେଆଇନ କାମରେ ସାମିଲଥିବା ଦଳୀୟ ନେତାମାନଙ୍କ ନାମ ଖୁଲାସା କରି ନାହାଁନ୍ତି । ଅନ୍ୟପଟେ କ୍ୟାପଟେନ ସଂକେତ ଦେଇଛନ୍ତି କି ଆଗାମୀ ଦିନରେ ଅବୈଧ ବାଲି କାରବାରରେ ଲିପ୍ତଥିବା ମନ୍ତ୍ରୀ ଓ ବିଧାୟକଙ୍କ ନାମ ଘୋଷଣା କରିବେ ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିଯୋଗ ରାଜ୍ୟର ବିରୋଧୀମାନଙ୍କୁ ସରକାରଙ୍କୁ ଘେରିବାକୁ ସୁଯୋଗ ଦେଇଛି । ଆମ୍ ଆଦମୀ ପାର୍ଟିର ନେତା ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି କି ଚନ୍ନି ହିଁ ବେଆଇନ ଖଣି ଖନନରେ ଲିପ୍ତଥିବା ମନ୍ତ୍ରୀ ଓ ବିଧାୟକମାନଙ୍କୁ ସହାୟତା ଯୋଗାଉଛନ୍ତି । ହରପାଲସିଂ ଚିମା କହିଛନ୍ତି କି, ସିଦ୍ଧୁ ଏହି ମାମଲାର ଖୁଲାସା କରିବାକୁ ଚାହୁଁଥିବା ବେଳେ ଚନ୍ନି ସେହି ମାଫିଆ ମାନଙ୍କୁ ସହାୟତା ଯୋଗାଉଛନ୍ତି ।