ରେସ ଜିତୁଥିଲେ, ଜୀବନର ବାଜି ହାରିଗଲେ । ସ୍ତ୍ରୀଙ୍କ ମୃତ୍ୟୁର ୫ଦିନ ପରେ କରୋନାରେ ଆଖିବୁଜିଲେ କିମ୍ବଦନ୍ତୀ ମିଲଖା ସିଂ । ପ୍ରଥମେ ପତ୍ନୀ, ପଛେ ପଛେ ପରପାରିକୁ ଫେରିଗଲେ ମିଲଖା …

217

କନକ ବ୍ୟୁରୋ : ଆଗେ ଆଗେ ସ୍ତ୍ରୀ …ପଛେ ପଛେ ସ୍ୱାମୀ । ମାତ୍ର ପାଞ୍ଚ ଦିନର ବ୍ୟବଧାନରେ ଆରପାରିକୁ ଚାଲିଗଲେ ମିଲଖା ସିଂ ଏବଂ ତାଙ୍କ ପତ୍ନୀ ନିର୍ମଲ । ମିଲଖା ସିଂ ଏବଂ ତାଙ୍କ ପତ୍ନୀଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ରହିଥିଲା । ଖେଳ ପଡିଆରେ ପ୍ରଥମ ଥର ପାଇଁ ଉଭୟ ଉଭୟଙ୍କ ସହ ଦେଖା ହୋଇଥିଲେ । ସେହିଠାରୁ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।  ଏହା ପୂର୍ବରୁ ମିଲଖା ସିଂଙ୍କ ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା ।  ମିଲଖା ସିଂଙ୍କ ନାମ ଗୋଟିଏ କିମ୍ବା ଦୁଇଜଣ ନୁହେଁ ବରଂ ତିନି ତିନି ଜଣ ଝିଅଙ୍କ ସହିତ ଜୋଡା ହୋଇଥିଲା । ତେବେ ସେ ସେମାନଙ୍କ ମଧ୍ୟରୁ କାହାକୁ ବିବାହ କରିନଥିଲେ । କାରଣ ଆଥଲେଟିକ୍ସର ପଡ଼ିଆରେ ଭଲିବଲ୍ ରାଣୀଙ୍କୁ ଭଲ ପାଉଥିଲେ ।

ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକେ ଗ୍ରହଣ କରିବାକୁ ଅରାଜି ଥିଲେ । କାରଣ ନିର୍ମଲ କୌର ହିନ୍ଦୁ ଥିଲେ ଏବଂ ମିଲଖା ସିଂ ଜଣେ ଶିଖ ଥିଲେ ।  ତେଣୁ ବିବାହ ପଥରେ ଏକ ପ୍ରକାର ବାଧା ଆସିଥିଲା ​​। ପରେ ତତ୍କାଳୀନ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ କାଇରୋନଙ୍କୁ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଥିଲେ ଏବଂ ଉଭୟ ପରିବାର ସହିତ କଥାବାର୍ତ୍ତା ହେବା ପରେ ବିବାହ ସ୍ଥିର ହୋଇଥିଲା ।  ଶେଷରେ ୧୯୬୨ ମସିହାରେ ଦୁହେଁ ବିବାହ କରିଥିଲେ । ମିଲଖା ସିଂ ତାଙ୍କ ପତ୍ନୀଙ୍କୁ ଅନେକ ଥର ପ୍ରଶଂସା କରିଥିଲେ । ସେ କହିଥିଲେ ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ଯନ ନେବା ଆଦିରେ ତାଙ୍କ ପତ୍ନୀ ନିର୍ମଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ଅନୁପସ୍ଥିତିରେ ନିର୍ମଲ ପିଲାମାନଙ୍କର ଶିକ୍ଷା ଏବଂ ଅନ୍ୟ ସମସ୍ତ ବିଷୟର ଯତ୍ନ ନେଇଥିଲେ। ସେ ତାଙ୍କ ପତ୍ନୀଙ୍କୁ ତାଙ୍କର ସବୁଠାରୁ ବଡ ଶକ୍ତି ବୋଲି ବିବେଚନା କରିଥିଲେ ।

ତେବେ ଫ୍ଲାଇଙ୍ଗ ଶିଖ୍ ଭାବେ ପରିଚିତ କିଂବଦନ୍ତି ଧାବକ ମିଲଖା ସିଂ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରାୟ ମାସେ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ମିଲଖା ସିଂ ଚଣ୍ଡିଗଡ଼ର ପିଜିଆଇରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପାଞ୍ଚ ଦିନ ତଳେ ପତ୍ନୀ ନିର୍ମଲଙ୍କୁ ହରାଇଥିବା ମିଲଖାଙ୍କ ବିୟୋଗ କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଥିବାବେଳେ ସାରାଦେଶରେ ଶୋକର ଛାୟା ଖେଳିଯାଇଛି । ମିଲଖାଙ୍କ ପତ୍ନୀ ତଥା ଭାରତୀୟ ମହିଳା ଭଲିବଲ୍ ଦଳର ପୂର୍ବତନ ଅଧିନାୟିକା ନିର୍ମଲ କୌର ମଧ୍ୟ କରୋନା ସଂକ୍ରମିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ୮୫ ବର୍ଷ ବୟସରେ ଗତ ୧୩ ତାରିଖ ଦିନ ତାଙ୍କର ପରଲୋକ ହୋଇଯାଇଥିଲା ।

କିଂବଦନ୍ତି ଆଥ୍‌ଲେଟ୍‌ ମିଲ୍‌ଖା ସିଂହ ଦେଶ ବିଭାଜନ ପୂର୍ବରୁ ୧୯୨୮ ମସିହା ନଭେମ୍ବର ୩୦ରେ ବର୍ତ୍ତମାନର ପାକିସ୍ତାନରେ ଥିବା ଗୋବିନ୍ଦପୁରାରେ ଜନ୍ମ ନେଇଥିଲେ । ସେ ଥିଲେ ୪ ଥର ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା । ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଭାରତୀୟ ଭାବେ ସେ ଡିସ୍‌କାସ୍ ‌ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିବା ସହ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଥିଲେ, ତାହା ୫୦ ବର୍ଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ଥିଲା । ଏହା ବ୍ୟତୀତ ୪୦୦ ମିଟର ଫାଇନାଲରେ ‌ସେ ଦକ୍ଷିଣ ଆଫ୍ରିକାର ମାଲକମ୍ ସ୍ପେନ୍ସଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ସ୍ବର୍ଣ୍ଣିମ ସଫଳତା ତାଙ୍କୁ ଦେଶର ଘରେ ଘରେ ପରିଚିତ କରିଥିଲା । ଏହାସତ୍ତ୍ବେ ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ୪୦୦ ମିଟର ଫାଇନାଲ୍‌ରେ ଚତୁର୍ଥ ସ୍ଥାନ ବ୍ୟକ୍ତିଗତ ଭାବେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ସେ ମଧ୍ୟ ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।