କନକ ବ୍ୟୁରୋ : ପଞ୍ଜାବ ରାଜନୀତି ସର୍ବଦା ଚର୍ଚ୍ଚାରେ ରହିଛି । ବିଶେଷ କରି ଶାସନ କ୍ଷମତାରେ ଥିବା କଂଗ୍ରେସର କନ୍ଦଳ ବିରୋଧୀମାନଙ୍କୁ ଖୋରାକ ଯୋଗାଇବାରେ ସହାୟକ ହେଉଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଚନ୍ନି ଓ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା କ୍ଷମତା ବିବାଦ ଟିକେ ଥମିବା ବେଳେ ପୁଣି ଏକ ନୁଆ ବିବାଦ ମୁଣ୍ଡ ଟେକିଛି । କଂଗ୍ରେସ ଦଳର ସାଂସଦ ରହି ବି ଦଳ ବିରୋଧରେ ପରନୀତ କୌରଙ୍କ ନିର୍ବାଚନୀ ପ୍ରଚାର ଏବେ କଂଗ୍ରେସ ପାଇଁ ମହଙ୍ଗା ପଡିବ ବୋଲି ଆଶା କରାଯାଉଛି ।

Advertisment

ସୂଚନା ମୁତାବକ କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରିନ୍ଦର ସିଂ ଗତବର୍ଷ ଏକ ଘଟଣା କ୍ରମରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ । ଏହାପରେ ସେ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ଦଳ ଗଠନ କରି ଚଳିତ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିଛନ୍ତି । ହେଲେ ସମାନ ସ୍ଥିତିରେ ଅମରିନ୍ଦରଙ୍କ ପତ୍ନୀ ପରନୀତ କୌର ଏବେ ବି କଂଗ୍ରେସ ପକ୍ଷରୁ ସାଂସଦ ରହିଛନ୍ତି ।

ଚଳିତ ବିଧାନସଭା ନିର୍ବାଚନରେ ପିଏଲସି ବିଜେପି ମେଣ୍ଟ ହୋଇଥିବାରୁ ଶନିବାର ଦିନ ପଟିଆଲା ଠାରେ ବିଜେପିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରନୀତ କୌର ଯୋଗ ଦେଇ ନିଜ ସ୍ୱାମୀଙ୍କ ପାଇଁ ଭୋଟ ମାଗିବା ପରେ ଏହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ କଂଗ୍ରେସ ସାଂସଦ ଚଳିତ ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିବାକୁ ମଇଦାନକୁ ଉହ୍ଲାଇ ନାହାଁନ୍ତି । ସେପଟେ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରୁ ବହିସ୍କାର ବି କରାଯାଇ ନାହିଁ । ହେଲେ ଦଳରେ ରହି ଦଳ ବିରୋଧରେ ପ୍ରଚାର କରିବା ପରେ ଏହା କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଛି । କିଛିଦିନ ତଳେ ପଟିଆଲ ସହରାଞ୍ଚଳ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇଥିବା ବିଷ୍ଣୂ ଶର୍ମା କହିଥିଲେ କି ଯଦି ପରନୀତ କୌର ଦଳ ପାଇଁ ପ୍ରଚାର ନକରିବେ ତେବେ ସେ ଦଳରୁ ଇସ୍ଥଫା ଦେଇଦେବା ଆବଶ୍ୟକ ।