କନକ ବ୍ୟୁରୋ : ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା କରି ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାକୁ ଚେଷ୍ଟା କରୁଥିବା ବେଳେ ଦଳର ଜଣେ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଏହି କ୍ରମରେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ନବଜୋତ ସିଂ ସିଦ୍ଧୁଙ୍କ ନିକଟତର କୁହାଯାଉଥିବା ମନପ୍ରୀତ ବାଦଲ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏନେଇ ସେ ଟ୍ୱିଟର ମାଧ୍ୟମରେ ସୂଚନା ଦେବାର ମାତ୍ର କିଛି ସମୟ ମଧ୍ୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ସେ ପଞ୍ଜାବରେ କଂଗ୍ରେସ ସରକାର ସମୟରେ ଓ ଶିରୋମଣୀ ଅକାଳୀଦଳ ସରକାର ସମୟରେ ଅର୍ଥମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଥିଲେ ।

Advertisment

ଭାରତ ଯୋଡ ଯାତ୍ରା ମଧ୍ୟରେ ମନପ୍ରୀତ ବାଦଲଙ୍କ ଭଳି ଜଣେ ନେତା ଦଳ ଛାଡିବା କଂଗ୍ରେସକୁ ବଡ ଝଟକା ଲାଗିଛି । ଏହା ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦରସିଂ ମଧ୍ୟ କଂଗ୍ରେସ ଛାଡିଥିଲେ । କେବଳ ଏହି ଦୁଇଜଣ ନୁହଁନ୍ତି ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଝାକଡ ମଧ୍ୟ ଦଳରୁ ଇସ୍ତଫା ଦେଇସାରିଛନ୍ତି ।

ଆଜି ଦଳରୁ ଇସ୍ତଫା ଦେଇଥିବା ମନପ୍ରୀତ ବାଦଲ ପ୍ରଥମଥର ପାଇଁ ୧୯୯୫ ମସିହାରେ ଅକାଳୀଦଳ ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେ ୧୯୯୭,୨୦୦୨ ଓ ୨୦୦୭ ମସିହାରେ ଲଗାତର ଭାବେ ଗିଦ୍ଦଡବାହା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୦୭ ମସିହାରେ ପ୍ରକାଶସିଂ ବାଦଲ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଥିଲେ । ଏକ ଘଟଣା କ୍ରମରେ ୨୦୧୦ ମସିହାରେ ସିରୋମଣୀ ଅକାଳିଦଳରୁ ବହିସ୍କୃତ ହୋଇଥିଲେ । ଏହାପରେ ୨୦୧୬ ଜାନୁଆରୀ ୧୫ ତାରିଖରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ।