ଇସ୍ତଫାପତ୍ର ପ୍ରତ୍ୟାହାର କରିବାକୁ ୩ ଟି ସର୍ତ୍ତ ରଖିଲେ ସିଦ୍ଧୁ, ମାନିବାକୁ ରାଜି ନାହାଁନ୍ତି କଂଗ୍ରେସ ହାଇକମାଣ୍ଡ

1,126

କନକ ବ୍ୟୁରୋ : ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଭିତରେ ଦେଖାଯାଇଥିବା କନ୍ଦଳ ମେଣ୍ଟିବାର ନାଁ ନେଉନି । ନବଜୋତସିଂ ସିଦ୍ଧୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ କେନ୍ଦ୍ର ନେତୃତ୍ୱଙ୍କ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି । ଅନ୍ୟପଟେ ଏବେ କେନ୍ଦ୍ର ନେତୃତ୍ୱ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ସପକ୍ଷରେ ଠିଆ ହେଉଥିବା ଦେଖିବାକୁ ମିଳିଛି । ହେଲେ ସେପଟେ ଚରଣଜିତସିଂହ ଚନ୍ନୀ କହିଛନ୍ତି ଯେ ସିଦ୍ଧୁ ଯଦି ଅନ୍ୟମାନଙ୍କ ଉପରେ ଅଭିଯୋଗ ଆଣିବା ବନ୍ଦ କରିବେ ତେବେ ତାଙ୍କସହ କଥା ହେବା ସମ୍ଭବ ହେବ ।

ସିଦ୍ଧୁ ତାଙ୍କ ଇସ୍ତଫା ଦେବା ବେଳେ କହିଥିଲେ କି, ସେ କୌଣସି ପ୍ରକାର ବୁଝାମଣା କରିବାକୁ ପ୍ରସ୍ତୁତ ନୁହଁନ୍ତି । ବୁଧବାର ଦିନ ସେ ଜାରି କରିଥିବା ଏକ ଭିଡିଓ ବାର୍ତ୍ତାରେ ସେହି କଥା ଉପରେ ଜୋର ଦେବା ସହ କହିଛନ୍ତି କି ଚନ୍ନୀଙ୍କ ମନ୍ତ୍ରୀମଣ୍ଡରେ ଅପରାଧୀମାନଙ୍କୁ ସାମିଲ କରାଯାଇଛି ।

ଏବେ ସୂତ୍ର ସୂଚନା ମୁତାବକ ସ୍ପଷ୍ଟ କରାଯାଇଛି କି, ସିଦ୍ଧୁଙ୍କ ସର୍ତ୍ତ ଯଦି କଂଗ୍ରେସ ମାନିବ ତେବେ ସେ ଇସ୍ତଫାପତ୍ର ପ୍ରତ୍ୟାହାର କରିବେ । ଏହି ସର୍ତ୍ତ ମଧ୍ୟରେ ରହିଛି ରାଣା ଗୁରୁଜିତ ସିଂହଙ୍କୁ କ୍ୟାବିନେଟରୁ ହଟାଇବା, ଡିଜିପି ପ୍ରିତ ସିଂ ସହୋତାଙ୍କୁ ମିଳିଥିବା ପଦ ପ୍ରତ୍ୟାହାର କରିବା ଓ ଆଡଭୋକେଟ ଜେନରାଲ ଏପିଏସ ଦେଓଲଙ୍କୁ ହଟାଇବା ଭଳି ଦାବି ରହିଛି ।

ଅନ୍ୟପଟେ ସିଦ୍ଧୁଙ୍କ ଏଭଳି ଇସ୍ତଫାକୁ ନେଇ କେନ୍ଦ୍ର ନେତୃତ୍ୱ ସିଦ୍ଧୁଙ୍କ ଉପରେ ସନ୍ତୁଷ୍ଟ ନାହାଁନ୍ତି । ଏହି କ୍ରମରେ ଆଜି ପଞ୍ଜାବ ଆସିବାକୁ ଥିବା ପ୍ରଭାରୀ ହରିଶ୍ ରାୱତଙ୍କ ଗସ୍ତକୁ ହାଇକମାଣ୍ଡ ରଦ୍ଦ କରାଯାଇଥିବା କୁହାଯାଇଛି । ଅନ୍ୟପଟେ ହାଇକମାଣ୍ଡ ଚନ୍ନିଙ୍କ ସପକ୍ଷରେ ଥିବା ବେଳେ ପଞ୍ଜାବ ପାଇଁ ନୂଆ ଅଧ୍ୟକ୍ଷ ଖୋଜୁଥିବା କଥା ଆଲୋଚନା ହେଉଛି ।