ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍ ରାୱତଙ୍କ ସଂକେତ, ସିଦ୍ଧୁ ହେବେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ ରହିବେ ଅମରିନ୍ଦର ସିଂ

244

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସରେ ଚାଲିଥିବା କଳହକୁ ନେଇ ପ୍ରଭାରୀ ହରିସ୍ ରାୱତ ଏକ ବଡ ବୟାନ ଦେଇଛନ୍ତି । ସେ ତାଙ୍କ ବୟାନରେ କହିଛନ୍ତି କି ରାଜ୍ୟରେ କଂଗ୍ରେସ ଦଳ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ସେ ଏକ ଉପାୟ ବାହାର କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ ଓ ବିବାଦ ବଢାଉଥିବା ନବଜୋତ୍ ସିଂ ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ରହିବେ ।

ଏହା ସହ ରାଜ୍ୟ କଂଗ୍ରେସରେ ଦୁଇଜଣ ଉପ-ସଭାପତି ବି ରହିବେ ଓ ସେମାନେ ଦଳିତ ଓ ହିନ୍ଦୁ ସମୁଦାୟରୁ ନିର୍ବାଚିତ ହେବେ । ଏନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି । କହିରଖୁ କି ବର୍ତମାନ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ରହିଛନ୍ତି ସୁନୀଲ ଜାଖଡ ।

ଅନ୍ୟପଟେ ୨୦୨୨ ରେ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟରେ କିଛି ନୂଆ ଚେହେରା ପ୍ରବେଶ କରିବା ନେଇ ବି ଅନୁମାନ କରାଯାଉଛି । ଏହାସହ ପଞ୍ଜାବ କଂଗ୍ରେସରେ ଚାଲିଥିବା କହଳକୁ ନେଇ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦଳର ମହାସଚିବ କେ.ସି ବେଣୁଗୋପାଳ, ପ୍ରିୟଙ୍କା ଗାନ୍ଧୀ ଓ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍ ରାୱତ ଯୋଗ ଦେଇ ଚର୍ଚ୍ଚା କରିଥିଲେ ।

ହରିସ୍ ରାୱତ ପଞ୍ଜାବ କଂଗ୍ରେସର ଚାଲିଥିବା ଦ୍ୱନ୍ଦକୁ ନେଇ କହିଛନ୍ତି କି ଆସନ୍ତା ୩/୪ ଦିନ ମଧ୍ୟରେ ପଞ୍ଜାବ କଂଗ୍ରେସ ପାଇଁ ଖୁସି ଖବର ଆସିବ ଓ ଏହାଦ୍ୱାରା କର୍ମୀ ଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ଖୁସି ହେବେ ।