କନକ ବ୍ୟୁରୋ: ପଞ୍ଜାବ କଂଗ୍ରେସରେ ଜାରି ରହିଛି ବିବାଦ । ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଷ ରାୱତଙ୍କ ଚରମବାଣୀ ପରେ ପିସିସି ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମଲବିନ୍ଦର ସିଂହ ମାଲି । କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ବୟାନ ଦେବାପରେ ନିଜ ସହ ସିଦ୍ଧୁଙ୍କ ପାଇଁ ସମସ୍ୟା ବଢାଇଥିଲେ ମାଲବିନ୍ଦର ସିଂହ ମାଲି । ଏହାକୁ ନେଇ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ନିଲମ୍ବିତ କରିଦେବା ଉଚିତ ବୋଲି ହରିଷ ରାୱତ କହିଥିଲେ । ଏପରିକି ଦଳ ସିଦ୍ଧୁଙ୍କୁ ବହିଷ୍କାର କରିବ ବୋଲି ଚରମବାଣୀ ଶୁଣାଇଥିଲେ ରାୱତ ।
ରାୱତଙ୍କ ଏହି କଥାକୁ ୨୪ ଘଣ୍ଟା ନପୁରୁଣୁ ସିଦ୍ଧୁଙ୍କ ପରମର୍ଶଦାତା ମାଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ବିବାଦକୁ ନେଇ ହାଇକମାଣ୍ଡଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ସିଦ୍ଧୁ । ନିକଟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଦ୍ଧୁ କହିଛନ୍ତି – “ଯଦି ମତେ ନିଷ୍ପତ୍ତି ନ ନେବାକୁ ଦିଆଯିବ, ତାହାଲେ କାହାକୁ ବି ଛାଡିବି ନାହିଁ.. ମୁଁ ଏକ ସଦୃଶ୍ୟ ଘୋଡା ହୋଇ ରହିବାକୁ ଚାହେଁନି..”
ଗୋଟିଏ ପଟେ ସିଦ୍ଧୁଙ୍କ ଉପରେ ବରିଷ୍ଠ କଂଗ୍ରେସ ନେତାଙ୍କ ଛାଟ ପଡିଛି, ସେପଟେ ନିଜ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପେଟେନ ଅମରିନ୍ଦର ସିଂହ । ସିଦ୍ଧୁଙ୍କୁ ନେଇ ବିବାଦ ଦେଖାଦେଇଥିବାବେଳେ, ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମାନଙ୍କୁ ରାତ୍ର ଭୋଜନରେ ନିମନ୍ତ୍ରଣ କରି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ଦଳରେ ନିଜ ପଦକୁ ସୁରକ୍ଷିତ ରଖିବା ଏବଂ ନିଜ ଆଡକୁ ମନ୍ତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି କ୍ୟାପଟେନ୍ । ସେପଟେ ବିଜେପି କହିଛି ଦଳରେ କନ୍ଦଳ ଶେଷ ହେଲେ ସିନା ଲୋକଙ୍କ ସମସ୍ୟାର ସମାଧାନ ହେବ । ଆସନ୍ତାବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାପୂର୍ବରୁ କଂଗ୍ରେସର ଘରୋଇ କନ୍ଦଳ ଶେଷ ନହେଲେ ଭୋଟରଙ୍କୁ ପ୍ରଭାବିତ କରିବା କଷ୍ଟକର ହୋଇ ପଡିବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/PUNJAB-CONGRESS.jpg)