ନବଜ୍ୟୋତ ସିଦ୍ଧୁଙ୍କ ଲଜ୍ଜାଜନକ ବୟାନ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ କହିଲେ ଏଭଳି କଥା

206

କନକ ବ୍ୟୁରୋ : ପଞ୍ଜାବର ହୁସେନିବାଲା ଠାରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଢିଲା ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇବାରେ ଲାଗିଛନ୍ତି । ଏହାରି ମଧ୍ୟରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ ଏକ ଲଜ୍ଜାଜନକ ବୟାନ ଦେଇ ଏହାକୁ ଡ୍ରାମା ବୋଲି କହିଛନ୍ତି । ସିଦ୍ଧୁ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଢିଲା ଏକ ଡ୍ରାମା ଥିଲା । କେବଳ ରାଲିରେ ଲୋକ ଭିଡ ହୋଇ ନଥିବାରୁ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ସିଦ୍ଧୁ କହିଛନ୍ତି ।
ଅନ୍ୟପଟେ ପଞ୍ଜାବ ଏଡିଜିପିଙ୍କ ଚିଠି ମୁତାବକ ପଞ୍ଜାବ ସରକାର କୃଷକଙ୍କ ଧାରଣା ବାବଦରେ ପ୍ରଥମରୁ ପଞ୍ଜାବ ସରକାରଙ୍କ ପାଖରେ ସୂଚନା ଥିଲା । ଏଡିଜିପି ତାଙ୍କ ଚିଠିରେ ଲେଖିଥିଲେ କି ୫ ତାରିଖ ଦିନ ବର୍ଷା ହେବାର ଅନୁମାନ କରାଯିବା ସହ କୃଷକମାନେ ଧାରଣା ଦେବା ନେଇ ସମ୍ଭାବନା ଥିଲା । ଏନେଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବାର ଆବଶ୍ୟକ ରହିଛି ।

ଏଡିଜିପି ପୂର୍ବରୁ ପଞ୍ଜାବ ସରକାରଙ୍କୁ ଚିଠି ଲେଖି ଏସବୁ ଜଣାଇଥିବା ବେଳେ ପଞ୍ଜାବ ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନନେବା ସରକାରଙ୍କର ଭିନ୍ନ ଉର୍ଦ୍ଦେଶ୍ୟକୁ ପ୍ରତିପାଦିତ କରୁଛି । କହିରଖୁ କି ଗତକାଲିର ଘଟଣା ପରେ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ଦାବି କରିଥିଲେ କି ପ୍ରଧାନମନ୍ତ୍ରୀ ସଡକ ପଥରେ ଆସୁଥିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିଲା । ଅନ୍ୟପଟେ ସୁରକ୍ଷାରେ କୌଣସି ବ୍ୟତିକ୍ରମ ହୋଇ ନଥିବା କଥା ଚନ୍ନି ସ୍ପଷ୍ଟ କରିଥିଲେ ।

ପଞ୍ଜାବ ଗସ୍ତ ବେଳେ ସୁରକ୍ଷା କାରଣରୁ ପ୍ରଧାନମନ୍ତ୍ରୀ ଫେରିବା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚିନ୍ତାପ୍ରକଟ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟିବାକୁ ତାଙ୍କର ଅଧିକାରୀକ ଆବାସରେ ପହଂଚିଛନ୍ତି ।