କନକ ବ୍ୟୁରୋ : ପଞ୍ଜାବ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମିଳିଲାଣି ପୁଳା ପୁଳା ପ୍ରତିଶ୍ରୁତି । ସରକାର ଗଢିବାକୁ ରାଜନୈତିକ ଦଳର ନେତା ବିଭିନ୍ନ ଘୋଷଣା କରି ଭୋଟର ଭୋଟ ହାତେଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୂର୍ବରୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିଭିନ୍ନ ପ୍ରତିଶ୍ରୁତି ଦେଇ ପଞ୍ଜାବ ଭୋଟରଙ୍କ ମନ ଜିଣିଥିବା ବେଳେ ଏବେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁ ମଧ୍ୟ ସମାନ ଫର୍ମୁଲା ଆପଣାଇଛନ୍ତି । ଏକ ଜନସଭାରେ ସିଦ୍ଧୁ ବଡ ଘୋଷଣା କରିଛନ୍ତି । ସିଦ୍ଧୁ କହିଛନ୍ତି, ଯଦି ପଞ୍ଜାବରେ ପୁଣିଥରେ କଂଗ୍ରେସ ସରକାର ଗଢିବ ତେବେ ପ୍ରତି ମହିଳାଙ୍କୁ ୨ ହଜାର ଟଙ୍କା ସହ ୮ଟି ଗ୍ୟାସ୍ ସିଲିଣ୍ଡର ଦିଆଯିବ ।

Advertisment

ଏହାପୂର୍ବରୁ ପଞ୍ଜାବର ମହିଳା ଭୋଟବ୍ୟାଙ୍କ ହାତେଇବାକୁ କେଜ୍ରିୱାଲ ବଡ ଘୋଷଣା କରିଥିଲେ । ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାରକୁ ଆସିଲେ ପ୍ରତି ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ । କିନ୍ତୁ କେଜ୍ରିୱାଲଙ୍କ ଏହି ଭୋଟବ୍ୟାଙ୍କ ପଲିସି ଚାଲକୁ ସିଦ୍ଧୁ ମାତ୍ ଦେଇ ସରକାରକୁ ଆସିଲେ ପ୍ରତି ମହିଳାଙ୍କୁ ୨ ହଜାର ଟଙ୍କା ଦେବାକୁ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ।

ଏହାବାଦ ସିଦ୍ଧୁ କହିଛନ୍ତି କଂଗ୍ରେସ ସରକାରକୁ ଆସିଲେ ପ୍ରତି ଗାଁରୁ ଦୁଇ ମହିଳାଙ୍କୁ ନେଇ କମାଣ୍ଡୋ ବାଟାଲିୟନ ପ୍ରସ୍ତୁତ କରିବ । ଏହାଛଡା ୫ମ ପାସ୍ ଛାତ୍ରୀଙ୍କୁ ୫୦୦୦, ୧୦ମ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧୫ ହଜାର ଓ ୨୦ ହଜାର ଟଙ୍କା ଦେବ । ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଉଥିବା ଛାତ୍ରୀଙ୍କୁ ଟାବଲେଟ ଦିଆଯିବ । ଘରୋଇ କାମ ପାଇଁ ମହିଳାଙ୍କୁ ବିନା ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତୠଣ ଦିଆଯାଇପାରିବ । ସେହିଭଳି ପାଞ୍ଚ ଏକରରୁ କମ ଜମି ଥିବା ଚାଷୀ କିମ୍ବା ଦିନ ମଜୁରିଆଙ୍କୁ ଦୈନିକ ୪୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ସିଦ୍ଧୁ ।

ଏହାପୂର୍ବରୁ ନିର୍ବାଚନୀ ସଭାରେ କହିଥିଲେ ଯେ, ଯଦି କଂଗ୍ରେସ ପୁଣିଥରେ ସରକାର ଗଢେ ତେବେ ୫ ଲକ୍ଷ ଗରିବ ଲୋକଙ୍କୁ ରୋଜଗାର ଦିଆଯିବ । ଆଉ ଯଦି ଏପରି ନହୁଏ ତେବେ ରାଜନୀତି ଛାଡିଦେବି ।