ଚାଷୀମାନେ ଦେଢ ବର୍ଷ ଦିଲ୍ଲୀ ସୀମାରେ ବସିଥିଲେ, ମୋଦୀ ୧୫ ମିିନିଟ୍ ଅଟକିଲେ ବୋଲି ଅସୁବିଧା ହୋଇଗଲା : ସିଦ୍ଧୁ

904

କନକ ବ୍ୟୁରୋ: ବୁଧବାର ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ୍ ୧୫ରୁ ୨୦ ମିନିଟ୍ ଧରି ଓଭରବ୍ରିଜ୍ ଉପରେ ଅଟକି ରହିବା ପରେ ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନବଜ୍ୟୋତ୍ ସିଂହ ସିଦ୍ଧୁ । ଗୁରୁବାର ସିଦ୍ଧୁ ବରନାଲାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଚାଷୀମାନେ ଦିଲ୍ଲୀ ସୀମାରେ ଏକବର୍ଷରୁ ଅଧିକ ସମୟ ଧରି ବସିରହିଲେ, ହେଲେ ଯେବେ ପ୍ରଧାନମନ୍ତ୍ରୀ କେବଳ ୧୫ ମିନିଟ୍ ପାଇଁ ଅଟକି ଗଲେ, ସେତେବେଳେ ଅସୁବିଧା ହୋଇଗଲା । ଏମିତି ଦୁଇ ପ୍ରକାର କଥା କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଖାଲି ସେତିକି ନୁହେଁ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ସିଦ୍ଧୁ କହିଛନ୍ତି, ମୋଦୀ ଜୀ ଚାଷୀଭାଇମାନଙ୍କୁ ଦୁଇଗୁଣା ଆୟର ପ୍ରତିଶ୍ରୁତି ଦେଇଥିଲେ, ହେଲେ ସେ ଚାଷୀଙ୍କ ପାଖରେ ଯାହା ବି କିଛି ଥିଲା ତାକୁ ବି ନେଇଗଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବଡ ତ୍ରୁଟି ଦେଖିବାକୁ ମିଳିଥିଲା । ଯାହା ଫଳରେ ୧୫ରୁ ୨୦ ମିନିଟ୍ ଧରି ମୋଦୀଙ୍କ କାରକେଡ୍ ପ୍ଲାଏଓଭର ଉପରେ ଅଟକି ରହିଥିଲା । କିଛି ପ୍ରଦର୍ଶନକାରୀ ରାସ୍ତା ଅବରୋଧ କରିଥିବା କାରଣରୁ ଏପରି ହୋଇଥିବା କୁହାଯାଇଥିଲା । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହା ବଡ ତ୍ରୁଟି ବୋଲି କୁହାଯାଇଥିଲା ।

ଏହି ଘଟଣାରେ ବିଜେପି ନେତାମାନେ କଂଗ୍ରେସ ଓ ପଞ୍ଜାବ ସରକାରକୁ ଟାର୍ଗେଟ କରିବା ବେଳେ ଏହାକୁ ନେଇ ମୁହଁ ଖୋଲିଥିଲେ ଖୋଦ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ, ସଭାକୁ ଉଦବୋଧନ ନଦେଇ ମୋଦୀ ପୁଣି ଦିଲ୍ଲୀ ଫେରିଯିବାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନଥିବା କହିଥିଲେ । ତେବେ ଏହି ଘଟଣାର ପୂରା ଯାଞ୍ଚ କରାଯିବ ବୋଲି ସେ କହିଥିଲେ । ତେବେ ପରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ଭୁଲ ନଥିବା ସଫେଇ ରଖିଥିଲେ ।