ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଚମକୌର ସାହିବରୁ ଲଢିବେ ଚନ୍ନୀ, ଅମୃତସର ପୂର୍ବରୁ ଲଢିବେ ସିଦ୍ଧୁ

133

କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ୮୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ତେବେ ମୁଖ୍ୟମନ୍ତ୍ରୀ ଚରଣଜୀତ୍ ସିଂହ ଚନ୍ନୀ ଏଥର ନିର୍ବାଚନରେ ଚମକୌର ସାହିବରୁ ନିର୍ବାଚନ ଲଢିବେ । ସେହିପରି ନବଜ୍ୟୋତ୍ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରୁ ଇଲେକ୍ସନ ଲଢିବେ ବୋଲି ଘୋଷଣା କରାଯାଇଛି । ଏଥିସହିତ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଡେରା ବାବା ନାନକ ସିଟରୁ ନିର୍ବାଚନ ଲଢିବେ । ତେବେ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ମାଲବିକା ସୁଦ୍ ମୋଗାରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି ।

ପଞ୍ଜାବରେ ଏଥର ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ସମସ୍ତ ୧୧୭ ଆସନ ପାଇଁ ୧୪ ଫେବୃଆରୀରେ ଭୋଟ୍ ପଡିବ । ୧୪ ତାରିଖରେ ଭୋଟ୍ ପଡିବା ପରେ ମାର୍ଚ୍ଚ ୧୦ ତାରିଖରେ ସମସ୍ତ ଆସନର ଭୋଟ୍ କାଉଟିଂ ହେବ । ତେବେ ନିର୍ବାଚନ କମିଶନ ଘୋଷଣା କରିଥିବା ତାରିଖ ଅନୁସାରେ, ନିର୍ବାଚନ ପାଇଁ ଜାନୁଆରୀ ୨୧ ତାରିଖରେ ନୋଟିଫିକେସନ୍ ଜାରି ହେବ, ଜାନୁଆରୀ ୨୮ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନ ଭରିବେ । ଏହାପରେ ଜାନୁଆରୀ ୨୯ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ଜାନୁଆରୀ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ।

ପଞ୍ଜାବ ବିଧାନସଭାର କାର୍ଯ୍ୟକାଳ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖରେ ଶେଷ ହେବାକୁ ଯାଉଛି । ତେବେ ଏଠାରେ ଶାସନ କ୍ଷମତା ହାତେଇବାକୁ ହେଲେ, କୌଣସି ଦଳ କିମ୍ବା ମେଣ୍ଟକୁ ୫୯ଟି ଆସନ ଜିତିବାକୁ ହେବ । ୨୦୨୨ରେ ଯେଉଁ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ସେ ମଧ୍ୟରୁ କଂଗ୍ରେସ ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି କଂଗ୍ରେସ ଶାସନ କରୁଛି । ତେଣୁ ଏଠାରେ ବିଜେପି ଏବଂ ଆପ୍ ଶାସନ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଥିବାବେଳେ, କଂଗ୍ରେସ ପୁଣି ଥରେ ନିଜର ଶାସନ ଅକ୍ତିଆର କରିବାକୁ ଅଙ୍କ କଷୁଛି ।