ପଞ୍ଜାବ କ୍ୟାବିନେଟରେ ଲାଗିଲା ମୋହର, କ୍ୟାପଟେନଙ୍କ ନିକଟତରଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ

175

କନକ ବ୍ୟୁରେ: ବହୁ ବାଦ ବିବାଦ ପରେ ପଞ୍ଜାବ କ୍ୟାବିନେଟରେ କିଏ କେଉଁ ବିଭାଗର ମନ୍ତ୍ରୀ ହେବେ ସେନେଇ ଦଳର ହାଇକମାଣ୍ଡ ମୋହର ଲଗାଇଛନ୍ତି । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଚରଣଜିତସିଂହ ଚନ୍ନୀ ଓ ରାଜ୍ୟ ପ୍ରଭାରୀ ହରିସ ରାୱତଙ୍କ ସହ ରାହୁଲ ଗାନ୍ଧୀଙ୍କ ଦୀର୍ଘ ସମୟ ଆଲୋଚନା ପରେ କ୍ୟାବିନେଟରେ କିଏ କେଉଁ ବିଭାଗର ମନ୍ତ୍ରୀ ହେବେ ତାହା ଉପରେ ମୋହର ଲାଗିଛି ।

ପଞ୍ଜାବରେ ନୂଆ ମନ୍ତ୍ରୀମଣ୍ଡଳ ବିସ୍ତାର ପାଇଁ ମୁଖ୍ୟମନ୍ତ୍ରୀ ଚନ୍ନୀ ଆଜି ରାଜ୍ୟପାଳଙ୍କୁ ଭେଟି ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ନେଇ ସମୟ ମାଗିବେ । କୁହାଯାଉଛି କି ନୂଆ କ୍ୟାବିନେଟ ବିସ୍ତାର ନେଇ ଦିଲ୍ଲୀରେ ଦୀର୍ଘ ସମୟ ଧରି ମନ୍ଥନ ଚାଲିଥିଲା । ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମରେ ଚନ୍ନୀ ଦିଲ୍ଲୀ ପହଂଚିଥିଲେ । ସେଠାରେ ରାହୁଲ ଗାନ୍ଧୀ ସମେତ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଥିଲା ।

ଚନ୍ନୀ ମନ୍ତ୍ରୀମଣ୍ଡଳରେ କିଛି ପୁରୁଣା ଚେହେରା ବାଦ ପଡୁଥିବା ବେଳେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳୁଥିବା ଆଲୋଚନା ହେଉଛି । ସେମାନଙ୍କ ମଧ୍ୟରେ ବ୍ରହ୍ମା ମହିନ୍ଦରା, ରାଣା ଗୁରୁଜିତ, ମନପ୍ରିତ ବାଦଲ, ତୃପ୍ତ ରାଜିନ୍ଦର ବାଜୱା, ସୁଖବିନ୍ଦର ସିଂ ସରକାରୀଆ, ଅରୁଣ ଚୌଧୁରୀ ଭଳି ବିଧାୟକଙ୍କ ନାମ ଉଠୁଛି । ଅନ୍ୟପଟେ ସିଦ୍ଧୁଙ୍କ ନିକଟତର କୁହାଯାଉଥିବା ପଞ୍ଜାବ କଂଗ୍ରେସର ମହାସଚିବ ପରଗଟ୍ ସିଂହ ଓ ଗିଲଜିୟାନ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ବେଳେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳୁଥିବା କଥା କୁହାଯାଉଛି ।

କୁହାଯାଉଛି କି ଚନ୍ନୀ ଓ ପାର୍ଟିର ଶୀର୍ଷନେତାଙ୍କ ମଧ୍ୟରେ ପଞ୍ଜାବ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀଙ୍କ ନାମ ନିଷ୍ପତ୍ତି କରିବା ନେଇ ଚାଲିଥିବା ଚର୍ଚ୍ଚା ପରେ ଏକଥା ସାମ୍ନାକୁ ଆସିଛି ଯେ କ୍ୟାପଟେନ ଅମରିନ୍ଦର ସିଂଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଥିବା କିଛି ମନ୍ତ୍ରୀଙ୍କ ନାମ ବାଦ ପଡିଛି । କୁହାଯାଉଛି କି ଅମରିନ୍ଦର ସିଂଙ୍କ ଅତି ନିକଟତ କୁହାଯାଉଥିବା ଗୁରପ୍ରିତ ସିଂହ କାଙ୍ଗଡା, ରାଣା ଗୁରମିତ ସିଂହ ସୋଢୀ ଓ ସାଧୁ ସିଂ ଧର୍ମସେନାଙ୍କୁ ନୂଆ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଛି  ।