କନକ ବ୍ୟୁରୋ : ପଞ୍ଜାବ ରାଜନୀତିର ଫଳାଫଳ ଏଥର ସମସ୍ତଙ୍କୁ ଚକିତ କରିଛି । ପଞ୍ଜାବ ରାଜନୀତି ମୈଦାନରେ ଚିତପଟାଙ୍ଗ ମାରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି । ଆପର ପ୍ରଚଣ୍ଡ ଝଡରେ କଂଗ୍ରେସର ହାତ ଉଠି ପାରିନଥିବା ବେଳେ ଦଳର ଦୁଇ ହେଭିୱେଟ ଚରଣଜିତ୍ ସିଂ ଚନ୍ନି ଓ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ପରାଜିତ ହୋଇଛନ୍ତି । ଆଉ ସବୁଠୁ ବଡ କଥା ହେଲା ଚନ୍ନି ଦୁଇଟି ଆସନରୁ ଲଢିଥିଲେ ମଧ୍ୟ ଉଭୟ ଆସନରେ ପରାଜୟର ସାମ୍ନା କରିଛନ୍ତି । ଉଭୟ ଚମକୋର ସାହିବ ଓ ଭଦୌର ଆସନରେ ଚନ୍ନିଙ୍କ ଉପରେ ଭରସା କରିନାହାନ୍ତି ଭୋଟର । ଉଭୟ ଆସନରେ ଆପର ପ୍ରାର୍ଥୀ ହିଁ ଚନ୍ନିଙ୍କୁ ମାତ୍ ଦେଇଛନ୍ତି । ଭଦୌର ଆସନରେ ୩୭ ହଜାରରୁ ଅଧିକ ଭୋଟରେ ଓ ଚମକୌର ସାହିବ ଆସନରୁ ୬ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି ଚନ୍ନି ।

Advertisment

ଏହାପୂର୍ବରୁ ଚନ୍ନିଙ୍କ ପରାଜୟ ନେଇ ଜାତୀୟ ଗଣମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ପ୍ରମୁଖ କେଜ୍ରିୱାଲ ଯେଉଁ କଥା ଲେଖିକି ଦେଇଥିଲେ ତାହା ସଠିକ୍ ପ୍ରମାଣିତ ହୋଇଛି । କେଜ୍ରିୱାଲ କହିଥିଲେ, ମୁଖ୍ୟମନ୍ତ୍ରୀ ଚନ୍ନି ଦୁଇଟି ଆସନରୁ ପରାଜିତ ହେବେ, ଏହା ମୁଁ ଲେଖିକି ଦେଉଛି । ସେହିଭଳି ଆପ୍ ପଞ୍ଜାବରେ ପ୍ରଚଣ୍ଡ ବହୁମତ ହାସଲ କରିବ ଏବଂ ଭଗୱନ୍ତ ସିଂ ମାନ ମଧ୍ୟ ବଡ ବ୍ୟବଧାନରେ ବିଜୟୀ ହେବେ ବୋଲି କେଜ୍ରିୱାଲ କହିଥିଲେ ।

କେବଳ ଚନ୍ନି ହାରିନାହାନ୍ତି ବରଂ ପଞ୍ଜାବର ବଡ ବଡ ହେଭିୱେଟ ଚେହେରା ମଧ୍ୟ ପରାଜୟର ସାମ୍ନା କରିଛନ୍ତି । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ମଧ୍ୟ ପରାଜିତ ହୋଇଛନ୍ତି ।

ଅନ୍ୟପଟେ ପଞ୍ଜାବରେ ଆପର ଜବରଦସ୍ତ ସଫଳତା ପରେ ଭଗୱନ୍ତ ସିଂ ମାନ୍ କହିଛନ୍ତି, ରାଜଭବନ ନୁହେଁ ଭଗତ ସିଂଙ୍କ ଜନ୍ମମାଟିରେ ଶପଥ ନେବୁ । କୌଣସି ସରକାରୀ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ନୁହେଁ ବରଂ ଭଗତ ସିଂ ଓ ବି.ଆର ଆମ୍ବେଦକରଙ୍କ ଫଟୋ ରହିବ ।