ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ । ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟରଙ୍କୁ ଆହ୍ୱାନ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ।

77

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଛନ୍ତି । ଆଗାମୀ ୨୬ ଜାନୁଆରୀରେ ଭଗୱନ୍ତଙ୍କ ଉପରେ ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟର ମାନଙ୍କୁ ଆହ୍ୱାନ କରିଛି ପନ୍ନୁ । କେବଳ ଏତିକି ନୁହେଁ ପଞ୍ଜାବ ଡିଜିପି ଗୌରବ ଯାଦବଙ୍କୁ ମଧ୍ୟ ଜୀବନରୁ ମାରିବାକୁ ଧମକ ଦେଇଛି ପନ୍ନୁ ।

ଖଲିସ୍ତାନୀ ସମର୍ଥକ ଓ ଗ୍ୟାଙ୍ଗଷ୍ଟରଙ୍କ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନ କାରଣରୁ ଚିହିଁକି ଉଠିଛି ପନ୍ନୁ । ପଞ୍ଜାବ ପୋଲିସ ଏବେ ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛି । ପୋଲିସର ଘନ ଘନ କାର୍ଯ୍ୟାନୁଷ୍ଠାନ କାରଣରୁ ପନ୍ନୁ ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି । ଏହାପୂର୍ବରୁ ରାମମନ୍ଦିରର ପ୍ରତିଷ୍ଠା ସମାରୋହକୁ ନେଇ ଭାରତ ସରକାରଙ୍କୁ ଟାର୍ଗେଟ କରିଥିଲା ପନ୍ନୁ । ଏହି ସମାରୋହକୁ ମୁସଲିମ ସମୁଦାୟ ବିରୋଧ କରନ୍ତୁ ବୋଲି ଆହ୍ୱାନ ଦେଇଥିଲା ପନ୍ନୁ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପନ୍ନୁ କହିଥିଲା, ନରେନ୍ଦ୍ର ମୋଦୀ ମୁସଲିମ ମାନଙ୍କର ବଡ ଶତ୍ରୁ ।

ପନ୍ନୁ ଧମକ ଦେବା ସହ କହିଛି ଗଣତନ୍ତ୍ର ଦିବସରେ ଭଗୱନ୍ତ ମାନ ଯେଉଁଠି ପତାକା ଉତ୍ତୋଳନ କରିବେ ସେଠାରେ ଭୟଙ୍କର ମାହୋଲ ସୃଷ୍ଟି ହେବ । ଏହାପୂର୍ବରୁ ମଧ୍ୟ ୧୩ ଡିସେମ୍ବରରେ ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା ପନ୍ନୁ ।