ପଞ୍ଜାବ ରାଜନୀତିରେ ଯୋଜନା ବର୍ଷା, ଆପକୁ ଟକ୍କର ଦେବାକୁ ଚନ୍ନୀ କଲେ ଏଭଳି ଘୋଷଣା

344

କନକ ବ୍ୟୁରୋ : ପଞ୍ଜାବରେ ଆଗାମୀ ୨୦୨୨ ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ନିର୍ବାଚନ ପୂର୍ବରୁ ଶାସକ କଂଗ୍ରେସ ଓ ବିରୋଧୀ ଆପ୍ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଭୋଟରମାନେ ଲାଭବାନ ହେବେ ବୋଲି ଅନୁମାନ କରାଯାଉଛି । ଗତକାଲି ପଞ୍ଜାବ ଗସ୍ତରେ ଯାଇ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଭଳି ଯୋଜନା ଘୋଷଣା କରିଥିଲେ ସେଥିରେ ଚମକି ଉଠିଛି କଂଗ୍ରେସ । କେଜ୍ରିୱାଲ କହିଥିଲେ କି ଯଦି ଆଗାମୀ ନିର୍ବାଚନରେ ପଞ୍ଜାବରେ ଆପର ସରକାର ଗଠନ ହେବ ତେବେ ୧୮ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ସରକାର ମାସିକ ୧ ହଜାର ଟଙ୍କା ଦେବେ । କେଜ୍ରିୱାଲଙ୍କ ଏଭଳି ଘୋଷଣା ପରେ ଏବେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସେ ସୋମବାର ଦିନ ପ୍ରଥମଥର ପାଇଁ ଲୁଧିଆନା ଗସ୍ତ କରିଥିଲେ । ସେଠାରେ ସେ ଦଳର କର୍ମୀମାନଙ୍କ ସହ ନବଜୋତସିଂ ସିଦ୍ଧୁଙ୍କୁ ନେଇ ବୈଠକ କରିଥିଲେ । ବୈଠକ ପରେ ସେ ଘୋଷଣା କରିଥିଲେ କି ରାଜ୍ୟର କେବୁଲ ଟିଭି ସେବା ଦର ୧୦୦ ଟଙ୍କା ରହିବ ।

ପଞ୍ଜାବର ଅଟମ ନଗରରେ ସେ ପାର୍ଟିର ନେତାଙ୍କୁ ସମ୍ବୋଧିତ କରି କହିଛନ୍ତି କି କେବୁଲ ମାଫିଆମାନେ ରାଜ୍ୟରେ କେବୁଲ ଟିଭି ଦର ବୃଦ୍ଧି କରି ଲୋକମାନଙ୍କୁ ଶୋଷଣ କରୁଛନ୍ତି । ଏହାସହ ସେ ବାଦଲ ପରିବାର ଉପରେ ଟାର୍ଗେଟ କରିଥିଲେ । ସେ କହିଥିଲେ କି ପଞ୍ଜାବରେ ପରିବହନ ଓ କେବୁଲ ଟିଭି ବ୍ୟବସାୟରେ ବାଦଲ ପରିବାର ଆଧିପତ୍ୟ ବିସ୍ତାର କରି ବସିଛନ୍ତି । ଏବେ ରାଜ୍ୟର ଲୋକମାନଙ୍କୁ ମାସିକ କେବୁଲ ଟିଭି ଦର ୧୦୦ ଟଙ୍କାରୁ ଅଧିକ ଦେବାକୁ ପଡିବ ନାହିଁ । ଏହାସହ ଯେଉଁ କେବୁଲ ନେଟୱାର୍କ କମ୍ପାନୀମାନେ ଏହାଠାରୁ ଅଧିକ ଟଙ୍କା ଆଦାୟ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚନ୍ନି ସ୍ପଷ୍ଟ କରିଛନ୍ତି ।

ଏହାସହ ଚନ୍ନି କହିଥିଲେ କି ବେଆଇନ ଭାବେ ଯେଉଁ ବସଗୁଡିକୁ ପରିମିଟ ମିଳିଛି ସେମାନଙ୍କ ଠାରୁ ପରମିଟ୍ ଫେରସ୍ତ ଅଣାଯିବ ଓ ତାହାକୁ ବେରୋଜଗାର ଯୁବକମାନଙ୍କୁ ପ୍ରଦାନ କରାଯିବ । ଏହାସହ ୧୦ ଦିନ ମଧ୍ୟରେ ନଗର ପରିଷଦ ଓ ନିଗମରେ କାମ କରୁଥିବା ସଫେଇ କର୍ମଚାରୀଙ୍କୁ ନିୟମିତ କରାଯିବ ଓ ଭର୍ତ୍ତି ପାଇଁ କଣ୍ଟାକ୍ଟ ପ୍ରଣାଳୀ ସମାପ୍ତ କରାଯାଇ ସିଧା ନିଯୁକ୍ତି ଦିଆଯିବ ।