କନକ ବ୍ୟୁରୋ: କାଟିଦେଲେ ହାତ, ହାରିଲେନି ଯୋଦ୍ଧା । ମହାମାରୀ ବେଳେ ହାତ ହରାଇଲେ କରୋନା ହିରୋ । ମେଡିକାଲରୁ ଫେରିବା ପରେ ସିପାହୀଙ୍କୁ ଭବ୍ୟ ସ୍ୱାଗତ । ବାଜା ବାଜୁଛି, ଫୁଲ ପଡୁଛି । ବିଜୟର ତିଳକ ପିନ୍ଧାଇ ତାଳିରେ ତାଳିରେ କରୋନା ଯୋଦ୍ଧାଙ୍କୁ ସ୍ୱାଗତ ଚାଲିଛି । ସ୍ୱାଗତ ସମ୍ପର୍ଦ୍ଧନାର ଏ ଭାବ ବିହ୍ୱଳ ଦୃଶ୍ୟକୁ ଯିଏ ଦେଖୁଛି ଗର୍ବରେ ତା ଛାତି ଫୁଲି ଉଠୁଛି । କାରଣ ଏ ଦୃଶ୍ୟ ପଛରେ ରହିଛି ଜଣେ କରୋନା ଯୋଦ୍ଧାଙ୍କ ସାହସୀ କାହାଣୀ । ଜଣେ ପୋଲିସ ପୁଅର ତା ମାଟି ମାଆ ପାଇଁ ଜୀବନଠୁ ବଳି କର୍ତ୍ତବ୍ୟର କଥା...
ହରଜିତ୍ ସିଂହ ! ମହାଯୁଦ୍ଧ ବେଳେ ଇଏ ଏମିତି ଜଣେ ଯୋଦ୍ଧା ଯିଏ ନିଜ ଜୀବନକୁ ବାଜିରେ ଲଗାଇ ସାହସ ଦେଖାଇଥିଲେ । ଇଏ ସେହି ହରଜିତ୍ ସିଂହ, ଯିଏ ହାରି ନଯାଇ ହୃଦୟ ଜିଣିଥିଲେ । ସାରା ଦେଶ ଯେତେବେଳେ ମହାମାରୀର ମୁକାବିଲା କରୁଛି, କରୋନା ସହ ଲଢେଇ କରୁଛି । ଠିକ ସେତିକି ବେଳେ ନିଜକୁ ସିପାହୀ ସଜାଇ ସାମ୍ନାକୁ ଆସିଥିଲେ ହରଜିତ୍ । ପଞ୍ଜାବ ପଟିଆଲା ଜିଲ୍ଲାରେ ଲକଡାଉନ ଡ୍ୟୁଟି କରୁଥିବା ବେଳେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା ।
Chandigarh: ASI Harjeeet Singh being discharged from PGIMER today. His hand was chopped off (and later replanted) fighting off an attack, while enforcing curfew at Punjab's Patiala Sabzi Mandi on April 12. DGP Punjab handed him his son's appointment letter, for Punjab Police. pic.twitter.com/d3czygr0g3
— ANI (@ANI) April 30, 2020
ଏପ୍ରିଲ ୧୨ ତାରିଖ ଦିନ ପରିବା ମାର୍କେଟରେ ତାଙ୍କ ଉପରେ କିଛି ଦୁର୍ବତ୍ତ ଆକ୍ରମଣ କରିଥିଲେ । ଆଉ ଧାରୁଆ ଖଣ୍ଡାରେ ତାଙ୍କ ହାତକୁ ହାଣି ଦିଗଡ କରିଥିଲେ । ତେବେ ଆକ୍ରମଣ ପରେ ଗୁରୁତର ସବ ଇନ୍ସପେକ୍ଟର ହରଜିତଙ୍କୁ ମେଡିକାଲ ନିଆଯାଇଥିଲା । ପ୍ରାୟ ଏକ ଘଣ୍ଟା ଧରି ତାଙ୍କର ଅପରେସନ ଚାଲିଥିଲା । ଅପରେସନ ରୁମରେ କରୋନା ଯୋଦ୍ଧାଙ୍କୁ ବଞ୍ଚାଇବାକୁ ସବୁ କଳାକୌଶଳ ଆପଣାଇଥିଲେ ଡାକ୍ତର । ପାଖାପାଖି ଘଣ୍ଟାଏ ଅପରେସନ ପରେ ତାଙ୍କ ହାତକୁ ଯୋଡି ଦେଇଥିଲେ ଡାକ୍ତର । ତେବେ ହରଜିତ ହାତ ଚାଳନା କରି ପାରୁଥିବାରୁ ୧୮ ଦିନ ପରେ ତାଙ୍କୁ ପିଜିଆଇ ମେଡିକାଲରୁ ଡିସଚାର୍ଜ କରାଯାଇଛି ।
ସେପଟେ ଯୁଦ୍ଧ ଲଢିବାକୁ ତାଙ୍କୁ ପୁଣି ଥରେ ଜିତାଇ ଦେଇଥିବା, ତାଙ୍କ ହାତକୁ ଏତେ ଶୀଘ୍ର ଭଲ କରି ଦେଇଥିବା ଡାକ୍ତର, ନର୍ସ ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀ ସହ ପୋଲିସ ବିଭାଗ ଓ ପୂରା ପଞ୍ଜାବବାସୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଲୋକଙ୍କ ଆଶିର୍ବାଦ ହିଁ ତାଙ୍କୁ ଭଲ କରିଦେଲା ବୋଲି ହରଜିତ କହିଛନ୍ତି ।
ଆଉ ଇଏ ହେଉଛି ହରଜିତ ଭଲ ହୋଇ ଘରକୁ ଫେରିବା ପରର ଦୃଶ୍ୟ । ଦେହ ଶିତେଇଲା ପରି ବାଦ୍ୟ, ଫୁଲର ବର୍ଷା ଓ ପୂରା ପରିବେଶ ହିଁ ବୟାନ କରୁଛି ହରଜିତ ନୁହେଁ ଯୁଦ୍ଧ ଜିତି ଘରକୁ ଫେରୁଛି ସିଂହ ।
ତେବେ କରୋନା ଯୁଦ୍ଧ ଲଢୁଥିବା ଡାକ୍ତର, ପୋଲିସ ପରି ଆଗ ଧାଡିର ଯୋଦ୍ଧାଙ୍କ ଉପରକୁ କେମିତି ଲୋକଙ୍କ ହାତ ଉଠି ଯାଉଛି ? ଯିଏ ନିଜ ଜୀବନ, ନିଜ ଖୁସିକୁ ଭୁଲି ଆମ ସେବା କରୁଛନ୍ତି ସେମାନଙ୍କ ପ୍ରତି କେମିତି ନୃଶଂସ ହେଉଛନ୍ତି ଲୋକେ ?