ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ବିଜେପିରେ ଯୋଗଦେଲେ ଜଣେ ବିଧାୟକ ଓ ଜଣେ ସାଂସଦ

120

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ଜଳନ୍ଧର ସାଂସଦ ସୁଶିଲ କୁମାର ରିଙ୍କୁ ଓ ଜଳନ୍ଧର ପଶ୍ଚିମ ବିଧାୟକ ଶୀତଲ ଅଙ୍ଗୁରାମ ବିଜେପିରେ ସାମିଲ ହୋଇଛନ୍ତି । ସେମାନେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟ ପହଂଚି ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପଞ୍ଜାବରେ ବିଜେପି ଏକାକୀ ନିର୍ବାଚନ ଲଢୁଥିବା ବେଳେ ଆପ୍ ଓ କଂଗ୍ରେସ ମଧ୍ୟ ଅଲଗା ଅଲଗା ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ଚଳିତ ଲୋକସଭା ନିର୍ବାଚନ ପାଇଁ ଜଳନ୍ଧର ସଂସଦୀୟ କ୍ଷେତ୍ରରୁ ଆମ୍ ଆଦମୀ ପାର୍ଟି ସୁଶିଲ କୁମାର ରିଙ୍କୁଙ୍କୁ ପ୍ରାର୍ଥୀ କରିଥିଲା । ଏହାପୂର୍ବରୁ ୨୦୨୩ ଉପ ନିର୍ବାଚନରେ ସୁଶିଲ କୁମାର ରିଙ୍କୁ ଆମ୍ ଆଦମୀ ପାର୍ଟି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

୨୦୨୩ ଉପ ନିର୍ବାଚନ ପୂର୍ବରୁ ସୁଶିଲ କୁମାର ରିଙ୍କୁ କଂଗ୍ରେସ ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଏବେ ସ୍ପଷ୍ଟ ହୋଇଛି କି, ସୁଶିଲ କୁମାର ରିଙ୍କୁ ବିଜେପି ଟିକେଟରୁ ଲୋକସଭା ନିର୍ବାଚନ ଲଢିବେ, ହେଲେ କେଉଁ ଆସନରୁ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ ।