ଆରପାରିରେ ଅନାଥଙ୍କ ମସିହା । ଝୁରୁଛି କର୍ଣ୍ଣାଟକ. କାନ୍ତିରବା ଷ୍ଟାଡିୟମରେ ରଖାଯାଇଛି ପାର୍ଥିବ ଶରୀର

351

କନକ ବ୍ୟୁରୋ : ଶୁକ୍ରବାର ଦିନ କର୍ଣ୍ଣଡ ଅଭିନେତା ପୁନୀଥ କୁମାରଙ୍କର ଦେହାନ୍ତ ହୋଇଯାଇଛି । ପୁତୀନ ଜିମ୍ରେ କସରତ କରୁଥିବା ବେଳେ ହଠାତ ହୃଦଘାତ ଆସିବାରୁ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇବା ପରେ ପୁରା କଣ୍ଣାଟକରେ ଶୋକର ଛାୟା ଖେଳିଯାଇଥିଲା ।

ପୁନୀଥଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ବଲିଉଡର ଅନେକ କଳାକାର ସମବେଦନା ଜଣାଇଛନ୍ତି । ସେପଟେ ଆଜି ପୁନୀଥଙ୍କ ଅନ୍ତିମ ସଂସ୍କାର ହେବ । ଏନେଇ ତାଙ୍କ ପାର୍ଥିବ ଶରୀରକୁ ବେଙ୍ଗାଲୋର କାନ୍ତିରବା ଷ୍ଟାଡିୟମ ଠାରେ ରଖାଯାଇଛି । ପୁନୀଥଙ୍କ ଝିଅ ଆମେରିକାର ଫେରିବା ପରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି କୁହାଯାଇଛି ।

ପୁନୀଥଙ୍କ ମୃତ୍ୟୁ ପରେ ପୁରା କର୍ଣ୍ଣାଟକ ଶୋକରେ ଥିବା ବେଳେ ରାଜ୍ୟର ସମସ୍ତ ସିନେମା ହଲ ବନ୍ଦ କରିଦିଆଯାଇଛି  । ପ୍ରଶଂସକମାନଙ୍କ ଭିଡ ରୋକିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ପୁନୀଥଙ୍କ ଶେଷ ଦର୍ଶନ କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମଇ ବି ମେଡିକାଲରେ ପହଂଚିଥିଲେ । ସବୁଠାରୁ ବଡକଥା ପୁନୀଥଙ୍କୁ ସମ୍ମାନ ଜଣାଇ କର୍ଣ୍ଣାଟକ ସରକାର ରାଜ୍ୟରେ ଦୁଇଦିନ ପାଇଁ ମଦ ବିକ୍ରି ବନ୍ଦ କରିଦେଇଛନ୍ତି ।

ପୁନୀଥ ରାଜକୁମାର କେବଳ ଜଣେ ଅଭିନେତା ନଥିଲେ । ସେ ଜଣେ ଦକ୍ଷ ସମାଜସେବକ ଭାବେ ବେଶ ନାମ କମାଇଥିଲେ । ସେ ତାଙ୍କ ରୋଜଗାରରେ ଅନେକ ଅନାଥ ଅଶ୍ରମ ଚଳାଇବା ସହ ବିଶେଷ ଭାବେ ମହିଳା ଶିକ୍ଷାକୁ ଗୁରୁତ୍ୱ ଦେଇ ଅନେକ ଗରୀବ ବାଳିକାମାନଙ୍କ ପାଠ ପଢା ଖର୍ଚ୍ଚ ବହନ କରୁଥିଲେ । ସେ ତାଙ୍କର ମୃତ୍ୟୁ ପରେ ବି ସମାଜ ପାଇଁ ଏକ ଆଦର୍ଶ ପାଲଟି ଯାଇଛନ୍ତି । ତାଙ୍କର ଦୁଇଟି ଆଖିକୁ ସେ ଦାନ କରିଛନ୍ତି । ପୁନୀଥ ଦୁନିଆରେ ନଥିଲେ ବି ତାଙ୍କ ଆଖିରେ ଅନ୍ୟ କେହି ଦୁନିଆ ଦେଖିବ ଓ ପୁନୀଥଙ୍କ ଆବର୍ତ୍ତମାନରେ ପ୍ରଶଂସକମାନେ ଅନ୍ୟର ଆଖିରେ ପୁନୀଥଙ୍କୁ ଦେଖିବେ ।