ଚକ୍ଷୁଦାନ କରି ପୁନୀତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଶଂସକ । ହସ୍ପିଟାଲ ଆଗରେ ଲମ୍ବା ଲାଇନ୍ ।

168

କନକ ବ୍ୟୁରୋ: ସାଉଥ୍ ଷ୍ଟାର୍ ପୁନିତଙ୍କ ଦେହାନ୍ତ ପରେ ତାଙ୍କ ପ୍ରଶଂସକ ଏମିତି କିଛି କାମ କରୁଛନ୍ତି ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି । ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ବଲ୍ଲାରୀ ଜିଲ୍ଲାର ମେଡିକାଲ ଅଫିସର ଚିନ୍ତାରେ । କଥା ହେଉଛି, ପୁନୀତଙ୍କ ଦେହାନ୍ତ ପରେ ତାଙ୍କର ଦୁଇ ଆଖି ଦେଇଥିଲା ୨ ଜଣ ବ୍ୟକ୍ତିଙ୍କୁ ନୂଆ ଜୀବନ । ଆଉ ଏହା ପ୍ରେରଣା ଦେଇଥିଲା ତାଙ୍କର ପ୍ରଶଂସକଙ୍କୁ ।ଆଉ ତାଙ୍କ ପରି କିଛି ବଦାନ୍ୟ କାମ କରିଯିବାକୁ ହସ୍ପିଟାଲ ଆଗରେ ଲାଗିଲା ଲମ୍ବା ଲାଇନ୍ ।

ଭିମ୍ସ ହସ୍ପିଟାଲରେ ଚକ୍ଷୁ ଦାନ ପାଇଁ ୨ ଦିନରେ ଏତେ ସଂଖ୍ୟକ ପ୍ରଶଂସକ ପହଞ୍ଚିଯାଇଥିଲେ ଯେ, ସେଠିକାର ମେଡିକାଲ ଅଫିସର ଚିନ୍ତାରେ ପଡିଯାଇଥିଲେ । ସମସ୍ତଙ୍କ ମନରେ ଗୋଟିଏ ଇଚ୍ଛା ଆମେ ବି ପୁନିତଙ୍କ ପରି ହେବୁ । ପୁନିତଙ୍କ ଅଭିନୟ ସହ ତାଙ୍କର ଲୋକଙ୍କ ସହ ସହଜ କଥାବର୍ତ୍ତା ତଥା ସରଳତା ଲୋକଙ୍କୁ ଅଧିକ ପ୍ରଭାବିତ କରୁଥିଲା । ଉଭୟ ବଲ୍ଲାରୀ ଏବଂ ବିଜୟନଗର ଜିଲ୍ଲାରେ ପୁନୀତ ଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧଂଜଳି ଜଣାଇଛନ୍ତି ପ୍ରଶଂସକ ।

କେବଳ ଏତିକି ନୁହେଁ ତାଙ୍କୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି ପ୍ରଶଂସକ । ତାଙ୍କୁ ହରାଇବା ପରେ ଆତ୍ମହତ୍ୟା କରିଛନ୍ତି ବେଙ୍ଗାଳୁରୁର ଜଣେ ପ୍ରଶଂସକ । କାରଣ ସେ ଚାହୁଁଥିଲେ ପୁନୀତ ଙ୍କ ପରି ଚକ୍ଷୁଦାନ କରିବାକୁ । ଅଭିନେତାଙ୍କ ଆଖିକୁ ନେଇ ପ୍ରତିରୋପଣ କରିବା ପରେ ବଲ୍ଲାରୀ ଏବଂ ବିଜୟନଗରର ପ୍ରଶଂସକମାନେ ଆଖି ଦାନ କରିବାକୁ ହସ୍ପିଟାଲ ଆଗରେ ଲାଇନ ଲଗାଇଥିବା ଦେଖାଯାଇଥିଲା ।