୧୯୪୭ରୁ ୨୦୨୨… ପାକିସ୍ତାନ ଫେରିବେ ‘ରୀନା’ । ୭୫ ବର୍ଷ ପରେ ପରିବାର ସହ ମିଶିବେ

452

କନକ ବ୍ୟୁରୋ : ୧୯୪୭ରୁ ୨୦୨୨… ପାକିସ୍ତାରୁ ଆସି ଦିଲ୍ଲୀରେ କଟିଲାଣି ଦୀର୍ଘ ୭୫ ବର୍ଷ । ଦଙ୍ଗା ଭୟରେ ପରିବାରଠାରୁ ଅଲଗା ହୋଇଯାଇଥିଲେ, ଏବେ ନିଜ ପରିବାର ସହିତ ମିଶିବାକୁ ଯାଉଛନ୍ତି ରୀନା ବର୍ମା । ରୀନାଙ୍କୁ ତାଙ୍କ ପରିବାର ସହ ମିଶାଇବାରେ ସୋସିଆଲ ମିଡିଆର ବଡ ଭୂମୀକା ରହିଛି । ତେବେ ଆସନ୍ତୁ ଜାଣିବା କେମିତି ରୀନା ତାଙ୍କ ପରିବାର ଠାରୁ ଅଲଗା ହୋଇଥିଲେ ଏବଂ ତାଙ୍କ ପରିବାର ସହ ପୁଣି ମିଶାଇବାରେ ସୋସିଆଲ ମିଡିଆର କଣ ଭୂମୀକା ରହିଛି ।
ପାକିସ୍ତାନ ରାୱଲପିଣ୍ଡିର ପ୍ରେମଗଳିରେ ରୀନା ବର୍ମାଙ୍କ ଘର । ସଞ୍ଚିତ ଅର୍ଥରେ ବାପା ଅତି ଯତ୍ନରେ ତିଆରି କରିଥିଲେ ଏକ ଘର । ଯେଉଁଥିରେ ତାଙ୍କ ବାପା ମାଆ, ଭାଇ ଭଉଣୀ ବେସ୍ ହସଖୁସିରେ ରହୁଥିଲେ । କିନ୍ତୁ ଅଚାନକ ସବୁକିଛି ବଦଳିଗଲା । ୧୯୪୭ ମସିହାରେ ଭାରତ ପାକିସ୍ତାନ ବିଭାଜନ ସମୟରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ରୀନାଙ୍କ ଜୀବନକୁ ବଦଳାଇ ଦେଇଥିଲା । ଦଙ୍ଗା ଯୋଗୁଁ ଅନେକ ଲୋକ ତାଙ୍କ ପରିବାର ଠାରୁ ଅଲଗା ହୋଇଯାଇଥିଲେ । ରୀନା ମଧ୍ୟ ତାଙ୍କ ପରିବାର ଠାରୁ ଅଲଗା ହୋଇଗଲେ । ଦଙ୍ଗା ଭୟରେ ପୈତୃକ ଘରକୁ ଛାଡି ଦିଲ୍ଲୀ ଚାଲିଆସିଥିଲେ ରୀନା । ଭାବିଥିଲେ ପରିସ୍ଥିତି ସ୍ୱାଭାବିକ ହେବା ପରେ ପୁଣି ନିଜ ଘରକୁ ଫେରିଯିବେ । କିନ୍ତୁ ରୀନାଙ୍କ ସ୍ୱପ୍ନ ସ୍ୱପ୍ନ ହୋଇ ରହିଯାଇଥିଲା । ଆଉ ଘରକୁ ଫେରିପାରିନଥିଲେ ରୀନା ।
ତେବେ ଦୁଇବର୍ଷ ପୂର୍ବେ ପୁରୁଣା ଘର, ପିଲାଦିନର କିଛି ସ୍ମୃତିକୁ ମନେପକାଇ ରୀନା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ରୀନାଙ୍କ ଏହି ପୋଷ୍ଟକୁ ଦେଖିଥିଲେ ରାୱଲପିଣ୍ଡିର ସାଜ୍ଜାଦ ଭାଇ । ରୀନା ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଏବଂ ଠିକଣାକୁ ଦେଖି ସଜ୍ଜାଦ ଭାଇ ବର୍ତ୍ତମାନ ସମୟର ଘରର ଫଟୋ ରୀନାଙ୍କୁ ପଠାଇଥିଲେ । ତାପରେ ରୀନା ତାଙ୍କ ଝିଅ ସୋନାଲିଙ୍କ ସହାୟତାରେ ପାକିସ୍ତାନ ଯିବା ପାଇଁ ଭିଜା ଆପ୍ଲାଏ କରିଥିଲେ । ଏବେ ରୀନାଙ୍କୁ ୯୦ ଦିନର ଭିଜ୍ଜା ମିଳିସାରିଛି । ସେ ଏବେ ପାକିସ୍ତାନ୍ ଯାଇ ପୈତୃକ ଘର ବୁଲିଆସିବାକୁ ବାହାରିଛନ୍ତି ।