କନକ ବ୍ୟୁରୋ : ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିଙ୍କୁ ଆମେ ଦିବ୍ୟାଙ୍ଗ ବୋଲି କହିଥାଉ । ଏମାନଙ୍କୁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସ୍ୱତନ୍ତ୍ର ପୋତ୍ସାହନ ଦେଇଥାନ୍ତି । ହେଲେ ସମାଜ ସେମାନଙ୍କୁ ଏକ ନିଚ୍ଚ ନଜରରେ ଦେଖିଥାଏ । ଏହାସହ ଦିବ୍ୟାଙ୍ଗମାନେ ବି ନିଜକୁ କେବେ କେବେ ସମାଜ ଓ ପରିବାର ପାଇଁ ବୋଝ ବୋଲି ଭାବିଥାନ୍ତି । ହେଲେ ଆମେ ଆଜି ଆପଣଙ୍କୁ ଏକ ରେଷ୍ଟୁରାଣ୍ଟ ବାବଦରେ କହିବାକୁ ଯାଉଛୁ । ଯେଉଁ ରେଷ୍ଟୁରାଣ୍ଟର ମାଲିକ କର୍ମଚାରୀ ଭାବେ କେବଳ ଦିବ୍ୟାଙ୍ଗମାନଙ୍କୁ ନିଯୁକ୍ତି ଦେଇଥାନ୍ତି ।

Advertisment

ଏବେ ସୋସିଆଲ ମିଡିଆରେ ପୁଣେରେ ଥିବା ଏକ ରେଷ୍ଟୁରାଣ୍ଟକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ରେଷ୍ଟୁରାଣ୍ଟରେ ପ୍ରସ୍ତୁତ ହେଉଥିବା ଖାଦ୍ୟାର ସ୍ୱାଦ ପାଇଁ ନୁହେଁ ବରଂ ଏହାର କର୍ମଚାରୀମାନଙ୍କୁ ନେଇ ଚର୍ଚ୍ଚା ହେଉଛି । ପୁଣେର ଏଫସି ରୋଡ ନିକଟରେ ଥିବା ଟେରାସିନ - କିଚେନ ଓ ବାରରେ କର୍ମଚାରୀ ଭାବେ କେବଳ ଦିବ୍ୟାଙ୍ଗମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାର ମାଲିକ । ଏହି ରେଷ୍ଟୁରାଣ୍ଟରେ କାମ କରୁଥିବା ସମସ୍ତ କର୍ମଚାରୀ ଶୁଣିବା ଓ କହିବାକୁ ଅକ୍ଷମ ।

ହୋଟେଲ କର୍ମଚାରୀମାନେ ଗ୍ରାହକମାନଙ୍କ ସହ ସଂକେତିକ ଭାଷାରେ କଥା ହୋଇଥାନ୍ତି । ଏଥିପାଇଁ ରେଷ୍ଟୁରାଣ୍ଟ ତରଫରୁ ପ୍ରତ୍ୟେକ ମେନ୍ୟୁ କାର୍ଡରେ ପ୍ରତ୍ୟେକ ଖାଦ୍ୟ ପାଇଁ ସ୍ୱତନ୍ତ୍ର ସାଂକେତିକ ଭାଷା ଲେଖାଯାଇଛି । ଅର୍ଡର ଦେବା ପାଇଁ ଗ୍ରାହକମାନେ ସେହି ସାଂକେତିକ ଭାଷା ବ୍ୟବହାର କରିଥାନ୍ତି ।

ଏହି ରେଷ୍ଟୁରାଣ୍ଟର ମାଲିକ ସପନା କାପସେ ନିଜର କର୍ମଚାରୀମାନଙ୍କୁ ଏନେଇ ଟ୍ରେନିଂ ଦେଇଥାନ୍ତି । ୱେବସାଇଟରେ ଏହି ରେଷ୍ଟୁରାଣ୍ଟକୁ ସାମାଜିକ ଭାବେ ସଚେତନତା ଆନ୍ଦୋଳନ ଭାବେ ବର୍ଣ୍ଣନା କରାଯାଇଛି । ଏନେଇ ରେଷ୍ଟୁରାଣ୍ଟର ମାଲିକ ସପନା କାପସେ କହିଛନ୍ତି କି ଆମେ ଯଦି ଛୋଟପିଲାମାନଙ୍କୀ ସାଂକେତିକ ଭାଷା ବୁଝି ପାରୁଛୁ ତେବେ ଏମାନଙ୍କ ସାଂକେତିକ ଭାଷା ବୁଝିବାରେ ଅସୁବିଧା କେଉଁଠି ?