ଆଜିଠାରୁ ପୁନେରେ ଲାଗୁ ହେବ ୧୨ ଘଂଟିଆ ନାଇଟ୍ କର୍ଫ୍ୟୁ : ସପ୍ତାହ ପର୍ଯ୍ୟନ୍ତ କଟକଣା ଲଗାଇଲା ପୁନେ ପ୍ରଶାସନ

ସେପଟେ ସ୍ଥିତି ନସୁଧୁରିଲେ ଲକଡାଉନ୍ ଏକମାତ୍ର ବିକଳ୍ପ କହିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

97

କନକ ବ୍ୟୁରୋ : ପୁଣେରେ ୧୨ ଘଂଟିଆ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜିଠାରୁ ଏହି କଟକଣା ବଳବତ୍ତର ହେବ । ସଂଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ଲାଗୁ ରହିବ କର୍ଫ୍ରୁ । ଏହି ୧୨ ଘଂଟା ମଧ୍ୟରେ ଚଳପ୍ରଚଳ ଉପରେ କଡା କଟକଣା ରହିବ । ଏହାସହ ଆସନ୍ତା ୭ ଦିନ ଯାଏଁ ବନ୍ଦ ରହିବ ବାର୍, ହୋଟେଲ, ରେଷ୍ଟୁରାଂଟ ଓ ସିନେମା ହଲ ।

ସେହିପରି ଆସନ୍ତା ୭ ଦିନ ପାଇଁ ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ନେଇ ନିଷ୍ପତି ନେଇଛି ସ୍ଥାନୀୟ ପ୍ରଶାସନ । ବିବାହ ଅନ୍ତିମ ସଂସ୍କାରକୁ ବାଦ୍ ଦେଇ ଅନ୍ୟ ସମସ୍ତ ସମାବେଶ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି । ଅନ୍ତିମ ସଂସ୍କାରରେ ସବୁଠାରୁ ଅଧିକ ୨୦ ଏବଂ ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକଙ୍କ ଉପରେ କଟକଣା ଲଗାଯାଇଛି । ଘରୋଇ ବସ୍ ସେବା ମଧ୍ୟ ପୁଣେରେ ବନ୍ଦ ରହିବ । ଆଗାମୀ ୭ ଦିନ ପରେ ସ୍ଥିତିର ସମୀକ୍ଷା ପରେ ଆଗାମୀ ନିଷ୍ପତି ନିଆଯିବ ।

ମହାରାଷ୍ଟ୍ରରେ କରୋନା ସ୍ଥିତି ଚିନ୍ତାଜନକ ଅବସ୍ଥାରେ ପହଂଚିଛି । ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ଯଦି କରୋନା ସ୍ଥିତି ଏଭଳି ରହିଲା , ତାହା ହେଲେ ଲକଡାଉନ ଫେରିପାରେ । ଆଗାମୀ କିଛିଦିନ ମଧ୍ୟରେ ଯାଂଚ ଓ କୋଭିଡ ନିର୍ଦ୍ଦେଶନାମାକୁ କଡାକଡି କରାଯିବ । ଆଉ ଏହାର ଘୋଷଣା କିଛି ଦିନ ମଧ୍ୟରେ ହେବ । ଲୋକଙ୍କ ଜୀବନ ସହିତ ନଖେଳିବାକୁ ରାଜନୈତିକ ଦଳଗୁଡିକୁ ଅପିଲ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ପୁଣି ଥରେ ଲକଡାଉନ ଲଗାଇବାକୁ ମୁଖ୍ୟ ବିରୋଧୀ ଦଳ ବିଜେପି ବିରୋଧ କରୁଛି । ଏପରିକି ସରକାରର ଅଂଶୀଦାର ଥିବା ଏନସିପି ମଧ୍ୟ ଏହା ବିରୋଧରେ ଅଛି । ଦଳ ଆଗରୁ କହିସାରିଛି, ଲକଡାଉନ ଲଗାନଯାଇ ବିକଳ୍ପ କଥା ଚିନ୍ତା କରାଯାଇପାରେ । ଏପରିକି ମହିନ୍ଦ୍ରା ଗୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ବି ଲକଡାଉନକୁ ବିରୋଧ କରିସାରିଛନ୍ତି ।

Comments are closed.