ଫୁଟିବ ବାଣ, ଉଠିବ ଗଛ… ଏଥର ଦୀପାବଳିରେ ଫୁଟାନ୍ତୁ ମଞ୍ଜି ବାଣ । ପରିବେଶକୁ ସୁରକ୍ଷିତ ରଖିବ ସିଡ୍ କ୍ରାକର…

541

କନକ ବ୍ୟୁରୋ: ବାଣ ଫୁଟିବ, ଗଛ ଉଠିବ । ସବୁଜ ହେବ ସାରା ବିଶ୍ୱ । ବାଣ କିଣନ୍ତୁ ଆଉ ପରିବେଶ ସୁରକ୍ଷିିତ ରଖନ୍ତୁ । କଥାଟା ଟିକେ ଅଡୁଆ ଅଡୁଆ ଲାଗୁଛି ନା ।  ହଁ ଅଡୁଆ ଲାଗିବା ବି ସ୍ୱଭାବିକ । କାରଣ ଆମେ ସଭିଏଁ ଜାଣିଛୁ ବାଣ ଫୁଟାଇଲେ ପରିବେଶ ପ୍ରଦୁଷିତ ହୋଇଥାଏ । ପ୍ରକୃତି ବିପଦରେ ପଡିଥାଏ । ଏସବୁ ଜାଣି ବି ଆମେ କେମିତି କହୁଛୁ ବାଣ ଫୁଟାଇବାକୁ । ନାଇଁ ଆଜ୍ଞା ଏଥର ବାଣ କିଣିଲେ ପରିବେଶ ପ୍ରଦୂଷିତ ହେବନି ବରଂ ସୁରକ୍ଷିତ ରହିବ । କାରଣ ଇଏ ବାରୁଦର ବାଣ ନୁହଁ , ଏହା ହେଉଛି ମଞ୍ଜିର ବାଣ ବା ସିଡ୍ କ୍ରାକର । ଯାହା ପରିବେଶକୁ ସୁରକ୍ଷିତ ରଖିବା ପାଇଁ ତିଆରି ହୋଇଛି ।

ଆଗକୁ ଦୀପାବଳି, ଆଲୋକର ପର୍ବ । ଦୀପାବଳୀ ଆସିଲେ ଲୋକେ ବଜାରରୁ ଲଙ୍କା ବାଣ, ରକେଟ, ଚକ୍ରି , କୁମ୍ପି, ଏମିତ ଅନେକ ଭଳିକି ଭଳି ବାଣ କିଣନ୍ତି । ଏଥର ବି ଆପଣ କିଣିପାରିବେ ସମାନ ଷ୍ଟାଇଲର ଆପଣଙ୍କ ମନ ପସନ୍ଦର ବାଣ । କିନ୍ତୁ ଏଥିରେ ନଥିବା ବାରୁଦ, ବରଂ ଥିବ ବିଭିନ୍ନ ଫୁଲ, ଫଳ, ପରିବାର ମଞ୍ଜି ।

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଯେ ଏ ମଞ୍ଜିବାଣରେ କଣ ନିଆଁ ଲଗାଯିବ ? ନାଇଁ ଆଜ୍ଞା ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ବାଣର ନକଲରେ ହୋଇଥିବା ଏ ସିଡ୍ କ୍ରାକରରେ ବାରୁଦ ସ୍ଥାନରେ ମଞ୍ଜି ରଖାଯାଇଥାଏ । ତେଣୁ ଏଥିରେ ନିଆଁ ନୁହେଁ ବରଂ ମାଟିରେ ପୋତିଦେଲେ କି କୌଣସି ସ୍ଥାନରେ ରଖି ପାଣି ଦେଲେ ଏହା ଆପେଆପେ ଫୁଟି ଗଛ ଉଠିବ ।

ତେବେ ରକେଟ ବାଣର ସୌଖିନ ରଖୁଥିବା ଲୋକ ରକେଟ କିଣିପାରିବେ କିନ୍ତୁ ଏହା ହୋଇଥିବ କାକୁଡି ରକେଟ । ନିଆଁ ଲଗାଇ ଉଡାଇବା ବଦଳରେ ଏହାକୁ ମାଟିରେ ଲଗାଇବେ । ଏଥିରୁ ଫଳିବ କାକୁଡି । ପିଲାମାନେ ଯଦି ଚକ୍ରି ବୁଲାଇବା ତେବେ ଏହା ମାଟିରେ ପଡି ପିଆଜ ଫଳିବ । ସେହିପରି ବିଭିନ୍ନ ବାଣ ଷ୍ଟାଇଲରେ ତିଆରି ହୋଇଥିବା ଏହି ଗ୍ରୀନ ବାଣରେ ରହିଛି ବାଇଗଣ , ମେଥି , ବିଲାତି ,ଲଙ୍କା ଓ ବିନ୍ସ ଭଳି ପରିବାର ମଂଜି । ମଧ୍ୟପ୍ରଦେଶର ଗ୍ରାମ ଆର୍ଟ ନାମକ ଏକ ଅନୁଷ୍ଠାନ ଏଭଳି ନିଆରା ବାଣ ତିଆରି କରି ଏବେ ଚର୍ଚ୍ଚାରେ ରହିଛି ।

ତେବେ ଦିପାବଳୀରେ ଅନଲାଇନରେ ବିକ୍ରି ହେଉଛି ଏହି ନିଆରା ବାଣ । ଆପଣ ନିଜ ବନ୍ଧୁ ପ୍ରିୟଜନଙ୍କୁ ବି ଏହାକୁ ଉପହାର ଦେଇପାରିବେ । ୨୯୯ରୁ ଆରମ୍ଭ ହୋଇ ୯୦୦ ଟଙ୍କା ଯାଏଁ ଏହି ବାଣର ମୂଲ୍ୟ ରହିଛି । ଯାହା କିଣି ପରିବେଶକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦିଆଯାଉଛି । ତେବେ ପ୍ରକୃତି, ପରିବେଶକୁ ସବୁଜ ସୁନ୍ଦର କରିବାକୁ ଆଉ ବିପଦମୁହାଁ ବିଶ୍ୱକୁ ବଞ୍ଚାଇବାକୁ ସମ୍ବାଦ ଡିଜିଟାଲ ପକ୍ଷରୁ ପୁନଶ୍ଚ ପୃଥିବୀ ଅଭିଯାନ ଆରମ୍ଭ କରି ଗଛ ଲଗାଇବାକୁ ଏ ଆନ୍ଦୋଳନ କରାଯାଉଛି । ଆଉ ସେହି ସ୍ୱପ୍ନକୁ ଏହି ସିଡ୍ କ୍ରାକର ବି ଏକପ୍ରକାର ସାକାର କରିବ । ତେଣୁ ଆସନ୍ତୁ ମଞ୍ଜିର ବାଣ ଫୁଟାଇବା, ବିଶ୍ୱକୁ ବଞ୍ଚାଇବା ।