କନକ ବ୍ୟୁରୋ: କୁହାଯାଏ ଯେତେବେଳେ ପ୍ରକୃତି ନିଜର ଭୟଙ୍କର ରୂପ ଧାରଣା ସେତେବେଳେ ଧନୀ, ଗରିବ କିଛି ଦେଖେନା । ପ୍ରାକୃତିକ ବିପର୍ଯ୍ୟୟ ଆଗରେ ହାର ମାନେ ବିଜ୍ଞାନ, ମୁଣ୍ଡପାତି ସବୁ ସହିଯାଏ ମଣିଷ । ବିଗତ ଦିନର ଘଟଣାବଳୀକୁ ଯଦି ରୋମନ୍ଥନ କରାଯାଏ ତେବେ ଅନେକ ଘଟଣା ଘଟିଛି ଯେଉଁଠି ପ୍ରକୃତିର କରାଳ ରୂପ ଦେଖି ଭୟଭୀତ ହୋଇଛନ୍ତି ଲୋକେ । ଜଳବାୟୁ ପରିବର୍ତ୍ତନର ଜ୍ୱାଳା ସହିଛି ପୃଥିବୀ । ବିଶ୍ୱ ତାପନ ହେଉ କି ଅପ୍ରତ୍ୟାଶିତ ପାଣିପାଗର ପରିବର୍ତ୍ତନ । ଏସବୁ, ପ୍ରାକୃତିକ ବିପର୍ଯ୍ୟୟର କାରଣ ସାଜୁଛି ଆଉ ପୃଥିବୀ ପ୍ରତି ବିପଦ ବଢଇ ବଢି ଯାଉଛି । କେବେ ଝଡ ବାତ୍ୟାର ସାମ୍ନା କରୁଛି ପୃଥିବୀ ତ କେବେ ପୃଥିବୀ ଛାତିରେ ସୃଷ୍ଟି ହେଉଛି ପ୍ରଳୟଙ୍କାରୀ ବନ୍ୟା । ଭୂକମ୍ପର ଝଟକାରେ ବି ଥରହର ହେଉଛି ଏ ପୃଥିବୀ ପୃଷ୍ଠ । ଆଉ ସମସ୍ତ ବିପର୍ଯ୍ୟୟକୁ ପ୍ରକୃତି ଯେତିକି ସହୁଛି ସେତିକି ବିପଦମୁଖୀ ହେଉଛି ବିଶ୍ୱ ।

Kanak News is now on WhatsApp
Join and get latest news updates delivered to you via WhatsApp
ମଣିଷ ନିଜ ଦୈନନ୍ଦୀନ ବ୍ୟବହାର ପାଇଁ ନିଜ ଭବିଷ୍ୟତକୁ, ନିଜ ପରପିଢିକୁ ବିପଦରେ ପକାଉଛି । ସୁବିଧାବାଧୀ ମନୋଭାବ ପାଇଁ ପରିବେଶକୁ ସଙ୍କଟରେ ପକାଉଛି । ରାତି ପାହିବାଠୁ ରାତି ସରିବା ଯାଏଁ ମାନବ ସମାଜ ଏମିତି କିଛି କାମ କରୁଛି ଯାହା ଦ୍ୱାରା ସେହି କାର୍ଯ୍ୟକଳାପ ପରବର୍ତ୍ତୀ ସମୟରେ ଭାରି ପଡୁଛି । ଅତ୍ୟଧିକ ପଲିଥିନ ବ୍ୟବହାର ପାଇଁ ନଦୀ, ନାଳ, ସମୁଦ୍ର, ମାଟି, ପାଣି ବି ବିଷାକ୍ତ ହେଉଛି । ଯଦିଓ ପଲିଥିନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ତଥାପି ଅମାନିଆ ହୋଇ ଅନେକ ସାହି ବଦଭ୍ୟାସକୁ ଛାଡି ପାରୁ ନାହାନ୍ତି । ଯାହା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି । ମୃତିକା ପ୍ରଦୂଷଣ ହେଉଛି ।
ଜଳବାୟୁ ପରିବର୍ତ୍ତନ ପାଇଁ ବିପର୍ଯ୍ୟୟ ଆସେ, ଆଉ ବିପର୍ଯ୍ୟୟ ପାଇଁ ଦୋହଲିଯାଏ ଆର୍ଥିକ ସ୍ଥିତି । ତେଣୁ ଜଳବାୟୁ ପରିବର୍ତ୍ତନ ବି ଦେଶ ଓ ବିଶ୍ୱର ଆର୍ଥିକ ମେରୁଦଣ୍ଡ ଉପରେ ଭାରି ପ୍ରଭାବ ପକାଏ । ଆନ୍ତର୍ଜାତୀୟ ସଂଗଠନ ଖ୍ରୀଷ୍ଟିଆନ ଏଡ୍ ‘କାଉଣ୍ଟିଙ୍ଗ ଦ କଷ୍ଟ ୨୦୨୧: ଦ ଇୟର ଅଫ୍ କ୍ଲାଇମେଟ ବ୍ରେକଡାଉନ’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ୨୦୨୧ ମସିହାରେ ହୋଇଥିବା ଜଳବାୟୁ ସମ୍ବନ୍ଧୀୟ ୧୫ଟି ବିପର୍ଯ୍ୟୟ ବିଷୟରେ ଲେଖାଯାଇଛି। ୧୫ରୁ ୧୦ଟି ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନ ପାଇଁ ହୋଇଥିବା ବେଳେ ପ୍ରତ୍ୟେକ ବିପର୍ଯ୍ୟୟ ପାଇଁ ୧୧,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ମେ ୧୪ରୁ ୧୯ ମଧ୍ୟରେ ହୋଇଥିବା ବାତ୍ୟା ‘ତଉତେ’ ଭାରତ, ଶ୍ରୀଲଙ୍କା ଏବଂ ମାଲଦ୍ୱୀପରେ ବ୍ୟାପକ କ୍ଷତି କରିଥିଲା। ଏହି ବାତ୍ୟା ଯୋଗୁଁ ୧୯୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଲକ୍ଷରୁ ଅଧିକ ଲୋକ ଭୂମିହୀନ ହୋଇପଡିଥିଲେ। କେବଳ ଏତିକି ନୁହେଁ, ଏହି ବାତ୍ୟା ଯୋଗୁଁ ଦକ୍ଷିଣ ଏସିଆ ଦେଶମାନଙ୍କୁ ପ୍ରାୟ ୧୧,୨୪୩ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏହା ପରେ ପରେ ବାତ୍ୟା ୟାସ ଭାରତ ଓ ବାଙ୍ଗଲାଦେଶକୁ କଲବଲ କରିଥିଲା। ୟାସ ଯୋଗୁଁ ଦେଶ ମଧ୍ୟ ବହୁ କ୍ଷତି ସହିଥିଲା। ରିପୋର୍ଟ କୁହେ ‘ୟାସ୍’ କାରଣରୁ ପ୍ରାୟ ୧୯ ଜଣ ଲୋକ ଉଭୟ ଦେଶରେ ପ୍ରାଣ ହରାଇଥିବାବେଳେ ୧.୨ ମିଲିୟନ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ିଥିଲା। ଏହା ସହ ପ୍ରାୟ ୨୨,୪୮୭ କୋଟି ଟଙ୍କାର କ୍ଷତି ଦୁଇଟି ଦେଶକୁ ସହିବାକୁ ପଡ଼ିଥିଲା।
ଏହି ରିପୋର୍ଟରୁ ଅନୁମାନ କରିହେଉଛି ଯେ ପ୍ରାକୃତିକ ବିପର୍ଯ୍ୟୟ ଜୀବନକୁ ଯେତିକି ପ୍ରଭାବିତ କରେ ଜୀବୀକାକୁ ସେତିକି ଦୋହଲାଇ ଦିଏ । ତେଣୁ ବହୁତ ହୋଇଗଲା ଅବହେଳା । ବହୁତ ହୋଇଗଲା ପ୍ରକୃତି ସହ ଖେଳ । ନିଜ ସୁବିଧା ପାଇଁ ପରିବେଶ ସହ ସାଙ୍ଘାତିକ ଖେଳ ଖେଳି ସାରିଥିବା ମଣିଷ ପାଇଁ ଏବେବି ସୁଯୋଗ ଅଛି ସୁଧୁରିଯିବା ପାଇଁ । କାରଣ ଏବେଠୁ ନସୁଧୁରିଲେ ଆଗାମୀ ଦିନ ମାନଙ୍କରେ ଅନେକ ପସ୍ତେଇବାକୁ ପଡିପାରେ । ତେଣୁ ବେଳହୁ ସାବଧାନ ।
୨୦୨୧ ତ ବିଦାୟ ନେଇଛି ଆସନ୍ତୁ ବିଗତ ଦିନରେ ଯେଉଁ ଭୁଲ ଆମେ କରିଛୁ, ନିଜ ବ୍ୟାବହାରିକ ଆଚରଣରେ ଯେଉଁ ଶାସ୍ତି ଆମେ ପ୍ରକୃତିକୁ ଦେଇଛୁ ତାର ପ୍ରାୟଶ୍ଚିତ କରିବା । ସମ୍ବାଦ ଡିଜିଟାଲର ପୁନଶ୍ଚ ପୃଥିବୀ ଅଭିଯାନରେ ନିଜକୁ ସାମିଲ କରି ପରିବେଶ, ପ୍ରକୃତିର ରକ୍ଷା କରିବାକୁ ସଙ୍କଳ୍ପ ନେବା । ବିପଦ ମୁହାଁ ବିଶ୍ୱକୁ ବଞ୍ଚାଇବାକୁ ଅଣ୍ଟା ଭିଡିବା । ସମସ୍ତଙ୍କ ସହଯୋଗରେ ହିଁ ସୁରକ୍ଷିତ ରହିବ ପ୍ରକୃତି । ହସିବ ଏ ଧରଣୀ । ଆସନ୍ତୁ ହାତ ମିଳେଇବା, ପ୍ରକୃତିର ପୂଜା କରିବା ।