ଯେତେ ଗଛ ଲଗାଇବ, ସେତେ ସୁନ୍ଦର ପ୍ରକୃତି ପାଇବ । ସୋସିଆଲ ମିଡିଆର ଫଟୋ ଦେଲା ପରିବେଶ ସୁରକ୍ଷାର ଶିକ୍ଷା…

126

କନକ ବ୍ୟୁରୋ: କୁହାଯାଏ ବାପା ଯେଉଁ କର୍ମ କରିଥାନ୍ତି ତାହା ପୁଅମାନେ ପ୍ରାପ୍ତ ହୁଅନ୍ତି । ଅର୍ଥାତ ଭଲ କର୍ମ କରିଥିଲେ ଭଳ ଫଳ ମିଳେ, ଖରାପ କାମ କରିଥିଲେ ପୁଅକୁ କାଳ ହୁଏ । ବାପ-ପୁଅ ସମ୍ପର୍କକୁ ନେଇ ଅନେକ କଥାନଥା, କାହାଣୀ ତ ଆପଣ ଶୁଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ କେଉଁ କାହାଣୀ ନୁହେଁ ବରଂ ଏକ ଚିତ୍ର ଦେଖାଇବୁ ଆଉ ବୁଝେଇବାକୁ ଚେଷ୍ଟା କରିବୁ । ଏ କଥାକୁହା ଫଟୋକୁ ଦେଖନ୍ତୁ ଆଉ ବୁଝନ୍ତୁ ଚିତ୍ର ପଛର ଚମକ୍ରାର କଥାଟିକୁ । ଏ ଫଟୋରେ ଦୁଇଟି ପିଢିର କଥାକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ପ୍ରଥମ ଚିତ୍ରରେ ଜଣେ ବାପା ମାଟିର ଛାତି ଉପରେ ଗଛଟେ ଲଗାଇ, ତା ମୂଳରେ ପାଣି ଦେଇ ପୁଅକୁ ତାର ମହନୀୟତା କଥା ବଖାଣୁଛନ୍ତି । ଆଉ କହୁଛନ୍ତି ପୁଅରେ ଦିନ ଆସିବ ଜୀବନରେ ଗଛର ଗୁରୁତ୍ୱକୁ ତୁ ବୁଝି ପାରିବୁ ।

ଆଉ ୨ୟ ଚିତ୍ରରେ ପୁଅଟି ଯେବେ ବଡ ହେଉଛି, ବାପା ହେଉଛି ଆଉ ତା ପୁଅକୁ ସେ ସେହି ଗଛରେ ଦୋଳିରେ ଝୁଲାଉଛି । ବାପା ନାହାନ୍ତି ସତ ହେଲେ ସେ ଲଗାଇ ଯାଇଥିବା ଗଛ ଆଜି ବଡ ହୋଇ ତାଙ୍କୁ ଛାଇ ଦେଉଛି, ଅମ୍ଳଜାନ ଦେଉଛି । ସେ କରିଥିବା ପୂଣ୍ୟ ତାଙ୍କ ପରପିଢି ଉପଭୋଗ କରୁଛି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏ ଚିତ୍ର ଅନେକ ଶିକ୍ଷା ଦେଉଛି । ଏ ଫଟୋକୁ ହଜାର ହଜାର ଲୋକ ସେୟାର ବି କରୁଛନ୍ତି । ହେଲେ ସତରେ କଣ ଆମେ ପରିବେଶର ସୁରକ୍ଷା କଥା ଭାବୁଛେ, ପରିବେଶ ପାଇଁ କାମ କରୁଛେ । ନା ଖାଲି ଫେସବୁକ ପୋଷ୍ଟ କରି ପ୍ରକୃତି ପ୍ରତି ଛଳନା କରୁଛେ ।

ଗଛ ଲଗାଇବା, ଗଛର ସୁରକ୍ଷା କରିବା, ଗଛର ଯତ୍ନ ନେବା କଥା ଆମେ ପିଲାବେଳୁ ଶିଖୁଛୁ । ପାଠ୍ୟ ପୁସ୍ତକରେ ବି ଗଛ ଆମର ବନ୍ଧୁ, ମିତ୍ର ବୋଲି ପଢା ହେଉଛି । କିନ୍ତୁ ବୟସ ବଢିବା ସହ ଗଛ ଲତା ସହ ଆମ ସମ୍ପର୍କ ଧିରେଧିରେ କମି କମି ଯାଉଛି । ମଣିଷ ଯେତେ ଆଧୁନିକ ହେଉଛି ସେତେ ଜଙ୍ଗଲ ନଷ୍ଟ କରୁଛି, ଗଛ କାଟି ଦେଉଛି । ନିଜ ସ୍ୱାର୍ଥ ସାଧନ ପାଇଁ ପରିବେଶ ସହ ସାଙ୍ଘାତିକ ଖେଳ ଖେଳୁଛି ମାନବ ସମାଜ । ଯାହାର ଫଳ ବି ଆମକୁ ଭୋଗିବାକୁ ପଡୁଛି ପ୍ରକୃତି ପାଖରୁ ।

ଏବେ ଖରା ଦିନ । ରାସ୍ତା କଡେ ଗଛ ହଜିହଜି ଯାଉଛି ବୋଲି ଟାଇଁ ଟାଇଁ ଖରା ସହୁଛି ବାଟୋଇ । ଜଙ୍ଗଲ ବି ଜଳିବାର ସମ୍ଭାବନା ରହିଛି । ଅନେକ ସ୍ଥାନରେ ଜଙ୍ଗଲ ଜଳିବାର ଖବର ବି ଆସିଲାଣି । କିଛି ଜଙ୍ଗଲ ଜଳିବା ମନୁଷ୍ୟକୃତ ଭାବେ ହେଉଥିବା ବି ଅଭିଯୋଗ ହୁଏ । ଜଙ୍ଗଲ ଜଳେ, ଉତ୍ତାପ ବଢେ, ଜୀବଜନ୍ତୁ ମରନ୍ତି, ପରିବେଶ ସନ୍ତୁଳନ ହରାଏ । ଏମିତି ଅନେକ କ୍ଷତି ସହେ ପୃଥିବୀ । ତେଣୁ ସମୟ ଆସିଛି ନିଜକୁ ପରିବର୍ତ୍ତନ କରିବାର, ପରିବେଶ ପ୍ରକୃତି ପ୍ରତି କିଛି ସମୟ ବାହାର କରିବାର । ଖରା ଦିନେ ସମସ୍ତଙ୍କୁ ଅନୁରୋଧ ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ, ଯଦି କେଉଁଠି ଜଙ୍ଗଲ ଜଳୁଛି ତେବେ ତାହାକୁ ଲିଭାଇବା ପାଇଁ ଉଦ୍ୟମ କରନ୍ତୁ । ଜଙ୍ଗଲର ଯତ୍ନ ନେବାକୁ ସଚେତନ କରନ୍ତୁ । ଏମିତି କଲେ ସମ୍ବାଦ ଡିଜିଟାଲର ଅଭିନବ ପ୍ରୟାସ ପୁନଶ୍ଚ ପୃଥିବୀର ପରିକଳ୍ପନା ସତ ହେବା ସହ ନିଜ ପରପିଢି ପାଇଁ ସାଇତା ରହିବ ଏକ ସୁନ୍ଦର ପୃଥିବୀ ।