କନକ ବ୍ୟୁରୋ:ପଲିଥିନ... ପିଲିଥିନ... ପଲିଥିନ... ସବୁଠି ପଡିଛି ପଲିଥିନ, ଚାରିଆଡେ ଦିଶୁଛି ପଲିଥିନ । ଦୋକାନ ବଜାରରେ ପଲିଥିନ, ନଈନାଳରେ ପଲିଥିନ, ଗାଁଠୁ ସହର ସବୁଆଡେ କୁଢକୁଢ ପଲିଥିନର ପାହାଡ । ଆଉ ଏହି ପ୍ଲାଷ୍ଟିକ ହିଁ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ । ପ୍ରକୃତିକୁ ବିପଦମୁହାଁ କରିବାର ବଡ କାରଣ । ସମଗ୍ର ବିଶ୍ୱ ଏବେ ପ୍ରଦୂଷଣର ଜାଲରେ ଛନ୍ଦି ହୋଇପଡିଛି । ଯେଉଁଥିପାଇଁ ଏ ମଣିଷ ସମାଜ ସମ୍ପୂର୍ଣ୍ଣ ଦାୟୀ । ମଣିଷର ଦୈନନ୍ଦୀନ କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପଲିଥିନ ଅପରିହାର୍ଯ୍ୟ ହୋଇଯାଇଥିବାରୁ ଏହା ପରିବେଶ ପାଇଁ ବିପଦ ଆଣୁଛି...
ଖାଦ୍ୟ ଆଣିଲେ ପଲିଥିନ, ପରିବା ଆଣିଲେ ପଲିଥିନ, ରାସନ ସାମଗ୍ରୀ ହେଉ ଲୁଗାପଟା ମଣିଷ ଯାହା ବି କିଛି ବଜାରରୁ ଘରକୁ ଆଣେ ପଲିଥିନ ବିନା ତାହା ସମ୍ଭବ ହୁଏନା । ସ୍ଥିତି ଏମିତି ହୋଇଛି ହାଟ ବଜାରକୁ ବାହାରିଲେ ଆଉ ଲୋକେ ବ୍ୟାଗ ଧରି ଯାଉ ନାହାନ୍ତି ବରଂ ଖାମଖିଆଲି ହୋଇ ହାତରେ ପଲିଥିନ ଭର୍ତ୍ତି ସାମଗ୍ରୀ ଆଣୁଛନ୍ତି । ମଣିଷର ଏହି ସୁବିଧାବାଦୀ ବ୍ୟବହାର ପାଇଁ ମାଟି ମାଆ, ପ୍ରକୃତି, ପରିବେଶ ଅସୁବିଧା ଭୋଗୁଛି ।
ମାତ୍ରାଧିକ ପଲିଥିନର ବ୍ୟବହାର ଓ ତା ପରେ ଉକ୍ତ ଅବ୍ୟବହୃତ ପ୍ଲାଷ୍ଟିକକୁ ଏଣେତେଣେ ଫୋପାଡିବା ଯୋଗୁଁ ସେହି ପଲିଥିନ ଉଡି ଉଡି ବିଭିନ୍ନ ସ୍ଥାନରେ ପଡିଥାଏ । ପୋଖରୀ, ନାଳ, ନର୍ଦ୍ଦମା, ନଈ, ରାସ୍ତାକଡରେ ଜମିଥାଏ । ପ୍ଲାଷ୍ଟିକ ପାଇଁ ଡ୍ରେନ ଜାମ ହୁଏ, ନଦୀ ପାଣି ବିଶାକ୍ତ ହୁଏ, ଜଳ ନିଷ୍କାସନ ସମସ୍ୟା ଦେଖାଦିଏ, ଗୋରୁ ଗାଈ ସେହି ପଲିଥିନକୁ ଖାଇ ମୃତ୍ୟୁବରଣ ବି କରନ୍ତି ।
ତେବେ ସମାଜରେ ପଲିଥିନର ବହୁଳ ବ୍ୟବହାରରେ ବ୍ରେକ ଲଗାଇବା ପାଇଁ ୨୦୧୯ ଅକ୍ଟୋବର ୨ରୁ ଓଡିଶାରେ ସରକାର ପଲିଥିନ ବ୍ୟାନ କରିଥିବା ବେଳେ କେଇମାସର କଣକଣା ପରେ ପୁଣି ପ୍ଲାଷ୍ଟିକ ବ୍ୟାନକୁ ବାଏ ବାଏ କରିଦେଲେ ଲୋକେ । ପୂର୍ବପରି ବଜାରରେ ହାଉଜାଉ ହେଲା ପଲିଥିନ । ସମସ୍ତଙ୍କ ହାତରେ ଦେଖିବାକୁ ମିଳିଲା ପ୍ଲାଷ୍ଟିକ । ପଲିଥିନ ବ୍ୟାନ କରି ଯେଉଁ ବିପଦରୁ ପୃଥିବୀକୁ ରକ୍ଷା କରିବାକୁ ପ୍ରୟାସ ଆରମ୍ଭ ହୋଇଥିଲା ତାହା ପୁଣି ବିପଦମୁହାଁ ହୋଇଗଲା ।
ତେବେ ଆସନ୍ତୁ ଗୋଟେ ସୁନ୍ଦର ପୃଥିବୀ, ଗୋଟେ ସବୁଜ ଓ ଶାନ୍ତ ପରିବେଶ ଗଢି ତୋଳିବାକୁ ସରକାରଙ୍କ ନିୟମ ତ ମାନିବା ସବୁପରେ ନିଜ ପ୍ରକୃତି, ନିଜ ସ୍ୱଭାବ, ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବା । ତାହାଲେ ଯାଇ ଆମେ ଆମ ପୃଥିବୀକୁ ସୁରକ୍ଷିତ ରଖିପାରିବା । ତେବେ ଡେରି କାହିଁକି ସମ୍ବାଦ ଡିଜିଟାଲର ପୁନଶ୍ଚ ପୃଥିବୀ ଅଭିଯାନରେ ନିଜକ ସାମିଲ କରି ଏବେ ଠୁ ହିଁ ପଲିଥିନିକୁ କରନ୍ତୁ ପର ।