କନକ ବ୍ୟୁରୋ : ରାଜସ୍ଥାନରେ ବନ୍ୟା ଓ ଚେରାପୁଞ୍ଜିରେ ହ୍ରାସ ପାଉଥିବା ବର୍ଷା ସୂଚାଇ ଦେଉଛି ଯେ ଧିରେ ଧିରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ଅଦିନରେ ବର୍ଷା ଓ ଅବେଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସଭିଙ୍କୁ ଚିନ୍ତାରେ ପକାଇଛି । ଏନେଇ ଅନେକ ଜଳବାୟୁକୁ ଦୋଷ ଦେଉଥିବା ବେଳେ ଏହା ପରୋକ୍ଷରେ ମନୁଷ୍ୟକୃତ ବୋଲି ଯୁକ୍ତି ବାଢିଲେଣି ବିଶେଷଜ୍ଞ । ପୁନଶ୍ଚ ପୃଥିବୀର ଜାତୀୟ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ନେଇ ଅନେକ ଆଲୋଚନା ହେଉଥିବା ବେଳେ ଏଥିପାଇଁ ମଣିଷର ଜୀବନଶୈଳୀ ମଧ୍ୟ ଦାୟୀ ବୋଲି କହିଛନ୍ତି ଓଇଆରସି ଅଧ୍ୟକ୍ଷ ପ୍ରଦୀପ ଜେନା । ‘ପୁନଶ୍ଚ ପୃଥିବୀ’ ମାଧ୍ୟମରେ ବିଶ୍ବସ୍ତରୀୟ ଜଳବାୟୁ ପରିବର୍ତ୍ତନକୁ ଗ୍ରାମ୍ୟସ୍ତରରେ ପହଞ୍ଚାଇ ପାରିବା ସହ ସମସ୍ତଙ୍କୁ ଏକାଠି କରି ଜଳବାୟୁ ପ୍ରତିରୋଧୀ କାମକୁ ପ୍ରଭାବୀ ଢ଼ଙ୍ଗରେ କରିବାରର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଜଳବାୟୁ ପରିବର୍ତ୍ତନ ଆଲୋଚନା ସମୟରେ ସହରର ବଦଳୁଥିବା ପାଣିପାଗ ବିଷୟରେ ବି ହୋଇଥିଲା ଚର୍ଚ୍ଚା । ଧିରେ ଧିରେ ସହରର ପରିସୀମା ବଢୁଛି । ଜନସଂଖ୍ୟା ବଢିଚାଲିଛି । ରାସ୍ତାରେ ଗଡୁଛି ଅସଂଖ୍ୟ ଗାଡି । ଭୁବନେଶ୍ବରରେ ତାପମାତ୍ରା ବଢ଼ିବାରେ ଲାଗିଛି । ଗରମରୁ ମୁକ୍ତି ପାଇବା ପାଇଁ ଘରେ ବଢୁଛି ଏସି ସଂଖ୍ୟା । ଅନେକ ଛାତର ସୁରକ୍ଷା ପାଇଁ କଳା ରଙ୍ଗର ଏକସ୍ତର ଲଗାଇବାରୁ ଗରମ ବି ବଢୁଛି । ଭୁବନେଶ୍ବରରେ ସବୁଜିମା ଏବଂ ଜଳଉତ୍ସ ସଂଖ୍ୟା କମିବା ସହିତ କଂକ୍ରିଟ ବୃଦ୍ଧି ପାଉଛି । ତେବେ ଅଧିକ ସବୁଜିମା କରିବା ସହ ସହରର ତାପମାତ୍ରାକୁ ହ୍ରାସ କରାଯାଇ ପାରିବ ବୋଲି କହିଛନ୍ତି ବିଶେଷଜ୍ଞ ।
ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ସରକାର ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି । ଦୁର୍ବିପାକ ପରେ କେତେ କ୍ଷତି ହେଲା ତାର ଆକଳନ ବି କରନ୍ତି, କିନ୍ତୁ କ୍ଷତିକୁ କିଭଳି ଅଟକା ଯାଇପାରିବ ତାହା ସରକାରଙ୍କ ପାଇଁ ବଡ ଆହ୍ବାନ ଥାଏ । ଏହି ପ୍ରସଙ୍ଗରେ ବି ହୋଇଛି ଆଲୋଚନା । ତେବେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାର କ୍ଷତିଭରଣା କରୁଛନ୍ତି । ଯେତେବେଳେ ଆମେ ବନ୍ୟା, ଝଡ଼, ଖରା, ବର୍ଷା ଅଭାବ ଭଳି ଚର୍ଚ୍ଚା କରୁ ସେତେବେଳେ ଆଖି ସାମ୍ନାରେ ଭଙ୍ଗା ଘର, ଫସଲ ନଷ୍ଟ ଭଳି ଦୃଶ୍ୟ ଆଖି ସାମ୍ନାକୁ ଆସେ । କିନ୍ତୁ ଏହା ପଛରେ ରହିଥାଏ ଅନେକ ଅଦୃଶ୍ୟ କ୍ଷତି । ଲୋକମାନଙ୍କ ଜୀବିକା ହରାଇବା,ଚାକିରି ନଥିବାରୁ ଅନ୍ୟ ରାଜ୍ୟକୁ ଚାଲିଯିବା, ପିଲାମାନେ ପାଠ ଛାଡ଼ିଦେବା, ମହିଳାମାନଙ୍କ ଉପରେ ଚାପ ଓ ମାନସିକ ରୋଗ ବଢିଯାଏ । ଏସବୁ ଦିଗରେ ସରକାରୀସ୍ତରରେ ଅଧିକ କାର୍ଯ୍ୟ କରିବାର ଆବଶ୍ୟକତା ଥିବା ବିଶେଷଜ୍ଞ ମତ ଦେଇଛନ୍ତି ।