ପ୍ରକୃତିର ସୁରକ୍ଷା କବଚ ସାଜିଛି ବାଉଁଶ ଗଛ । ଉଜୁଡି ଯାଇଥିବା ଜଙ୍ଗଲକୁ ସଜାଡିବାକୁ ବାଉଁଶ ବନିଛି ବରଦାନ ।

232

କନକ ବ୍ୟୁରୋ: ଉଜୁଡିଯାଇଥିବା ଜଙ୍ଗଲକୁ ସଜାଡୁଛି ସବୁଜ ସୁନା । ମୁଣ୍ଡିଆ ପାହାଡରେ ହସୁଛି ପ୍ରକୃତିରାଣୀ । ମାଟିରୁ ପାହାଡ, ସବୁଠି ପ୍ରକୃତି ଓ ପରିବେଶକୁ ବଞ୍ଚାଇ ରଖିବାର ପ୍ରୟାସ । ସୁରକ୍ଷା ଦେବାର ସଙ୍କଳ୍ପ । ଏହି ଉଦ୍ୟମ ପାହାଡି ଇଲାକାରେ ଧିରେଧିରେ ସଫଳ ହେବାର । ଆଦିବାସୀ ଅଧ୍ୟୁସିତ ପାହାଡ ପର୍ବତ ଘେରା ଗଜପତି ଜିଲ୍ଲାରେ ସଫଳ ରୂପାୟନ ହୋଇଛି ବାଉଁଶ ବନୀକରଣ ଯୋଜନା । ଅଳ୍ପ ସମୟରେ ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ପାରଳାଖେମୁଣ୍ଡି ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଉଛି ବାଉଁଶ ଗଛ ।

ପାରଳାଖେମୁଣ୍ଡି ଚନ୍ଦ୍ରଗିରି ବନାଞ୍ଚଳର ଆମ୍ବିଳିଆମ୍ବ ଠାରେ ଥିବା ଏହି ସ୍ଥାନର ୩୦ ହେକ୍ଟର ସରକାରୀ ଜଙ୍ଗଲ ଜମିରେ ବନ ବିଭାଗ ପକ୍ଷରୁ ୧୨ ହଜାରରୁ ଅଧିକ ବାଉଁଶ ଗଛ ରୋପଣ କରାଯାଇଛି । ୨୦୧୯ରୁ ଆଜି ଯାଏଁ ବାଉଁଶ ଚାରା ଲଗାଇ ପାହାଡି ଇଲାକାକୁ ଜଙ୍ଗଲରେ ପରିଣତ କରିବାକୁ ଚେଷ୍ଟା କରାଯାଉଛି । ପୂର୍ବରୁ ଫଳ, ଔଷଧୀୟ ଏବଂ ବୁଦା ଜାତୀୟ ବୃକ୍ଷ ଲଗାଯାଉଥିଲେ ବି ଅନୁକୂଳ ବାତାବରଣରେ ବାଉଁଶ ଗଛ ଜଲଦି ବଢୁଥିବାରୁ ଏବେ ବାଉଁଶ ସାଜିଛି ପ୍ରକୃତି ପାଇଁ ବରଦାନ ।

ଅନ୍ୟଗଛ ତୁଳନାରେ ବାଉଁଶ ଗଛ ଦୃତ ଗତିରେ ବଢେ । ଘନତ୍ୱ ଦୃଷ୍ଟିରୁ ଯେତେବଡ ପ୍ରାକୃତିକ ବିପର୍ଯ୍ୟୟ ହେଲେ ବି ଏହା ପ୍ରକୃତିକୁ ସୁରକ୍ଷା ଦେବାରେ ସାହାଯ୍ୟ କରେ । ଜଳବାୟୁ ସନ୍ତୁଳନରେ ଏହା ମୁଖ୍ୟ ଭୂମିକା ନିଭାଉଥିବା ବେଳେ ବାଉଁଶ ଗଛ ତୃଣଭୋଜି ପ୍ରାଣୀଙ୍କ ପାଇଁ ଖାଦ୍ୟ ବନିଥାଏ । ବାଉଁଶ ଗଛ ପ୍ରକୃତି ପାଇଁ ଯେତିକି ଲାଭ ଦାୟକ, ସେତିକି ଆଦିବାସୀ ଜନଜୀବନ, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମଧ୍ୟ ଲାଭ ଦାୟକ । ତେଣୁ ପାହାଡି ଅଞ୍ଚଳରେ ବାଉଁଶ ଚାରା ରୋପଣ କରାଯାଉଥିବାରୁ ଏବେ ଖୁସି ଅଛନ୍ତି ସ୍ଥାନୀୟ ଲୋକେ ।

ତେବେ ପୃଥିବୀ, ପରିବେଶ ଓ ପ୍ରକୃତି ସୁରକ୍ଷା ପାଇଁ ସମ୍ବାଦ ଡିଜିଟାଲ ପକ୍ଷରୁ ପୁନଶ୍ଚ ପୃଥିବୀ ନାଁରେ ମହତ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଏହି ଅଭିଯାନକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଉଛି । ଆମ ଭବିଷ୍ୟତ ପାଇଁ, ଆମ ଆଗାମୀ ପିଢି ପାଇଁ ଆଉ ଗୋଟେ ମୁକ୍ତ ପରିବେଶରେ ଜୀବନଯାପନ ପାଇଁ ପୁନଶ୍ଚ ପୃଥିବୀ ମାଧ୍ୟରେ ଗଛ ଲଗାଇବା ଓ ପ୍ରକୃତିକୁ ସୁରକ୍ଷା ଦେବାକୁ ଅନୁରୋଧ କରାଯାଉଛି । ତେଣୁ ଆସନ୍ତୁ ଏହି ଅଭିଯାନରେ ସାମିଲ ହେବା, ନିଜ ଘର, ବାଡି. ବିଲ, ରାସ୍ତା କଡରେ ଗଛ ଲଗାଇବା । ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବା ।