କନକ ବ୍ୟୁରୋ: ବରଗଛର କଥା ଉଠିଲେ ଆଖି ସାମ୍ନାରେ ଆଙ୍କି ହୋଇଯାଏ ଗାଁର ଚିତ୍ର । ଗାଁ ମଝିର, ଗାଁ ମୁଣ୍ଡର ବୁଢ଼ା ବରଗଛ ହେଉ କି ଥୁଣ୍ଟା ବରଗଛ । ଛାଏଁ ଛାଏଁ ଆଖିରେ ନାଚିଯାଏ ପ୍ରତିଛବି । ବରଗଛ ବାଟୋଇର ବିଶ୍ରାମସ୍ଥଳ, ଥକି ପଡିଥିବା ଫେରିବାଲାର ବଳ । ନିଛାଟିଆ ରାସ୍ତାର ଏକମାତ୍ର ଆଶା । ବରଗଛ ଗାଁଗଣ୍ଡାର ବଳିଷ୍ଠ ମୁକସାକ୍ଷୀ । ଏଇ ବରଗଛ ମୂଳେ ଖଟି ଜମେ, ପଞ୍ଚାୟତ ବସେ, ନ୍ୟାୟ ନିଶାପ ହୁଏ । ଚୋରା ପୀରତିର ବି ସାକ୍ଷୀ ସାଜେ ବରଗଛ, ପୂଜା ପାର୍ବଣରେ ବିଶ୍ୱାସର ପ୍ରତୀକ ବନେ ବରଗଛ ।
ଦିନ ଥିଲା ଛକ ଛକରେ ବରଗଛ ଦେଖିବାକୁ ମିଳୁଥିଲା । ରାସ୍ତା କଡରେ ହେଉ କି ଗାଁ ମୁଣ୍ଡରେ ବରଗଛଟିଏ ଥିଲା । ସେହି ଗଛମୂଳେ କେତେ କେତେ ଯାନିଯାତ୍ରା କେତେ କେତେ ପର୍ବପର୍ବାଣୀ ପାଳନ ହେଉଥିଲା । ବାଟୋଇ ବିଶ୍ରାମ ନେଉଥିଲା । କିନ୍ତୁ ଏବେ ଧିରେଧିରେ ଗାଁରୁ ହଜିବାକୁ ବସିଲାଣି ବରଗଛ । କିଛି ମରିଗଲାଣି କିଛି ସ୍ଥାନରେ ମଣିଷ ନିଜର ସ୍ୱାର୍ଥ ପାଇଁ ନିଜ ସୁବିଧା ପାଇଁ ହାଣିଦେଲାଣି । ଗଛ ହାଣି ଗଛର ଜାଗାରେ କିଏ ଜନବସତି ଗଢିଲାଣି ତ କିଏ କଳକାରଖାନା ତିଆରିଲାଣି । ପରିବେଶ ପ୍ରକୃତି ସହ ସାଙ୍ଘାତିକ ଖେଳ ଖେଳି ନିଜ ସ୍ୱାର୍ଥ ହାସଲ କରୁଛି ମଣିଷ ।
କୁହାଯାଏ ୭ଟି ସୁଯୋଗ୍ୟ ସନ୍ତାନ ଜନ୍ମଦେବା ଯାହା, ଗୋଟିଏ ବରଗଛ ଲଗାଇବା ସେଇୟା । କାରଣ ବରଗଛ ଦୀର୍ଘବର୍ଷ ବଞ୍ଚେ । ଏହା ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ବଢାଏ, ଅଙ୍ଗାରକାମ୍ଳର ପରିମାଣ କମାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରେ । ଖାଲି ସେତିକି ନୁହେଁ ବର୍ଷା ହେବାରେ ବଡ ଭୂମିକା ନିର୍ବାହନ କରେ ବରଗଛ । ମୃତିକା କ୍ଷୟ ରୋକି ମୃତିକା ସଂରକ୍ଷଣରେ ଏହି ଗଛ ପ୍ରକୃତିକୁ ବେଶ ସାହାଯ୍ୟ କରେ ।
ତେବେ କେବଳ ବରଗଛ ନୁହେଁ ମଣିଷ ଯେତେ ଆଧୁନିକତା ଆଡକୁ ଅଗ୍ରସର ହେଉଛି ସେତେ ପରିବେଶ ଓ ପ୍ରକୃତି ଉପରେ ତାର ଆଧିପତ୍ୟ ଜାହିର କରୁଛି । ଜଙ୍ଗଲ ନଷ୍ଟ, ଗଛ କଟା ଆଦି ଭଳି ବିଭିନ୍ନ କାର୍ଯ୍ୟକଳାପ ଜରିଆରେ ପରିବେଶର କ୍ଷତିତ କରୁଛି ତାସହ ପ୍ରାକୃତିକ ସଂପତିକୁ ନଷ୍ଟ କରୁଛି । ଯାହା ଫଳରେ ମାଟିରେ ମିଶିଯାଉଛି ବଡ ବଡ ଜଙ୍ଗଲ, ବିରାଟ ବିରାଟ ଗଛ । ଯାହା ସେହି ମଣିଷ ପାଇଁ ହିଁ ବୁମେରାଂ ସାଜୁଛି । ତେଣୁ ବେଳ ହୁଁ ସାବଧାନ । ଆମେ ପ୍ରକୃତିକୁ ଯେମିତି ବ୍ୟବହାର ଦେଖାଇବା ପ୍ରକୃତି ବି ଆମକୁ ସେମିତି ବ୍ୟବହାର ଦେବ । ନିଷ୍ପତ୍ତି ଆପଣଙ୍କର, ବିଚାର ଆପଣଙ୍କର । ଆମେ ଧ୍ୱଂସ ଆଡକୁ ପାଦ ବଢାଇବା ନା ସୁନ୍ଦର ଭବିଷ୍ୟତ କଥା ଭାବିବା ।