ଅଳିଆ ଉଠାଉଛନ୍ତି, ପରିବେଶର ଯତ୍ନ ନେଉଛନ୍ତି । ମହିଳାମାନେ ସାଜିଛନ୍ତି ସ୍ୱଚ୍ଛତାର ସାକ୍ଷାତ ଦେବୀ, ସ୍ୱଚ୍ଛ ସବାରୀର ସାରଥୀ ।

63

କନକ ବ୍ୟୁରୋ: ପରିବେଶ ପ୍ରଦୂଷଣ ଏବେ ସବୁଠି ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି । ପ୍ରକୃତି, ପରିବେଶ ସନ୍ତୁଳନ ହରାଇଲେ ତାର ସିଧାସଳଖ ପ୍ରଭାବ ପଡୁଛି ମଣିଷ ସମାଜ ଉପରେ ଆଉ ପ୍ରାକୃତିକ ବିପର୍ଯ୍ୟୟର ସଜା ଭୋଗୁଛି ମଣିଷ । ଯେତେ ସଚେତନତା ସୃଷ୍ଟି କଲେ ବି ସୁଧୁରୁ ନାହାନ୍ତି କେହି । ତେଣୁ ଦିନକୁ ଦିନ ବିଶ୍ୱ ପ୍ରତି ବିପଦ ବଢି ବଢି ଯାଉଛି । ଆଉ ଏପରି ସ୍ଥଳରେ ଏ ମହିଳାମାନେ ସାଜିଛନ୍ତି ସ୍ୱଚ୍ଛତାର ସାକ୍ଷାତ ଦେବୀ, ସ୍ୱଚ୍ଛ ସବାରୀର ସାରଥୀ ।

ସକାଳ ହେବା କ୍ଷଣି ଘରୁ ବାହାର ଯାଆନ୍ତି ମହିଳା । ବିଦ୍ୟୁତ ଚାଳିତ ଗାଡି ଧରି ସହରର ଗଳି ଗଳି ବୁଲନ୍ତି ଆଉ ଅଳିଆ ଆବର୍ଜନା ସଂଗ୍ରହ କରନ୍ତି । ଘର ଘର ହେଉ କି ରାସ୍ତା ଘାଟରେ ଜମା ହୋଇଥିବା କୁଢ କୁଢ ଅଳିଆ… ସହରକୁ ସ୍ୱଚ୍ଛ ରଖିବାକୁ ଅହରହ ଉଦ୍ୟମ କରନ୍ତି ବାଲେଶ୍ୱର ମ୍ୟୁନିସିପାଲଟି ଦ୍ୱାରା ପରିଚାଳିତ ଏ ମହିଳାମାନେ । ପରିବେଶକୁ ସ୍ୱଚ୍ଛ ରଖିବାର ସଙ୍କଳ୍ପ ହିଁ ଏମାନଙ୍କ ମନରେ ରହିଛି । ନହେଲେ ଅଳିଆ ଉଠାଇବାକୁ ସମସ୍ତେ ପସନ୍ଦ କରନ୍ତିନି ।

ଓଦା ଅଳିଆ, ଶୁଖିଲା ଅଳିଆ । ବିଦ୍ୟୁତ ଚାଳିତ ଗାଡି ଧରି ଘର ଘର ବୁଲି ମହିଳା ମାନେ ସଂଗ୍ରହ କରନ୍ତି । ଆଉ ପରେ ତାହାକୁ କମ୍ପୋଷ୍ଟିଂ ସେଣ୍ଟରରେ ଦେଇ ଭଲ ଦୁଇ ପଇସା ରୋଜଗାର ବି କରନ୍ତି । ବିଦ୍ୟୁତ ଚାଳିତ ଗାଡି ପାଇଁ ନା ହୁଏ ଶବ୍ଦ ପ୍ରଦୂଷଣ ନା ହୁଏ ବାୟୁ ପ୍ରଦୂଷଣ । ପରିବେଶର ସୁରକ୍ଷା ସହ ସ୍ୱାବଲମ୍ବୀ ବି ହୋଇପାରନ୍ତି ମହିଳାମାନେ ।

ତେବେ ପ୍ରକୃତିର ସୁରକ୍ଷା ପାଇଁ ନୂଆ ଏକ ଅଭିଯାନ ଆରମ୍ଭ କରିଛି ସମ୍ବାଦ ଡିଜିଟାଲ । ପୁନଶ୍ଚ ପୃଥିବୀ ମାଧ୍ୟମରେ ବଣ ଜଙ୍ଗଲ, ନଦୀନାଳ, ପରିବେଶର ସୁରକ୍ଷା କଥା କହି ଆମ ପୃଥିବୀକୁ ସବୁଜ କରିବାକୁ ଅଭିଯାନ ଚାଲିଛି । ତେଣୁ ଆସନ୍ତୁ ଏ ମହତ ଅଭିଯାନରେ ନିଜକୁ ସାମିଲ କରି ବିପଦ ମୁହାଁ ପୃଥିବୀର ସୁରକ୍ଷା କବଚ ସାଜିବା ।