କନକ ବ୍ୟୁରୋ: ଗାଁରୁ ହଜି ହଜି ଯାଉଛି ତାଳଗଛ । ଗାଁ ମୁଣ୍ଡ ହେଉ କି ଗହୀର ବିଲ । ତାଳଗଛମାନେ ଲମ୍ବା କରି ଛିଡା ହୋଇଥାନ୍ତି । ସତେ ଯେମିତି ସ୍କୁଲରେ ପ୍ରାର୍ଥନା କରିବାକୁ ଶୃଙ୍ଖଳିତ ଶିଶୁମାନେ ଛିଡାହେଲା ପରି । ଗାଁଠୁ ଦୂରରେ ଥିବା ତାଳବଣ ବି ଗାଁକୁ ଆହୁରି ସୁନ୍ଦର କରେ । ତା ସହ ଏହି ତାଳଗଛମାନେ ପକ୍ଷୀମାନଙ୍କର ଠିକଣା ବି ପାଲଟିଯାଆନ୍ତି । ବାଇ ଚଢେଇ, ଘର ଚଟିଆ, ବଣି ଭଳି ପକ୍ଷୀମାନେ ସୁନ୍ଦର ବସା ବାନ୍ଧି ଏଠାରେ ରୁହନ୍ତି । ହେଲେ ଏବେ ବିପଦରେ ପଡିଛି ସେମାନଙ୍କ ବାସସ୍ଥଳୀ, ଉଜୁଡି ଯାଉଛି ସେମାନଙ୍କ ଘର । ଅଦରକାରୀ ଭାବି ଗାଁରୁ କଟା ହେଉଛି ଗଣ୍ଡାଗଣ୍ଡା ଗଛ । ଯାହା ଫଳରେ ବେଘର ହେଉଛନ୍ତି ପକ୍ଷୀ ।
ଦିନ ଥିଲା ଏହି ତାଳ ଗଛ ସାଧାରଣ ଲୋକଙ୍କ ଅନେକ କାମରେ ଆସୁଥିଲା । ଘରର ଛପର ଠାରୁ ଆରମ୍ଭ କରି ପଟା ଯାଏଁ । ସ୍ବାଦିଷ୍ଟ ତାଳସଜ ଏବଂ ତାଳ ପାଚିବା ପରେ ପିଠା କରି ଲୋକମାନେ ଖାଇଥାନ୍ତି । ତାଳ ଗଛ ମାନବ ଜୀବନରେ ଅନେକ କାମରେ ଲାଗେ । ହେଲେ ଏବେ ସେହି ଡେଙ୍ଗା ଡେଙ୍ଗା ଗଛ ଅଲୋଡା ହୋଇପଡିଛି । ସାମାନ୍ୟ କେତେଟା ଟଙ୍କା ପାଇଁ ବାହାର ରାଜ୍ୟର ଦଲାଲଙ୍କ ହାତରେ ଗଛ ଟେକି ଦେଉଛନ୍ତି ଲୋକେ । ଗାଡିରେ ଟ୍ରିପ ଟ୍ରିପ ତାଳ ଗଛର ପଟା ବାହାର ରାଜ୍ୟକୁ ଚାଲାଣ ହେଉଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍।
ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ଗାଁରୁ ଏବେ ତାଳଗଛ ଲୋପ୍ ପାଇବାକୁ ବସିଥିବା ବେଳେ ବିଶେଷ କରି କଣିହାଁ, ତାଳଚେର ,ଛେଣ୍ଡିପଦା ଏବଂ ଅନୁଗୁଳ ବନାଞ୍ଚଳରୁ ପ୍ରତିଦିନ ଟ୍ରକ୍ ଟ୍ରକ୍ ତାଳଗଛ ଚାଲାଣ ହେଉଛି । ସାଧାରଣ ଗଛକୁ ବଢିବାକୁ ୪୦ରୁ ୫୦ ବର୍ଷ ସମୟ ଲାଗୁଥିବା ବେଳେ ନିଜ ଜମିରେ ଲଗାଇଥିବା ତାଳଗଛକୁ ମାତ୍ର ୩୦୦ରୁ ୪୦୦ ଟଙ୍କାରେ ବିକ୍ରି କରାଯାଉଛି ଏବଂ ଏହାକୁ ଦଲାଲ ନେଇ ବାହାର ରାଜ୍ୟରେ ଚଢା ଦରରେ ବିକ୍ରି କରୁଛନ୍ତି ।
ସବୁଠାରୁ ଉଦବେଗଜନକ ଘଟଣା ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ତାଳଗଛର ଦ୍ରୁତ ଅବକ୍ଷୟ ପକ୍ଷୀକୂଳ ପାଇଁ ସମସ୍ୟା ଏବଂ ସଙ୍କଟ ସୃଷ୍ଟି କରିଛି । ବାସହରା ହୋଇଥିବା ପକ୍ଷୀଙ୍କ ପାଇଁ ପରିବେଶର ସନ୍ତୁଳନ ବିଗୁଡୁଛି । ଯାହା ପୃଥିବୀ ପାଇଁ ଶୁଭଙ୍କର ନୁହେଁ । ତେଣୁ ବେଳ ଥାଉଁ ଥାଉଁ ବନବିଭାଗ ଓ ପ୍ରଶାସନ ଏ ଦିଗରେ ସଚେତନ ନହେଲେ ତାଳଗଛରେ ବସବାସ କରୁଥିବା ଚଢେଇମାନେ ନାନା ସମସ୍ୟାର ସମ୍ମୁଖୀନ ହେବେ । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
Follow Us