ଖଣି ଖୋଳି ପ୍ରକୃତି, ପରିବେଶ ସହ ଖେଳ ଖେଳୁଛି ଏମସିଏଲ ?

107

କନକ ବ୍ୟୁରୋ: ପାତାଳୀ ଭୟରେ କଳା ହୀରାର ସହର ! ଏମସିଏଲ ଖୋଳୁଛି ମୃତ୍ୟୁର ଖଣି ? ଅବହେଳା ପାଇଁ ଆତଙ୍କିତ ମଣିଷ… କଳାହୀରା ତାଳଚେରକୁ ଯେଉଁ ସ୍ୱତନ୍ତ୍ର ପରିଚୟ ଦେଇଥିଲା ତାହା ଏବେ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଅଭିଶାପ । ଏମସିଏଲର ଅବହେଳା ଓ ଖାମଖିଆଲି ମନବୃତି ପାଇଁ ଏବେ ପ୍ରତି ମୁହୂର୍ତ୍ତରେ ଡରି ଡରି ବଞ୍ଚୁଛନ୍ତି ଲୋକେ । ଏମିତି କି ପାଦେ ପାଦେ ମୃତ୍ୟୁର ଗାତ ଖୋଳାଯାଇଥିବା ଅଭିଯୋଗ ହୋଇଛି ।

ପ୍ରଦୂଷଣର କର୍ଫ୍ୟୁରେ କଳାହୀରାର ସହର । ବିଷ ବଳୟ ପାଲଟିଛି ତାଳଚେର ଅଞ୍ଚଳ । ପାଣି, ପବନଠୁ ଧନଜୀବନ ସବୁକିଛି ବିଷାକ୍ତ ହୋଇଛି । କଳାଗୁଣ୍ଡ ଲୋକଙ୍କ ଆୟୁଷକୁ ଆଖି ଦେଖାଉଥିବା ବେଳେ ଏମସିଏଲ ଖଣି ଖନନ କରି କାମ ସାରି ଦେଉଛି । ନା ଲୋକଙ୍କ ଜୀବନର ଦାୟିତ୍ୱ ନେଉଛି ନା କର୍ତ୍ତବ୍ୟ କରୁଛି ।

ନିୟମ ରହିଛି ଖଣିରୁ କୋଇଲା ଖୋଳାଯିବା ପରେ ଉକ୍ତ ଅଞ୍ଚଳରେ ବା ଗର୍ତ ହୋଇଥିବା ସ୍ଥାନରେ ବାଲି ଭର୍ତ୍ତି କରାଯିବ । ଆଉ ଉକ୍ତ ଅଞ୍ଚଳରେ ପ୍ରଚୁର ପରିମାଣରେ ଗଛ ଲଗାଯିବ । ଯାହା ଦ୍ୱାରା ମୃତିକା ସଂରକ୍ଷଣ ହେବା ସହ ମାତ୍ରାଧିକ ପରିବେଶ ପ୍ରଦୂଷଣକୁ କିଛି ମାତ୍ରାରେ କମ କରାଯାଇ ପାରିବ । ହେଲେ ଖଣି ଖନନ ପରେ, ସ୍ୱାର୍ଥ ହାସଲ ପରେ ସାଧାରଣ ମଣିଷ ପ୍ରତି ଥିବା ଦାୟିତ୍ୱବୋଧକୁ ପୂରା ପାଶୋରି ଯାଉଛି ଏମସିଏଲ କମ୍ପାନୀ । ଯାହା ଅଞ୍ଚଳବାସୀଙ୍କ ପାଇଁ କାଳ ସାଜୁଛି ।

ତାଳଚେର ଅଞ୍ଚଳରେ ଅଗ୍ରଗତି ତୁଳନାରେ ଏବେ ସମସ୍ୟା ବଢିବଢି ଚାଲିଛି । ଶକ୍ତିଶାଳୀ ଭୁକମ୍ପ ଜୋନରେ ତାଳଚେର ସହର ଥିବା ନେଇ ଆଇଆଇଟି ଖଡଗପୁରର ବିଶେଷଜ୍ଞ ଟିମ୍ ପ୍ପୋର୍ଟ ଦେବା ପରେ ଏବେ ବିପଦ ଘେରରେ ନିଇତି ଦିନରାତି କାଟୁଛନ୍ତି ଅଞ୍ଚଳବାସୀ । ଭୂରର୍ଭରୁ କୋଇଲା ଉତ୍ତୋଳନ ପରେ କେଉଁ ମୁହୂର୍ତ୍ତରେ କିଛି ବି ଘଟିପାରେ ତାହା ଲୋକଙ୍କ ମନରେ ଏବେ ଭୟ ସଞ୍ଚାର କରିଛି । ଆଉ ଅନ୍ୟପଟେ ପ୍ରତି ବର୍ଷ ଭୂକମ୍ପ ପାଇଁ ଜନଜୀବନ ନଷ୍ଟ ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଘରେ ସୃଷ୍ଟି ହୋଇଥିବା ଏହି ବିରାଟ ଗର୍ତ୍ତ । କିଏ କହିବ, କାଲି ଏହି କମ୍ପାନୀମାନଙ୍କର ଅବହେଳା ପାଇଁ ବଡ ବଡ ଘର ଧସି ନଯିବ ବୋଲି, ଭୁଶୁଡି ନପଡିବ ବୋଲି । ତାଳଚେର ଖାଲି ଇତିହାସରେ ଥିବ, ହେଲେ ଭୂଗୋଳରେ ଥିବ କି ନା ତାହା ସନ୍ଦେହ । ତେଣୁ ଲୋକଙ୍କ ଜୀବନ ସହ ଏମସିଏଲ ପରିବେଶର ଦାୟିତ୍ୱ ନେଉ ବୋଲି ଲୋକେ ଦାବି କରିଛନ୍ତି ।

ଆସନ୍ତୁ ସୁନ୍ଦର ପ୍ରକୃତି ପାଇଁ, ପ୍ରଦୂଷଣ ମୁକ୍ତ ପରିବେଶରେ ଜୀବନଯାପନ ପୁନଶ୍ଚ ପୃଥିବୀରେ ସାମିଲ ହେବା ଆଉ ମହତ ଅଭିଯାନରେ ନିଜକୁ ଗୁଣ୍ଡୁଚି ମୂଷା ସଜେଇ ପୃଥିବୀର ସୁରକ୍ଷା ପାଇଁ ସମୟ ବାହାର କରିବା…