ଖାଲି ଫୁଲ ଆଉ ଫୁଲ… ମାଟିର ଛାତିରେ ନୁହେଁ ଛାତ ଉପରେ ଫୁଲବଗିଚା । ହସୁଛି ୧୦୦ ପ୍ରକାରର ଫୁଲ ।

236

କନକ ବ୍ୟୁରୋ: ପବନର ଦୋଳିରେ ଝୁଲୁଛି ଜାତି ଜାତିକା ଫୁଲ । ରଙ୍ଗ ବେରଙ୍ଗର ଫୁଲରେ ପୂରିଲା ପୂରିଲା ଦିଶୁଛି ପରିବେଶ । ଫୁଲ ଗୀତ ଗାଉଛି, ଫୁଲ ବାଟୋଇକୁ ଘଡିଏ ରହି ତା ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ହାତଠାରି ଡାକୁଛି । ଆଉ ମଣିଷ ବି ପ୍ରକୃତିର ଏହି ବିରଳ ଉପହାରକୁ ପାଇ ବିଭୋର ହେଉଛି । ଆପଣ ଦେଖୁଥିବା ଏହି ଫୁଲର ସମ୍ଭାର କେଉଁ ଉଦ୍ୟାନ କି ମାଟିର ଛାତି ଉପରେ ଫୁଟିନି ବରଂ ଏହା ଘରର ଛାତ ଉପରେ ସମ୍ଭବ ହୋଇପାରିଛି । ଆଉ ଏହା ପଛରେ ରହିଛି ଜଣେ ପ୍ରକୃତି ପ୍ରେମୀ, ଫୁଲପ୍ରେମୀ ମଣିଷଙ୍କ ଇଚ୍ଛା ଓ ପରିଶ୍ରମ ପାଇଁ…

ପାରାଦୀପ ନିିମିଢି ଗାଁର ଗୟାଧର ତରାଇ । ପିଲାବେଳୁ ଫୁଲ ପ୍ରତି ଥିବା ପ୍ରେମକୁ ୨୦୦୪ ମସିହାରୁ ଏକ ନିଶାରେ ବଦଳାଇ ଦେଇଛନ୍ତି । ଯେଉଁଠି ଯେତେବେଳେ ଯାହା ବି ଫୁଲଗଛ, ଚାରା ମିଳିଲା ତାକୁ ଆଣି ନିଜ ଫୁଲ ବଗିଚାରେ ଲଗାନ୍ତି ଗୟାଧର । ସବୁଦିନ ନିଜ ବ୍ୟବସାୟ ପାଇଁ ନେହେରୁ ବଙ୍ଗଳା ବାହାରି ଯାଆନ୍ତି । ବେପାର ସରିଲେ ଘରକୁ ଫେରିଲେ ଲାଗିପଡନ୍ତି ନିଜ ଛାତ ଉପରେ କରିଥିବା କୃତ୍ରିମ ଫୁଲ ବଗିଚାରେ । ଛାତ ଉପରେ ସେ ୧୦୦ରୁ ଅଧିକ ପ୍ରକାରର ଫୁଲ ଗଛ ଲଗାଇଛନ୍ତି  । ଫୁଲ ପ୍ରତି ଖାଲି ଗୟାଧରଙ୍କର ନୁହେଁ ବରଂ ଫୁଲ ବଗିଚାର ଯତ୍ନ ନେବାରେ ଲାଗିପଡନ୍ତି ପୂରା ପରିବାର । ଫୁଲ ପ୍ରତି ଗୟାଧରଙ୍କ ଏହି ନିଆରା ଇଚ୍ଛାଶକ୍ତି ଓ ଉଦ୍ୟମ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଫୁଲ ମଣିଷ ଭାବେ ମଧ୍ୟ ବେଶ୍ ଜଣାଶୁଣା ।

ପାରାଦୀପ ଅଞ୍ଚଳରେ ହେଉଥିବା ବିଭିନ୍ନ ଫୁଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଫୁଲ ଭିତରେ ସବୁଠୁ ଆଗରେ ରହିଥାଏ ଗୟାଧର ତରାଇଙ୍କ କୃତ୍ରିମ ଫୁଲ ବଗିଚାର ଫୁଲ । ଯାହାକୁ ନେଇ ନିମିଡି ଗ୍ରାମବାସୀ ଗର୍ବ ଅନୁଭବ କରନ୍ତି । ଅପରାହ୍ନ ହେବା ପରଠୁ ସଞ୍ଜ ନଇଁବା ଯାଏଁ ଗୟାଧର ତରାଇଙ୍କ ଛାତ ଉପରେ ଥିବା କୃତ୍ରିମ ଫୁଲ ବଗିଚାରେ ଲାଗେ ଲୋକଙ୍କ ଭିଡ  । କିଏ ଫୁଲ ସହ ସେଲ୍ଫି ନେବାରେ ବ୍ୟସ୍ତ  ଥାଏ ତ କେହି କେହି ଫୁଲ ଦେଖିବାରେ ବ୍ୟସ୍ତଥାନ୍ତି । ପାରାଦୀପ ଠାରୁ ଆରମ୍ଭ କରି ଅନେକ ସ୍ଥାନରୁ ଲୋକମାନେ ଧାଇଁ ଆସନ୍ତି ଏହି କୃତ୍ରିମ ଫୁଲ ବଗିଚା ଦେଖିବାକୁ ।

ଗୟାଧରଙ୍କ ଏହି ଉଦ୍ୟମ ଦେଖି ତାଙ୍କ ଗାଁ ଏବଂ ଆଖପାଖ ଗାଁର ଲୋକେ ନିଜ ଛାତ ଉପରେ ବି ଗଛ ଲଗାଇବାକୁ ଆଗ୍ରହ ପ୍ରକାଶ କଲେଣି । ଖାଲି ସେତିକି ନୁହେଁ ଯେଉଁ ଲୋକ ତାଙ୍କ ବଗିଚାକୁ ଆସୁଛନ୍ତି ସମସ୍ତଙ୍କୁ ସେ ଫୁଲଗଛ ଲଗାଇବାକୁ ଏବଂ ପରିବେଶକୁ ସୁନ୍ଦର ରଖିବାକୁ ବର୍ତ୍ତା ଦେଉଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ଆଡୁ ପ୍ରଶଂସା ମଧ୍ୟ ମିଳୁଛି ।

ତେବେ ଗୟାଧରଙ୍କ ଏ ନିଆରା ଉଦ୍ୟମ ପରିବେଶର ସୁରକ୍ଷା ଓ ପ୍ରକୃତିର ସନ୍ତୁଳନ ପାଇଁ ବେଶ ସହାୟକ ହେଉଥିବା ବେଳେ ସମ୍ବାଦ ଡିଜିଟାଲର ଅଭିନବ ଅଭିଯାନ ପୁନଶ୍ଚ ପୃଥିବୀର ଉଦେଶ୍ୟକୁ ଆଉ ଦୁଇପାଦ ଆଗେଇ ନେଇଛି । ଆସନ୍ତୁ ଆମ ପୃଥିବୀ, ଆମ ପରିବେଶ, ଆମ ପ୍ରକୃତି ରାଣୀ ପାଇଁ ଆମେ ଏକଜୁଟ ହେବା ସେମାନଙ୍କୁ ରକ୍ଷା କରିବା ।