ଜଙ୍ଗଲ ଛାତିରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ନିଆଁର ଆଁ ଭିତରୁ ବଞ୍ଚିବା ପାଇଁ ଆର୍ତ୍ତ ଚିତ୍କାର କରୁଛି ବଣ । କିଏ ରକ୍ଷା କରିବ ଜଙ୍ଗଲର ପ୍ରାଣ...???

Advertisment
ଜଙ୍ଗଲ ଛାତିରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ନିଆଁର ଆଁ ଭିତରୁ ବଞ୍ଚିବା ପାଇଁ ଆର୍ତ୍ତ ଚିତ୍କାର କରୁଛି ବଣ । କିଏ ରକ୍ଷା କରିବ ଜଙ୍ଗଲର ପ୍ରାଣ...???

କନକ ବ୍ୟୁରୋ: ଜଙ୍ଗଲ ଜୀବନ ସହ ଜଡିତ । ଜଙ୍ଗଲ ସହ ମଣିଷ ଯେତିକି ନିବିଡ, ତାର ଜୀବନ ଶୈଳୀରେ ବି ଜଙ୍ଗଲର ଦାନକୁ କେବେ ଭୁଲିପାରିବନି ଏ ଜାତି, ଭୁଲି ପାରିବନି ଏ ସମାଜ । ଜଙ୍ଗଲ ହସିଲେ ପୃଥିବୀ ହସେ, ଜଙ୍ଗଲ କାନ୍ଦିଲେ ମାଟି ମାଆ କାନ୍ଦେ । ସବୁ ଋତୁରେ ନିଜକୁ ସଜାଏ ଜଙ୍ଗଲ । ପ୍ରକୃତିର ପ୍ରାଣକେନ୍ଦ୍ରରୁ ଅଧିକ ପୁଲ୍ଲକିତ କରି ଜଙ୍ଗଲ କେଉଁ ଋତୁରେ ଓଦାଓଦା ଶାଳବଣର ମିଠା ମହକ ବାଣ୍ଟେ । ତ କେବେ ବସନ୍ତର ପ୍ରଥମ ଛୁଆଁରେ କଅଁଳ ପତ୍ର ପ୍ଳାବିତ ହୁଏ । ବଣରୁ ବହିଆସୁଥିବା ପବନ ତନମନକୁ ତଲ୍ଲିନ କରେ । ଜଙ୍ଗଲ ଜାତ ଦ୍ରବ୍ୟ ବିକି ରୋଜଗାର କରେ ମଣିଷ, ଜଙ୍ଗଲରୁ କାଠ ଆଣି ପେଟପୋଷେ ମଣିଷ । ବଣ ବଞ୍ଚିବା ଶିଖାଏ, ଜଙ୍ଗଲ ଜିଇଁବାର ରାହା ଦେଖାଏ...

ହେଲେ ଆଜିର ଦିନରେ ଜଙ୍ଗଲ ନିଜେ ବଞ୍ଚିବା ପାଇଁ ବିକଟାଳ ଚିକ୍ରାର କରୁଛି । ଜିଇଁବା ପାଇଁ ତ୍ରାହି ତ୍ରାହି ଡାକୁଛି । ହେଲେ ତାକଥା କାହା କାନରେ ପଡୁନି, କିଏ ବି ଶୁଣୁନି... ସେମିତି ଜଙ୍ଗଲ ଜଳିଚାଲିଛି, ପ୍ରକୃତି ପୋଡିଯାଉଛି... ଦିନରାତି, ମାସ ମାସ, ବର୍ଷ ବର୍ଷ...

publive-image

ଜଙ୍ଗଲରୁ କାଠ ଆଣି ଆମେ ଘରେ ଚୁଲି ଜାଳୁ । ଗରିବଗୁରୁବା ଓ ବଣ ଜଙ୍ଗଲରେ ବସବାସ କରୁଥିବା ଲୋକେ ସେହି ଜଙ୍ଗଲ ଉପରେ ନିର୍ଭର କରି ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାନ୍ତି । ପିକନିକ କଥା ଉଠିଲେ ପ୍ରଥମେ ପଡେ ବଣ ଜଙ୍ଗଲ କଥା ଆଗ ଆସେ । କଳକାରଖାନା ପାଇଁ ଯୋଜନା ହେଲେ ଜଙ୍ଗଲଙ୍କୁ ଜଳାଞ୍ଜଳୀ ଦେଇ ସେଠି ସ୍ୱାର୍ଥର ସିମେଣ୍ଟ କାରଖାନା ଗଢାଯାଏ । ନିଜ ସନ୍ତାନଙ୍କୁ ସୁଖ ଦେବାକୁ ଜଙ୍ଗଲ ନିଜର ସର୍ବସ୍ୱ ଦାନ କରିଦିଏ । ଯେଉଁ ଜଙ୍ଗଲ ଆମ ଜୀବନଶୈଳୀ ସହ ଜଡିତ, ଜୀବନ ସହ ସଂଶ୍ଳିଷ୍ଟ । ସେହି ଜଙ୍ଗଲ ଏବେ ଜଳୁଛି, ହୁତୁହୁତୁ ହୋଇ ଜଳୁଛି । ଦିନରାତି ଅଗ୍ନିର ଆଁ ଭିତରେ ଆତୁର ନିବେଦନ କରୁଛି... ପୋଡି ପାଉଁଶ ହେବା ବେଳେ ମଣିଷ ସମାଜକୁ ଜଙ୍ଗଲ ପ୍ରାର୍ଥନା କରୁଛି... ମତେ ବଞ୍ଚେଇ ଦିଅ ମତେ ବଞ୍ଚେଇ ଦିଅ...

ହେଲେ କଣ ପାଇଁ ଏ ପରିସ୍ଥିତି ? କଣ ପାଇଁ ଜଳୁଛି ଜଙ୍ଗଲ? କଣ ପାଇଁ ନିଜକୁ ରକ୍ଷା କରିବାକୁ ରାହା ଧରି କାନ୍ଦୁଛି ବଣ ? ଏ ପ୍ରଶ୍ନ କେବେ ନିଜକୁ ପଚାରିଛି କି ମଣିଷ ? କେବେ କାନଖୋଲି ଶୁଣିଛି କି ଜଙ୍ଗଲର କରୁଣ କ୍ରନ୍ଦନ ? ହୁଏତ ଏ ପ୍ରଶ୍ନର ଉତ୍ତର ନା ହୋଇପାରେ... କାରଣ ଯେଉଁ ମଣିଷକୁ ବଣ ବିଶ୍ୱାସ କରିଥିଲା. ଜଙ୍ଗଲ ନିଜେ ଜଳି ତା ଜୀବନ ରକ୍ଷା କରୁଥିଲା । ଆଜି ସେହି ମଣିଷ ବଣ ପ୍ରତି ବିଶ୍ୱାସଘାତକ ସାଜିଛି । ଜଙ୍ଗଲ ଆଖିରେ ଜହ୍ଲାଦ ସାଜିଛି ।

publive-image

ତେଣୁ ଏବେବି ସମୟ ଅଛି ଜଙ୍ଗଲକୁ ସୁରକ୍ଷା ଦେବାର । ଜଳୁଥିବା ଜଙ୍ଗଲକୁ ଲିଭେଇବାର । ଆସନ୍ତୁ ଶପଥ ନେବା କୌଣସି ପରିସ୍ଥିତିରେ ବି ଜଙ୍ଗଲରେ ନିଆଁ ଲଗାଇବାନି । ଯଦି କେଉଁଠି ଜଙ୍ଗଲ ଜଳୁଥିବାର ଖବର ଆସୁଛି, ବନ ବିଭାଗ ତ ତା ଦାୟିତ୍ୱ ତୁଲାଇବ ତାସହ ସ୍ୱଇଚ୍ଛାକୃତ ଭାବେ ନିଜ ସାଙ୍ଗସାଥୀଙ୍କୁ ଧରି ପ୍ରକୃତିକୁ ବଞ୍ଚାଇବାରେ ଲାଗି ପଡନ୍ତୁ । କାରଣ ଜଙ୍ଗଲ ରହିଲେ ହିଁ ଏ ଧରାପୃଷ୍ଠରେ ଜୀବନ ରହିବା ସମ୍ଭବ ହେବ । ପୁନଶ୍ଚ ପୃଥିବୀର ଉଦ୍ଦେଶ୍ୟ ସାର୍ଥକ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe