ପୁନଶ୍ଚ ପୃଥିବୀ: ମୁଁ ନୁହେଁ ଆମେ ହୋଇ ଆଗେଇ ଆସିବା । ପରିବେଶ ଓ ପୃଥିବୀକୁ ସୁରକ୍ଷା ଦେବା ।

219

କନକ ବ୍ୟୁରୋ: ଆରମ୍ଭ ହେଲା ପୁନଶ୍ଚ ପୃଥିବୀ । ପରିବେଶ ଓ ପୃଥିବୀର ସୁରକ୍ଷା ପାଇଁ ସମ୍ବାଦ ଗ୍ରୃପ ପକ୍ଷରୁ ଆରମ୍ଭ ହେଲା ମହତ ଅଭିଯାନ । ପରିବେଶ ପାଇଁ ଚିନ୍ତା କରିବାକୁ, ପରିବେଶର ସୁରକ୍ଷାକୁ ଏକ ଅଭିନବ ଉଦ୍ଦେଶ୍ୟ ନେଇ ଏହି ଅଭିଯାନକୁ ଆରମ୍ଭ କରାଯାଇଛି । ଡିଜିଟାଲ ପ୍ଲାଟଫର୍ମରେ, ଭର୍ଚୁଆଲ ସମାବେଶରେ ମୁଖ୍ୟ ଅତିଖି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରମେଣ୍ଟର ମହାନିର୍ଦ୍ଦେଶିକା ସୁନୀତା ନାରାୟଣ  । ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୁନଶ୍ଚ ପୃଥିବୀର ଶୁଭାରମ୍ଭ କରାଯାଇଛି । ଯାହା ମଣିଷ ସମାଜ ପ୍ରତି ବିପଦ ସୃଷ୍ଟି କରିଥିବା ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବ । ନିଜ ପାଇଁ, ନିଜ ପିଲାଙ୍କ ପାଇଁ, ପରପିଢି ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି ।

ତେବେ ପୁନଶ୍ଚ ପୃଥିବୀ ନିଜର ମୂଲ୍ୟବାନ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପରିବେଶକୁ ସୁରକ୍ଷା ଦେବାରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଜନ ସାଧାରଣଙ୍କୁ ଏକତ୍ରିତ କରି ସଚେତନ କରାଇ ଆମ ପୃଥିବୀକୁ ସୁରକ୍ଷା ଦେବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ୨୦୨୧ରେ ଆମେ ଅମୃତର ମହୋତ୍ସବ ପାଳନ କରୁଛୁ । ଆଗାମୀ ୨୫ ବର୍ଷ ଭିତରେ ଲୋକେ ନିଜ ସ୍ମାର୍ଟଫୋନରେ ସବୁ ଖବର ପାଇବେ । ଆଗାମୀ ଦିନରେ ଟ୍ରାନସଲେସନ ମାଧ୍ୟମରେ ବିଦେଶର ଲୋକେ ଓଡିଶାର ଖବର ଜାଣି ପାରିବେ । ସମ୍ବାଦ ଓଡିଆଙ୍କ ଜନଜୀବନ ପାଇଁ ସବୁବେଳେ ବଡ ବଡ ପଦକ୍ଷେପ ନେଇଛି । ପୁନଶ୍ଚ ପୃଥିବୀ ଅଭିଯାନ ଆରମ୍ଭ କରି ପୃଥିବୀ ଓ ପରିବେଶ ପାଇଁ ସମ୍ବାଦ ଗ୍ରୁପ୍ ନୂଆ ଉପକ୍ରମ ଯୋଡିବାକୁ ଯାଉଛି । ପୁନଶ୍ଚ ପୃଥିବୀ ଅଭିଯାନ ଆରମ୍ଭ ହୋଇଛି । ପୃଥିବୀ ସୁନ୍ଦର ଥିଲା, ସୁନ୍ଦର ଅଛି, ସୁନ୍ଦର ରହିବ । ପୃଥିବୀକୁ ଆହୁରି ସୁନ୍ଦର ଭାବେ ଗଢିତୋଳିବାକୁ ସମ୍ବାଦ ଗ୍ରୁପର ଏଭଳି ଅଭିଯାନକୁ ସରକାରୀସ୍ତରରେ ମଧ୍ୟ ସହଯୋଗ ମିଳିବ । ସମାଜକୁ ସୁସ୍ଥ ରଖିବା ପାଇଁ ପୁନଶ୍ଚ ପୃଥିବୀକୁ ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଗ୍ରହଣ କରିବା ଆଉ ପୃଥିବୀକୁ ସୁରକ୍ଷା ଦେବା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଯେତେବେଳେ ପୂରା ବିଶ୍ୱ କରୋନା ସହ ଯୁଦ୍ଧ କରୁଛି ସେତେବେଳେ ମାଟି ମାଆ ପାଇଁ, ପୃଥିବୀ ପାଇଁ ଏ ଅଭିଯାନ ସ୍ୱାଗତଯୋଗ୍ୟ ବୋଲି ଏକ ବଡ ବାର୍ତ୍ତା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ । ସମ୍ବାଦ ଡିଜିଟାଲର ଲୋକାର୍ପଣ ଉତ୍ସବରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଶ୍ରୀଯାଦବ କହିଛନ୍ତି ଜ୍ଞାନୀ ମଣିଷ ଏବେ ପରିବେଶକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ଯାହା ଦ୍ୱାରା ପରିବେଶ ଅସନ୍ତୁଳନ ଦେଖାଦେଉଛି । ଆମେ ମାଟି ମାଆକୁ ଯଦି ନିଜ ମା’ ପରି ପୂଜା କରିବା କିମ୍ବା ସମ୍ମାନ ଦେବା, ତା’ହେଲେ ସେମାନେ ମଧ୍ୟ ଆମକୁ ସ୍ନେହ କରିବେ । ଆମ ସୁନ୍ଦର ପୃଥିବୀରେ ଅନେକ ରହସ୍ୟ ଲୁଚି ରହିଛି, ତାକୁ ସୁରକ୍ଷିତ ରଖିବା ଆମ ଦାୟିତ୍ୱ ।

ମୁଁ ଭାବୁଛି ସମ୍ବାଦର ‘ପୁନଶ୍ଚ ପୃଥିବୀ’ ଅଭିଯାନ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିବ । ଦେଶର କୋଣ ଅନୁକୋଣର ଲୋକଙ୍କୁ ସଚେତନ କରାଇବା ସହ ଉଜୁଡ଼ି ଯାଉଥିବା ସବୁଜିମାକୁ ପୁଣିଥରେ ଏକାଠି କରାଇପାରିବ । ମୋର ଆଶା ପୁନଶ୍ଚ ପୃଥିବୀ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ତେବେ ପୁନଶ୍ଚ ପୃଥିବୀର ଏ ମହତ ଅଭିଯାନକୁ ହୃଦୟରୁ ଅଭିନନ୍ଦନ ଜଣାଇ ଏ ଅଭିଯାନ ସଫଳ ହେଉ, ଆଗକୁ ଯାଉ ବୋଲି ଶୁଭମନାସିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ ।

ଜଳବାୟୁ ପରିବର୍ତ୍ତନ ଏକ ପ୍ରାକୃତିକ ପ୍ରକ୍ରିୟା । ହେଲେ ଆମେ ଯଦି ଜଳ ଏବଂ ମାଟିର ଦୂରୁପଯୋଗ କରିବା ତାର ପରିଣାମ ଆମକୁ ହିଁ ଭୋଗିବାକୁ ପଡ଼ିବ । ଯାହା ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ବୋଲି ନିଜର ବହୁମୂଲ୍ୟ ମନ୍ତବ୍ୟ ରଖିଛନ୍ତି ସେଣ୍ଟର ଫର ସାଇନ୍ସ ଓ ଏନଭାରମେଣ୍ଟର ମହାନିର୍ଦ୍ଦେଶିକା ସୁନୀତା ନାରାୟଣ ।

ପୃଥିବୀର ସୁନ୍ଦରତା ଏବଂ ଏହାର ସୁରକ୍ଷା ପାଇଁ ଆମକୁ ଏକ ଦୀର୍ଘମିଆଦି ଯୋଜନା କରିବାର ଆବଶ୍ୟକ ରହୁଛି । ଆମେ ବହୁତ କଥା କହୁଛେ କିନ୍ତୁ ତାହାକୁ କାର୍ଯ୍ୟକାରୀ କରୁନେ । ପ୍ରାକୃତିକ ବିପର୍ଯ୍ୟୟ କ’ଣ ଓଡ଼ିଶା ଭଳି ରାଜ୍ୟଠୁ ଭଲଭାବେ କେହି ଅନୁଭବ କରିପାରିବେନି । ବାରମ୍ବାର ବାତ୍ୟାକୁ ସାମ୍ନା କରୁଥିବା ରାଜ୍ୟଭାବେ ବେଶ୍ ଅନୁଭବୀ ହେଉଛି ଓଡ଼ିଶା । ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏମିତି ପଦକ୍ଷେପ ଅତ୍ୟନ୍ତ ଗ୍ରହଣୀୟ । ‘ପୁନଶ୍ଚ ପୃଥିବୀ’ ଅଭିଯାନର ପରିକଳ୍ପନାକୁ ବାସ୍ତବତାର ରୂପ ଦେବାକୁ ଆମେ ସଂକଳ୍ପ ନେବା । ମୁଁ ନୁହେଁ ଆମେ ବୋଲି ସଂକଳ୍ପ ନେବା । ଡିଜିଟାଲ ମିଡ଼ିଆ ଭଳି ଏକ ଅଦ୍ଭୁତ ଶକ୍ତିର ପ୍ରୟୋଗରେ ପରିବେଶକୁ ସୁରକ୍ଷିତ ରଖିବା ବୋଲି କହିଛନ୍ତି ପଦ୍ମଶ୍ରୀ ସୁନୀତା ନାରାୟଣ ।

ତେବେ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଡିଜିଟାଲ ପ୍ଲାଟଫର୍ମକୁ ଭବିଷ୍ୟତ ବୋଲି କୁହିଥିବା ବେଳେ ଆଗକୁ ବିନା କାଳି ଓ କାଗଜର ପ୍ଲାଟଫର୍ମ ଆସୁଥିବା କହିଛନ୍ତି । ପୁନଶ୍ଚ ପୃଥିବୀ ଡିଜିଟାଲ ମିଡିଆକୁ ବ୍ୟବହାର କରିବା, ପୃଥିବୀ କିପରି ସୁରକ୍ଷିତ ରହିବ ସେ ବାବଦରେ ସଚେତନ କରାଇବା ତାହା ଆମର ଦାୟିତ୍ୱ ହେବା ଉଚିତ୍ । ଡିଜିଟାଲ ପ୍ଲାଟଫର୍ମ ଦ୍ୱାରା ଗଛ କଟାଯିବନି, ପରିବେଶ ଅସୁରକ୍ଷିତ ହେବନି । ଆମେ ସମସ୍ତେ ଏ ଅଭିଯାନ, ଏ ଦାୟିତ୍ୱକୁ ଆଗେଇ ନେବୁ ବୋଲି ସୌମ୍ୟରଞ୍ଜନ କହିଛନ୍ତି ।