ଯୋଗେନ୍ଦ୍ରଙ୍କ ଇ-ବାଇକ୍: ପେଟ୍ରୋଲରେ ଚାଲିବନି, ପରିବେଶ ପ୍ରଦୂଷଣ ହେବନି…

123

କନକ ବ୍ୟୁରୋ: ପେଟ୍ରୋଲରେ ଚାଲିବନି କି ପରିବେଶ ପ୍ରଦୂଷଣ ହେବନି । ପ୍ରକୃତି, ପରିବେଶ କଥା ଚିନ୍ତା କରି ନିଜ ପୁରୁଣା ବାଇକକୁ ଇ-ବାଇକରେ ବଦଳାଇଦେଲେ ଭୁବନେଶ୍ୱର କାରଗିଲ ବସ୍ତିର ଯୋଗେନ୍ଦ୍ର ମଲ୍ଲିକ । ଇ-ବାଇକ୍ ତେଲ ଖର୍ଚ୍ଚରୁ ଯେତିକି ଆଶ୍ୱସ୍ତି ଦେବ, ପରିବେଶ ପ୍ରଦୂଷଣକୁ ବି ସେତିକି ରୋକିବ । ଆଉ ପୁନଶ୍ଚ ପୃଥିବୀ ଗଢିବାରେ ଯୋଗେନ୍ଦ୍ରଙ୍କ ଏ ଉଦ୍ୟମ ବେଶ ସହାୟ ହେବ ।

ତେବେ ଭୁବନେଶ୍ୱର କାରଗିଲ ବସ୍ତିରେ ରହୁଥିବା ଯୋଗେନ୍ଦ୍ର ଜଣେ ଅଟୋ ଚାଳକ । ଦୀର୍ଘ ସାତ ବର୍ଷ ଧରି ରାଜଧାନୀରେ ସେ ଅଟୋ ଚଳାଇ ଆସୁଥିବା ବେଳେ ଲୋକଙ୍କ ଟିଭି, ରେଡିଓ, ଫ୍ୟାନ, ଗ୍ରାଇଣ୍ଡର ଆଦି ସଜଡା ସଜଡି କରି ଦି ପଇସା ରୋଜଗାର କରନ୍ତି । ଲକଡାଉନରେ ଘରେ ରହିଥିବା ବେଳେ ନିଜ ପୁରୁଣା ବାଇକକୁ ପରିବେଶ ଅନୁକୂଳ କରିବାକୁ ମନସ୍ତ କରିଥିଲେ । ମେକାନିକ ଉପରେ କୌଣସି ପାଠ ପଢି ନଥିବା ବେଳେ ସେ ପେଟ୍ରୋଲ ବାଇକକୁ କରିଦେଇଛନ୍ତି ଇ-ବାଇକ୍ ବା ବ୍ୟାଟେରୀ ବାଇକ । ଯାହା ପରିବେଶ ପାଇଁ ବେସ୍ ଅନୁକୂଳ ।

ଏହି ବ୍ୟାଟେରୀ ଚାଳିତ ବାଇକକୁ ୩ରୁ ୪ ଘଣ୍ଟା ଚାର୍ଜ କଲେ ୪୦ରୁ ୫୦ କିଲୋମିଟର ସ୍ପିଡରେ ବିନା ବାଧାରେ ଗଡିବ । ବାଇକ ତିଆରି ପାଇଁ ତାଙ୍କୁ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । କାର ବ୍ୟାଟେରୀ ଓ ଅନ୍ୟ ଯନ୍ତ୍ରାଂଶ ସାହାଯ୍ୟରେ ସେ ପେଟ୍ରୋଲ ବାଇକକୁ ଇ-ବାଇକରେ ବଦଳାଇବାରେ ସଫଳ ହୋଇଛନ୍ତି । ତେବେ ଯୋଗେନ୍ଦ୍ରଙ୍କର ଏହି ମହତ ଚିନ୍ତାଧାରା ପ୍ରଦୂଷଣମୁକ୍ତ ପୃଥିବୀ ଗଢିବାରେ ସାହାଯ୍ୟ କରିବ । ଆଉ ସମ୍ବାଦ ଡିଜିଟାଲ ପକ୍ଷରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ଅଭିଯାନକୁ ଆଉ ପାଦେ ଆଗେଇ ନେବ ।