ବଙ୍କ ବିହାରୀଙ୍କ ବଡପଣ । ଗାଁ ଲୋକଙ୍କ ପାଇଁ ଗଢିଲେ ମିନିପାର୍କ । ସହର ଭଳି ମଜାନେବେ ଲୋକ ।

219

କନକ ବ୍ୟୁରୋ: ମଫସଲି ଅଞ୍ଚଳରେ ମନମୋହୁଛି ପାର୍କ । ଗାଁ ଗହଳିର ପିଲାଠୁ ବୁଢାଯାଏଁ ସମସ୍ତଙ୍କ ମନୋରଞ୍ଜନର ମାଧ୍ୟମ ସାଜିଛି ଗାଁ ମଝିର ପାର୍କ । ଆଉ ପାର୍କରେ ବୁଲିବାକୁ ସହରକୁ ଯିବାକୁ ପଡିବନି କି ସହରିଆ ସଭ୍ୟତାରେ ରହି ପାର୍କର ମଜା ନେବାକୁ ସହରମୁହାଁ ହେବାକୁ ପଡିବନି । କାରଣ ଗାଉଁଲୀ ପରିବେଶରେ ରହି ବି ଗାଁଲୋକଙ୍କୁ ପାର୍କର ମଜା ଦେବାକୁ ଜଣେ ବ୍ୟକ୍ତି କରିଛନ୍ତି ଅଭିନବ ପ୍ରୟାସ । ଆଉ ନିଜ ଘର ଚାରିପାଖରେ ଲୋକଙ୍କ ପାଇଁ ନିଜ ଖର୍ଚ୍ଚରେ ଗଢିଦେଇଛନ୍ତି ମିନିପାର୍କ ।

ବାଲେଶ୍ୱର ସିମୁଳିଆ ପାର୍ବତୀପୁର ଗାଁର ବଙ୍କ ବିହାରୀ ରାଉତ । ପେଶାରେ ଚାଷୀ କିନ୍ତୁ ନିଶା ତାଙ୍କର ଗଛ ଲଗାଇବା, ପରିବେଶର ସୁରକ୍ଷା କରିବା । ଖାସ୍ ସେଇଥିପାଇଁ ତ ନିଜ ଘର ପାଖରେ ଏକ ପାର୍କ କରି ସେଥିରେ ଭଳିକି ଭଳି ଗଛ ଲଗାଇଛନ୍ତି । ଘର ପାଖରେ ଥିବା ୨ ଏକର ଜମିରେ ପାର୍କ ଗଢି ସେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ମନୋରଞ୍ଜନ ଏବଂ ସମୟ ଅତିବାହିତ କରିବାର ବଡ ମାଧ୍ୟମଟେ ଯୋଗାଇଛନ୍ତି । ଯେଉଁଠି ଦୂରଦୂରାନ୍ତଙ୍କୁ ନଯାଇ ବୃଦ୍ଧବୃଦ୍ଧା, କୁନିକୁନି ପିଲାମାନେ ପାଖରେ ସବୁ ସୁବିଧା ପାଉଛନ୍ତି ।

ବଙ୍କବିହାରୀଙ୍କ ଦୁଇ ପୁଅ, ଦୁଇ ବୋହୂ ଏବଂ ପତ୍ନୀ । ଦୁଇ ପୁଅ ବିଦେଶରେ ରହୁଥିବା ବେଳେ ଗାଁରେ ସମୟ ଅତିବାହିତ କରିବା ପାଇଁ ଗତ ୫ ବର୍ଷ ଧରି ଏହି ପାର୍କ ନିର୍ମାଣ କରି ଆସିଛନ୍ତି ବୃଦ୍ଧ ଦମ୍ପତ୍ତି । ଲୋକଙ୍କ ଉଦ୍ଦେଶ୍ୟରେ ଗଢାଯାଇଥିବା ଏହି ମିନିପାର୍କକୁ ନିଜ ବାପାମାଆଙ୍କ ନାମରେ ରଖିଛନ୍ତି ବଙ୍କବିହାରୀ । ରାଜ୍ୟ ବାହାରୁ ବିଭିନ୍ନ ଫୁଲଫଳ ଗଛ ଆଣି ସେ ଏହି ପାର୍କରେ ଲଗାଇଛନ୍ତି । ପିଜୁଳି, ସପେତା, ଆମ୍ବ, ନଡିଆ ଭଳି ୧୫୦ ପ୍ରକାରର ଗଛ ଲଗାଇଥିବା ବେଳେ ପାର୍କ ମଝିରେ ପୋଖରୀ କରିଛନ୍ତି ବଙ୍କବିହାରୀ । ଫଟୋ ଉଠାଇବା ପାଇଁ ସେଲ୍ଫି କର୍ଣ୍ଣର ଅଛି ତା ସହ ପିଲାଙ୍କ କ୍ରିକେଟ ଓ ବେଡମିଣ୍ଟନ ଖେଳ ପାଇଁ ବି ଜାଗା ରହିଛି । ବିଭିନ୍ନ ସମୟରେ ହେଉ କି ପର୍ବପର୍ବାଣୀରେ ଲୋକେ ଏଠାକୁ ଆସି ଘଣ୍ଟା ଘଣ୍ଟା ବୁଲି ଯାଆନ୍ତି ତାହା ବି ପୁଣି ବିନା ମୂଲ୍ୟରେ…

ଯେତେବେଳେ ଲୋକେ ଅତ୍ୟାଧୁନିକତାର ଛାପରେ ପୃଥିବୀ ଛାତିରୁ ଗଛ କାଟି ନଷ୍ଟ କରିଦେଉଛନ୍ତି । ଗଛ ଲଗାଇବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଠିକ୍ ସେତେବେଳେ ବଙ୍କବିହାରୀ ନିଜ ବାଡିରେ ଏତେ ବଡ ପାର୍କ କରିବାକୁ ମନସ୍ଥ କରିଥିଲେ । ଲକ୍ଷ୍ୟ ଗୋଟିଏ ଥିଲା ତାଙ୍କ ପାର୍କକୁ ଆସି ଲୋକେ ଅନୁପ୍ରାଣିତ ହୋଇ ନିଜ ବାଡିରେ ଗଛ ଲଗାଇବେ ଆଉ ପରିବେଶ ପ୍ରକୃତିର ସୁରକ୍ଷାରେ ନିଜକୁ ସାମିଲ କରିବେ । ତେବେ ଦର୍ଶକ ବନ୍ଧୁ ଖାଲି ବଙ୍କ ବିହାରୀ କାହିଁକି ପରିବେଶର ଦାୟିତ୍ୱ ଆମ ସମସ୍ତଙ୍କର । ଏ କାହାଣୀ ଆମ ସମସ୍ତଙ୍କୁ ପ୍ରକୃତି ପାଇଁ ସମୟ ବାହାର କରିବାକୁ ଶିକ୍ଷା ଦେଉଛି । ଗଛ ଲଗାଇବାକୁ ଆହ୍ୱାନ ଦେଉଛି । ତେଣୁ ଆସନ୍ତୁ ସମ୍ବାଦ ଡିଜିଟାଲର ଅଭିନବ ଅଭିଯାନ ପୁନଶ୍ଚ ପୃଥିବୀରେ ନିଜକୁ ସାମିଲ କରି ଆମେ ବି ବଙ୍କ ବିହାରୀଙ୍କ ପରି ଜଣେ ଜଣେ ପ୍ରକୃତି ମାଆର ସେବକ ସାଜିବ । ଉଦାହରଣ ସୃଷ୍ଟି କରିବା ।