ମାହାଙ୍ଗାର ଗଛ ବାବା: ବୃକ୍ଷରୋପଣ ପାଇଁ ବାହା ହୋଇନାହାନ୍ତି

125

କନକ ବ୍ୟୁରୋ: ଆଖି ଯେତେ ଯାଏଁ ପାଉଛି, ସେଯାଏଁ ଦିଶୁଛି ସବୁଜ ସବୁଜ । ଆଉ ସବୁଜ ବାନାନୀର ବାଦସାହା ହେଉଛନ୍ତି ବୃକ୍ଷ ବାବା । ଦେହରେ ଖଣ୍ଡେ ଗାମୁଛା ପିନ୍ଧିଛନ୍ତି, ମୁହଁରେ ରଖିଛନ୍ତି ଦାଢି ଆଉ ନିଜ ବାଡିରେ ବସି କରି ଚାଲିଛନ୍ତି ସବୁଜ ସନ୍ଥଙ୍କ ସେବା । ପରିବେଶ ତାଙ୍କ ପ୍ରାଣ, ବୃକ୍ଷ ତାଙ୍କ ବନ୍ଧୁ । ପିଲାଟି ବେଳୁ ପ୍ରକୃତି ପ୍ରେମରେ ଏମିତି ପଡିଛନ୍ତି ଯେ ନିଜ ବାଡିକୁ ବଗିଚା କରି ଆଜି ନିଜ ଗାଁ, ଜିଲ୍ଲା, ରାଜ୍ୟ ସହ ବିଦେଶରେ ବି ଲଗାଉଛନ୍ତି ଗଛ । ସେଇଥିପାଇଁ ତ ତାଙ୍କର ଏ ଗଛଲଗା ନିଶାକୁ ଦେଖି ତାଙ୍କୁ ଲୋକେ ଡାକୁଛନ୍ତି ଗଛ ବାବା…

ହଁ ମାହାଙ୍ଗାର ବୃକ୍ଷ ବାବା । ନାମ- ଖୋକନ ବେଉରା । ବୟସ ୫୦ ବର୍ଷ । ଘର- କଟକ ମାହାଙ୍ଗା ବ୍ଲକ ଜାତିପାରିଲୋ ଗାଁରେ । ନିଶା ଆଉ ପେଶା କହିବାକୁ ଗଲେ ଏକ ପ୍ରକାଶ ସମାନ । ଗଛ ଲଗାଇବା, ଗଛ ବଞ୍ଚାଇବା, ଗଛର ଲାଳନ ପାଳନ କରିବା । ପୁଅ ପରି ଗଛର ସେ ଯତ୍ନ ନିଅନ୍ତି । ବୃକ୍ଷରୋପଣରେ ସକାଳ ଆରମ୍ଭ ହୁଏ ଆଉ ସେହି ବୃକ୍ଷ ସହ ହିଁ ସଞ୍ଜ ସରେ । ଏଇ ଦେଖୁ ନାହାନ୍ତି, ତାଙ୍କ ପରିଶ୍ରମ ପାଇଁ ବାଡିରେ କେମିତି ଜାତି ଜାତିକା ଗଛ ସବୁ ସବୁଜ ସଙ୍ଗୀତ ଗାନ କରୁଛନ୍ତି ।

ଗଛ ଲଗାଇବାର ନିଶା ବି ତାଙ୍କୁ ରୋଜଗାର ଦେଇଛି । ଏହି ବାଡି ବଗିଚାରୁ ସେ ଫଳ, ପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗଛ ଲଗାଇବାକୁ ଲୋକଙ୍କୁ ସଚେତନ କରାନ୍ତି । ତେବେ ୪ ଏକର ଜାଗାରେ ପ୍ରାୟ ୭୦୦ରୁ ୮୦୦ ପ୍ରଜାତିର ଗଛ ଲଗାଇଛନ୍ତି ଖୋକନ । ପିଜୁଳି, ଗୁଆ, ଲିଚୁ, ଜାମକୋଳି, ସପେଟା ଆଦି ଲାଗିଛି । ସବୁଠୁ ବଡ କଥା ହେଉଛି ତାଙ୍କ ବାଡିରେ ୧୨୦ ପ୍ରକାର ଆମ୍ବ ଗଛ ରହିଛି । ଆଉ ୮୦ ପ୍ରକାରର ନଡିଆ ଗଛ ରହିଛି ।

ସାରା କି ବିଷ ନୁହେଁ ବରଂ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଫସଲ ଫଳାଇବାରେ ଲାଗି ପଡିଛନ୍ତି ଖୋକନ ବେଉରା । ପ୍ରକୃତି ପରିବେଶକୁ ଅତି ନିକଟରୁ ଦେଖିଥିବା ଏ ନିଆରା ମଣିଷ ଫି ଦିନ ସେମାନଙ୍କ ସହ କଥା ହୁଅନ୍ତି । ପୁଅ ତ ଦିନ ଅବହେଳା କରିପାରେ ହେଲେ ଗଛ କେବେ ଧୋକା ଦିଏନି । ଏହି କଥାକୁ ସେ ବିଶ୍ୱାସ କରି ନିଜ ଅଞ୍ଚଳ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣରେ ବ୍ରତୀ ରହିଛନ୍ତି । ଖାଲି ଗାଁ ଦାଣ୍ଡ ନୁହେଁ ଏ ଗଛ ବାବାଙ୍କ ବାଡିର ଗଛ ବିଦେଶ ବି ଯାଇଛି, ବିଦେଶରେ ଲାଗିଛି ।

ଖୋକନଙ୍କ ହିସାବରେ ସବୁ ସମ୍ପର୍କ ଠାରୁ ଗଛର ସମ୍ପର୍କ ସବୁଠୁ ଉଦ୍ଧ୍ୱର୍ରେ । ମଣିଷ ଧୋକା ଦେଇପାରେ ହେଲେ ଗଛ ନୁହେଁ । ଏଇ ପରିବେଶ, ପ୍ରକୃତିର ସେବା ପାଇଁ ତ ସେ ବିବାହ ବି କରି ନାହାନ୍ତି । ଅବିବାହିତ ରହି ଗଛ ଲଗାଇ ସମୟ ଅତିବାହିତ କରୁଛନ୍ତି ଗଛ ବାବା ଖୋକନ ବେଉରା । ଆସନ୍ତୁ ଗଛ ବାବାଙ୍କ ପରି ଆମେ ବି ପ୍ରକୃତିକୁ ନିଜର କରି, ତା ସୁରକ୍ଷାର କଥା ଚିନ୍ତା କରି ସମାଜକୁ ସବୁଜମୟ କରିବା । ଆଉ ଆମ ଜାତିକୁ, ଆମ ଜୀବନକୁ, ଆମ ମାଟିକୁ, ଆମ ପରିବେଶକୁ ବିପଦ ମୁହଁରୁ ରକ୍ଷା କରିବା । ସମ୍ବାଦ ଡିଜିଟାଲର ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ପୁନଶ୍ଚ ପୃଥିବୀ ଗଢିବା…