୧୧ ମାସ ଧରି ରଚାଯାଇଥିଲା ପୁଲୱାମା ଆକ୍ରମଣର ଷଡଯନ୍ତ୍ର : ଏମିତି ପ୍ରସ୍ତୁତ ହୋଇଥିଲା ଆତ୍ମଘାତୀ ଆତଙ୍କ

492

ପୁଲୱାମାର ଲେଥପୁରାରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ହେଉଥିବା ତଦନ୍ତରୁ ଜଣାପଡିଛି କି, ଏହି ଆକ୍ରମଣରେ ପାଖାପାଖି ୮୦ କିଲୋ ଆରଡିଏକ୍ସ ବ୍ୟବହାର କରାଯାଇଥିଲା । ଏଥିରେ ଆମୋନିୟା ନାଇଟ୍ରେଟ୍ ଓ ଅନ୍ୟ କେମିକାଲ ଗୁଡିକର ବ୍ୟବହାର କରାଯାଇଥିଲା । ଏହି ଆରଡିଏକ୍ସ ପାକିସ୍ତାନର ପୁଂଛ ରାସ୍ତା ଦେଇ ଅନୁପ୍ରବେଶ କରିଥିବା ୧୩ ଆତଙ୍କବାଦୀଙ୍କ ସମୂହ ୨୦୧୮ ମାର୍ଚ୍ଚ ମାସରେ ସୀମାର ଏପଟେ ଆଣିଥିଲେ । ପୁଣି ଧିରେ ଧିରେ ଏହାକୁ ଦକ୍ଷିଣ କାଶ୍ମୀରର ସୋପିୟାଁ ପହଂଚାଗଲା । ସୋପିୟାଁରୁ ଏହାକୁ ଗ୍ୟାସ ସିଲିଣ୍ଡର ଓ କୋଇଲାର ଥଳୀରେ ପୁଲୱାମାର ତ୍ରାଲର ମିଡୋରା ଗାଁରେ ପହଂଚାଯାଇଥିଲା ।

ସୂଚନା ମୁତାବକ, ଏହି ଜୈଶର ୧୩ ଆତଙ୍କବାଦୀଙ୍କ ମଧ୍ୟରେ କାମରାନ୍ ଓ ରସିଦ୍ ଗାଜି ମଧ୍ୟ ସାମିଲ ଥିଲେ, ଯେଉଁମାନେ ଆଇଇଡି ଏକ୍ସପର୍ଟ ଥିଲେ । କାମରାନ୍ ପ୍ରଥମେ ଉତ୍ତର-କାଶ୍ମୀର ଗଲା ଓ ରସିଦ୍ ଦକ୍ଷିଣ-କାଶ୍ମୀରରେ ରହିଥିଲା । ଉଭୟ ସ୍ଥାନରେ ଏମିତି ଆତଙ୍କବାଦୀର ସନ୍ଧାନ ଆରମ୍ଭ ହେଲା, ଯିଏ ଆତ୍ମଘାତୀ ବନିବା ପାଇଁ ପ୍ରସ୍ତୁତ ହେବ । ପୁଣି ରସିଦ ଗାଜିର ସଂପର୍କରେ ଆସିଲା ଆଦିଲ ଡାର । ପାକିସ୍ତାନୀ ଆତଙ୍କବାଦୀ ରସିଦ ଗାଜି ଓ କାମରାନ୍ ଆଦିଲ ଡାରକୁ ପ୍ରସ୍ତୁତ କଲେ । ଅନେକ ମାସ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ଛାତ୍ରକୁ ବ୍ରେନ୍ ୱାଶ କରାଗଲା । ଯେତେବେଳେ ଆଦିଲ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲା, ତେବେ ଆକ୍ରମଣର ଯୋଜନା କାମ ଆରମ୍ଭ ହେଲା ।

ତ୍ରାଲ ମିଡୋରାରେ ରଚାଯାଇଥିବା ଷଡଯନ୍ତ୍ର ଯେତେବେଳେ ଫାଇନାଲ ହେଲା, ସେତେବେଳେ ଠିକ୍ ସୁଯୋଗ ଖୋଜିବାର ପ୍ରକ୍ରିୟା ଆରମ୍ଭ ହେଲା । ବଡ ଧରଣର ଆକ୍ରମଣ ପାଇଁ ନିଶ୍ଚିତ କରାହେଲା । ଏମିତି ସ୍ଥାନର ଚୟନ କରାଗଲା, ଯେମିତି ସୁରକ୍ଷାବଳଙ୍କୁ ବଡ ଧରଣର କ୍ଷତି ହେବ । ସେଥିପାଇଁ କ୍ୟାମ୍ପ ବଦଳରେ ଖୋଲା ଜାଗାରେ ଆକ୍ରମଣ କରିବାର ଯୋଜନା କରାଗଲା । ପୁଣି ଯେତେବେଳେ କାଶ୍ମୀରରେ ଭୀଷଣ ବରଫପାତ କାରଣରୁ ରାଜମାର୍ଗ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ଖୋଲାଗଲା । ଏବଂ ସିଆରପିଏଫଙ୍କ ଟିମ୍ ଦୁଇଗୁଣା ସଂଖ୍ୟାରେ କାଶ୍ମୀର ଆଡକୁ ଯିବାକୁ ଲାଗିଲା । ସେମାନେ ଆକ୍ରମଣ ପାଇଁ ୧୪ ଫେବୃୟାରୀ ଦିନକୁ ବାଛିଲେ ।

୧୪ ଫେବୃୟାରୀ ସକାଳେ କାମରାନ୍ ଓ ରସିଦ୍ ପ୍ରସ୍ତୁତ କରିଥିବା ବିସ୍ଫୋଟକ ଗାଡିକୁ ଫିଟ୍ କଲେ ଓ ଦିନ ଦ୍ୱିପହର ପରେ ଆଦିଲ ଏହି ଗାଡିକୁ ନେଇ ଲେଥପୁରାର ଲିଙ୍କ ରୋଡ ଦେଇ ରାଜପଥରେ ପହଂଚିଲା । ପାଖାପାଖି ୩.୨୦ ମିନିଟରେ ସିଆରପିଏଫଙ୍କ ଟିମ୍ ଏହି ସ୍ଥାନରେ ପହଂଚିଲେ ଓ ଆଦିଲ ସିଆରଫିଏଫ୍ ର ବସକୁ ଦେଖି ବିସ୍ଫୋରକ ଗାଡିକୁ ଠେଲିଦେଲା । ଏହି ପ୍ରକାରରେ ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ସହିଦ ହେଲେ ଓ ୫ ଆହତ ଏବେ ବି ହସପିଟାଲରେ ଭର୍ତ୍ତି ଅଛନ୍ତି ।