ସହିଦ ହେବା ପରେ… ଶିଖର ଗାଁରୁ ଶୁଖୁନି ଲୁହ, ପରିବାର ଛାତିରୁ କମୁନି କୋହ । ବର୍ଷେ ତଳେ ପୁଲୱାମା ଆକ୍ରମଣ ପରିବାରର ସବୁକିଛି ଉଜାଡି ଦେବା ପରେ ଏବେ କଷ୍ଟରେ ଚଳୁଛନ୍ତି ସହିଦ ଯବାନ ପ୍ରସନ୍ନ ସାହୁଙ୍କ ପରିବାର…

771

କନକ ବ୍ୟୁରୋ: କାନ୍ଦନା ମା କାନ୍ଦନା… ତୁ କାନ୍ଦିଲେ ଆମକୁ କିଏ ବୁଝାଇବ ? ଜୀବନ ଯୁଦ୍ଧରେ ଜିତିବାକୁ କିଏ ସାହସ ଦେବ ? ତୁ ପରା ଆମ ମାଆ, ତୁ ପରା ଆମ ବାପା… ବର୍ଷେ ହେଲା ବାପା ଗଲା ପରେ ନିଜ ଲୁହ ନିଜେ ପିଇ ତୁ ପରା ଆମକୁ ବାପାମାଆର ସ୍ନେହ ଦେଇଛୁ… ଏବେ କାନ୍ଦୁଛୁ କଣ ପାଇଁ…? ମାଆର ଲୁହ ଛଳଛଳ ଆଖି ପୋଛୁପୋଛୁ ଏମିତି କିଛି କଥା ଭାବୁଥାଇପାରେ ଝିଅ । ସ୍ୱାମୀ ଗଲା ପରେ ପିଲାଙ୍କୁ ସିନା ବୁଝାଇ ଦେଉଛନ୍ତି, ହେଲେ ଯେତେବେଳେ ସ୍ୱାମୀ ବିନା ନିଜ ଭିତରେ ନିଜେ ହାରି ଯାଉଛନ୍ତି ସେତେବେଳେ ଭୋ ଭୋ ହୋଇ କାନ୍ଦୁଛନ୍ତି ସହିଦ ଯବାନ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନାଲତା…

ପ୍ରସନ୍ନଙ୍କ ଆବର୍ତ୍ତମାନରେ ପ୍ରାଣହୀନ ହୋଇଛି ପରିବାର । ମେରୁଦଣ୍ଡ ଭାଙ୍ଗିଯିବା ପରେ ଖାଁ ଖାଁ ହୋଇଛି ଘର । ପୁଲୱାମା ଆକ୍ରମଣରେ ଜଗତସିଂହପୁର ନାଉଗାଁ ବ୍ଲକ ପାରିଶିଖରପୁର ଗାଁର ବୀର ଯବାନ ପ୍ରସନ୍ନ ସାହୁ ସହିଦ ହେବାକୁ ବର୍ଷେ ପୂରିଛି । ଆଉ ଏହି ବର୍ଷେ ଭିତରେ ନିଜ ସୁନା ପୁଅକୁ ଭୁଲିପାରିନି ଗାଁ । ଭୁଲିପାରି ନାହାନ୍ତି ପରିବାର ଲୋକେ ।

ବାପା ଛେଉଣ୍ଡ ହୋଇଥିବା ଝିଅ ଏବେବି ବାପାଙ୍କୁ ଖୋଜୁଛି । ବାପାଙ୍କ କଥା ଯେତେବେଳେ ଅଧିକ ମନେପଡି ଯାଉଛି ନିଜକୁ ସମ୍ଭାଳି ନପାରି, ନିଜ ଆଖିର ଲୁହକୁ ଅଟକାଇ ନପାରି କାନ୍ଥରେ ଟଙ୍ଗା ହୋଇଥିବା ବାପାଙ୍କ ଫଟୋକୁ କାଢି ଦେଖୁଛନ୍ତି ସହିଦଙ୍କ ଝିଅ । ପ୍ରସନ୍ନ ଗଲା ପରେ ଏବେ ଘର ଚଳାଇବା ମାଆଙ୍କ ପାଇଁ କଷ୍ଟ ହେଉଥିବାରୁ ବାପାଙ୍କୁ ଝୁରୁଛନ୍ତି ସମସ୍ତେ ।

ପ୍ରସନ୍ନ ସହିଦ ହେବାକୁ ବର୍ଷେ ପୂରିଲାଣି ହେଲେ ସରକାର ଦେଇଥିବା ପ୍ରତିଶ୍ରୁତି କିଛି ବି ପୂରଣ ହୋଇନି । ପ୍ରସନ୍ନଙ୍କ ନାଁରେ ତାଙ୍କ ଗାଁରେ ଏକ ପାର୍କ ପ୍ରତିଷ୍ଠା କରିବା, ଗାଁ ମୁଣ୍ଡରେ ପ୍ରସନ୍ନଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିବା ଆଉ ସେ ପଢୁଥିବା ସ୍କୁଲକୁ ଆଦର୍ଶ ସ୍କୁଲର ମାନ୍ୟତା ଦେବାକୁ କୁହାଯାଇଥିଲା । ହେଲେ ବର୍ଷେ ପରେ ବି କୌଣସି କାମ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରସନ୍ନଙ୍କ ଝିଅ ଆଉ ଗାଁ ଲୋକେ ।

ତେବେ ସୀମାରେ ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଥିବା ବୀର ଓଡିଆ ଯବାନ ପ୍ରସନ୍ନଙ୍କୁ ସାରା ଜିଲ୍ଲା ଝୁରୁଥିବା ବେଳେ ତାଙ୍କ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଲେ ତାହା ହିଁ ହେବ ବୀର ଯବାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।