ଶତ୍ରୁଙ୍କୁ ମାରିବି, ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବି… ପୁଲୱାମା ହମଲାରେ ବୀର ସ୍ୱାମୀଙ୍କୁ ହରାଇଥିଲେ ସ୍ତ୍ରୀ, ଦୁଇ ବର୍ଷ ଧରି ଛାତିକୁ ପଥର କରି ନିଜେ ହେଲେ ସେନାରେ ସାମିଲ…

405

କନକ ବ୍ୟୁରୋ: ସେନାରେ ସାମିଲ ସହିଦଙ୍କ ସ୍ତ୍ରୀ । ଶତ୍ରୁଙ୍କୁ ମାରିବେ, ସ୍ୱାମୀଙ୍କ ବଦଲା ନେବେ । ଆଉ ତ୍ରାହି ପାଇବେନି ଶତ୍ରୁ, ବର୍ତ୍ତିବେନି ସୈତାନ । ସ୍ୱାମୀର ବଦଲା ନେବେ ସ୍ତ୍ରୀ । ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କ ଛାତିରେ ଆତଙ୍କ ଭରି ସାବାଡ କରିବେ ସିଂହବାହିନୀ । କାରଣ ସେନାରେ ସାମିଲ ହୋଇଛନ୍ତି ବୀର ସହିଦଙ୍କ ପତ୍ନୀ । ପୁଲୱାମା ଆକ୍ରମଣରେ ସ୍ୱାମୀ ସହିଦ ହୋଇଥିବା ବେଳେ ସ୍ୱାମୀଙ୍କ ପଥରେ ଚାଲି ନିଜେ ସେନାକୁ ଆସିଛନ୍ତି ସ୍ତ୍ରୀ । ଆଉ ସହିଦ ମେଜରଙ୍କ ପତ୍ନୀ ବନିଛନ୍ତି ଲେଫ୍ଟନା ନିତିକା କୌଲ ।

୧୯ ଫେବୃୟାରୀ ୨୦୧୯ । ପୁଲୱାମା ଆକ୍ରମଣର ଠିକ ୫ ଦିନ ପରେ । ଶତ୍ରୁଙ୍କ ଗୁଳିରେ ସୀମାରେ ସ୍ୱାମୀ ସହିଦ ହେବା ପରେ ଉତ୍ତରାଖଣ୍ଡ ଡେରାଡୁନରେ ପହଞ୍ଚିଥିଲା ସହିଦ ମେଜର ବିଜୟ ଶଙ୍କର ଧୌଣ୍ଡିଆଲଙ୍କ ମରଶରୀର । ଆଉ ଜନ୍ମମାଟିରେ ପହଞ୍ଚିବା ପରେ ସ୍ତ୍ରୀ ସହିଦଙ୍କ ପାର୍ଥୀବ ଶରୀର ପାଖରେ ବସି ସ୍ତ୍ରୀ ଲୁହ ନିଗାଡି ଥିଲେ ତା ସହ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ସହିଦଙ୍କ ସ୍ୱାମୀଙ୍କୁ ସାଲ୍ୟୁଟ୍ ମାରିଥିଲେ । ଦେଶମାତୃକା ପାଇଁ ଜୀବନ ଦେଇଥିବା ଜୀବନସାଥୀ ପାଇଁ ସେ ଗର୍ବର ସହ ସଲାମ କରିଥିଲେ । ଯାହା ସେତେବେଳେ ଖୁବ୍ ଚର୍ଚ୍ଚାରେ ରହିଥିଲା ।

ଆଉ ସ୍ୱାମୀ ସହିଦ ହେବାର ଠିକ୍ ଦୁଇ ବର୍ଷ ପରେ ଏ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଦେଶ ମାଟି ପାଇଁ ଗର୍ବ ଆଣିଦେଇଛି । ସ୍ୱାମୀ- ସ୍ତ୍ରୀ ସମ୍ପର୍କର ସମର୍ପଣଭାବ, ନିଷ୍ଠାପରତାକୁ ସାମ୍ନାକୁ ଆଣିଛି । କେମିତି ଜଣେ ସ୍ତ୍ରୀ ନିଜ ସ୍ୱାମୀର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ନହୋଇ ସ୍ୱାମୀଙ୍କ ହତ୍ୟାକାରୀର ବଦଲା ନେବ ଆଉ ପ୍ରତିଶୋଧ ନେବାକୁ ତାଙ୍କୁ ସେହି ସ୍ଥାନରେ ପହଞ୍ଚିବାକୁ ପଡିବ… ସିନେମାର କାହାଣୀ ପରି ଲାଗୁଥିବା ଏ ଘଟଣା କିନ୍ତୁ ସତ ଜୀବନରେ ଏବେ ସମସ୍ତଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି ।

ଫେବୃୟାରୀ ୧୪, ୨୦୧୯ରେ ଆତଙ୍କବାଦୀ ଆକ୍ରମଣରେ ପୁଲୱାମାରେ ସହିଦ ହୋଇଥିଲେ ବୀର ଯବାନ ବିଭୂତି ଶଙ୍କର ଧୌଣ୍ଡିଆଲ । ଆତଙ୍କୀଙ୍କ ସହ ଲଢି ଲଢି ଶେଷରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ୨୦୧୮ରେ ନିତିକାଙ୍କୁ ବିବାହ କରିଥିଲେ ବି ବିବାହର ବର୍ଷଟିଏ ଭିତରେ ସ୍ୱାମୀଙ୍କୁ ହରାଇଥିଲେ ସ୍ତ୍ରୀ । ଆଉ ତାପରେ ନିଜ ସ୍ୱାମୀଙ୍କୁ ନେଇ ଗର୍ବ କରୁଥିବା ନିତିକା ନିଜେ ସେନାରେ ସାମିଲ ହେବାକୁ ଆରମ୍ଭ କରିଥିଲେ ପ୍ରସ୍ତୁତି । ଏକ କମ୍ପାନୀରେ ଚାକିରି କରୁଥିଲେ ବି ଚାକିରି ଛାଡି ସେ ସେନାରେ ସାମିଲ ହେବାକୁ ପରୀକ୍ଷା ଦେଇଥିଲେ । ସ୍ୱାମୀଙ୍କ ମୃତ୍ୟୁର ବର୍ଷେ ପରେ ସେ ଏସଏସସି ପରୀକ୍ଷା ପାସ୍ କରିଥିଲେ ଆଉ ଠିକ୍ ଦୁଇ ବର୍ଷ ପରେ ହିଁ ଲେଫ୍ଟନାଣ୍ଟ ଭାବେ ସେନାରେ ସାମିଲ ହୋଇଛନ୍ତି ।

ଅଫିସର ଟ୍ରେନିଂ ଏକାଡେମୀକ ଏକ ପାସ୍ ପ୍ୟାରେଡରେ ନିତିକା ସେନା ୟୁନିଫର୍ମ ପିନ୍ଧି ଭାରି ଖୁସି ଥିଲେ । ସମସ୍ତେ ଯେତେବେଳେ ଦେଶର ସେବା କରିବାକୁ ଶପଥ ନେଇଥିଲେ ସେ ବି ଦେଶର ସେବା ସହ ସ୍ୱାମୀଙ୍କ ବଦଲା ନେବାକୁ ବି ନିଜ ଭିତରେ ଶକ୍ତି ଜୁଟାଉଥିଲେ । ତେବେ ଲେଫ୍ଟନାଣ୍ଟ ପଦ ପାଇଁ ଷ୍ଟାର ପିନ୍ଧିବା ପରେ ସେ ପ୍ରଥମେ ନିଜ ସ୍ୱାମୀଙ୍କୁ ମନେପକାଇଥିଲେ ଆଉ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ନିତିକା କୁହନ୍ତି ମୁଁ ଯେତେବେଳେ ସେନା ପରୀକ୍ଷା ଦେଉଥିଲି ସେତେବେଳେ ମୋ ସ୍ୱାମୀ ମୋ ସହ ଥିଲେ, ମୋ ଭିତରୁ ପାରିବୁ, ପାରିବୁ ବୋଲି କହୁଥିଲେ । ତାଙ୍କ ଅଦୃଶ୍ୟ ପ୍ରେରଣା ହିଁ ଆଜି ମତେ ଏ ସଫଳତା ଦେଇଛି । ଆଉ ଆଜି ବି ସେ ମୋ

ସାମ୍ନାରେ ଥାଇ ଖୁସି ହେଉଛନ୍ତି ବୋଲି ଭାବ ଭାବ ହୋଇ ନିଜ ମନର ଅବ୍ୟକ୍ତ ବେଦନା କହିଛନ୍ତି ସହିଦଙ୍କ ସ୍ତ୍ରୀ । ସତରେ ଦିନେ ଛାତିକୁ ପଥର କରି ସ୍ୱାମୀଙ୍କୁ ବିଦାୟ ଦେଇଥିବା ବିରାଙ୍ଗନା ସ୍ତ୍ରୀ ଯେ ଦୁଇ ବର୍ଷ ପରେ ସ୍ୱାମୀଙ୍କ ପଥର ଯାଇ ସେନାରେ ସାମିଲ ହୋଇ ଲେଫ୍ଟନାଣ୍ଟ ଭାବେ ଯୋଗ ଦେବେ… ସହିଦ ସ୍ୱାମୀଙ୍କ ପାଇଁ ଏହାଠୁ ବଳି ଆଉ ବଡ ଶ୍ରଦ୍ଧାଞ୍ଜଳୀ କଣ ହୋଇପାରେ…