୪୦ ବୀରଙ୍କ ବଳିଦାନକୁ ପୁରିଲା ବର୍ଷେ : ଚାରିଆଡେ ରକ୍ତ ଏବଂ ଖଣ୍ଡ ଖଣ୍ଡ ମାଂସ ଟୁକୁଡା ଦେଖି ଯେତେବେଳେ ସହିଦ୍ ଙ୍କ ବଳିଦାନରେ କାନ୍ଦିଥିଲା ପୁଲୱାମା ସଡ଼କ

415

ଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସକୁ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ସାମାନ୍ୟ ଦିନ ଭଳି ଯବାନ ମାନେ ‘ମେରେ ଦେଶ୍ କି ଧରତୀ’ ଗୀତ ଗାଇ ଗାଇ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ । ଉକ୍ତ ଦିନ ସଡ଼କ ମଧ୍ୟ ଶାନ୍ତ ଥିଲା । ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିଛି କି ନାହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋଟକ ହେଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା । ବୋଧହୁଏ ସେହିଦିନ ଠାରୁ ଫେବୃୟାରୀ ୧୪ କୁ ପ୍ରେମ ଦିବସ ନୁହଁ କଳା ଦିବସ ରୁପେ ଭାରତ ପାଳନ କଲା ।

କାଳ ରୁପକ କାର୍ ଟି ଯବାନଙ୍କ ଗୋଟିଏ ଗାଡିକୁ ଏଭଳି ଭାବେ ଧକ୍କା ଦେଲା ଯେ ବସ୍ ର ପାର୍ଟସ୍ ବି ଖଣ୍ଡବିଖଣ୍ଡିତ ହୋଇଗଲା । ଆଖି ପିଛୁଳାକେ ଆଖି ବୁଜିଦେଲେ ଭାରତମାତାର ୪୦ ବୀର ସନ୍ତାନ । ବିସ୍ଫୋଟକ ଏଭଳି ଭୟଙ୍କର ଥିଲା ଯେ ଯବାନଙ୍କ ଶରୀର ଖୋଜିବା ବି ଅସମ୍ଭବ ହୋଇପଡିଲା । ସାଥି ଯବାନମାନେ କ’ଣ ହେଲା ବୋଲି ଦେଖିବା କ୍ଷଣି ହିଁ ଆତଙ୍କବାଦୀମାନଙ୍କ ଗୁଳିବର୍ଷଣ ଆରମ୍ଭ ହୋଇଗଲା । ଯବାନଙ୍କ କାଉଣ୍ଟର ଆଟାକ୍ ରେ ଆତଙ୍କୀମାନେ ସେଠାରୁ ଚାଲିଯାଇଥିଲେ । ଧମାକା ଏତେ ଅଧିକ ଥିଲା ଯେ ଉକ୍ତ ସ୍ଥାନ କିଛି ସମୟ ପାଇଁ ଧୂଆଁମୟ ହୋଇଗଲା । ଧୂଆଁ ହଟିଲା ପରେ ସେଠାକାର ଦୃଶ୍ୟ ଏତେ ଭୟାବହ ଥିଲା ଯେ ସମ୍ପୁର୍ଣ୍ଣ ଦେଶବାସୀଙ୍କ ଆଖିରେ ପୁଲୱାମା ଆକ୍ରମଣର ପ୍ରଭାବ ଦେଖିବାକୁ ମିଳିଲା । ରାଷ୍ଟ୍ରୀୟ ରାଜମାର୍ଗରେ ସହିଦ୍ ଯବାନଙ୍କ ଶରୀରର ଅଙ୍ଗ ଏପଟେ ସେପଟେ ହୋଇ ପଡିଥିଲା । ଚାରିଆଡେ ରକ୍ତ , ମାଂସର ଟୁକୁଡା ଦେଖିବାକୁ ମିଳିଥିଲା । ଯବାନ ନିଜ ସାଥିଙ୍କୁ ପାଗଳଙ୍କ ଭଳି ଖୋଜିବାକୁ ଲାଗିଲେ । ତୁରନ୍ତ ସାରା ଦେଶରେ ହାହାକାର ପଡିଲା । ୪୦ ବୀରଙ୍କ ସହିଦ୍ ହେବାର ଖବର ଟେଲିଭିଜନ୍ ପରଦାରେ ବାଜି ଉଠିଲା । ଅନେକ ଯବାନ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ । ସେନା ପକ୍ଷରୁ ଗୁରୁତର ଯବାନଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଗଲା ।

ଆତ୍ମଘାତୀ ଆତଙ୍କୀ ଆଦିଲ୍ ଅହମ୍ମଦ ଡାର ଏହି ଆକ୍ରମଣ କରିଥିବାର ସୂଚନା ମିଳିଥିଲା । ସେ ବିସ୍ଫୋଟକ ଭରା କାର୍ ଚଲାଇ ଆସି ଏଭଳି କାଣ୍ଡ ଭିଆଇଥିଲା । ଘଟଣା ପରେ ଶୋକର ସାଗରରେ ନା କେବଳ ସହିଦ୍ ଙ୍କ ପରିବାର , ସମ୍ପୁର୍ଣ୍ଣ ଦେଶ କାନ୍ଦି ଉଠିଥିଲା । ପାକିସ୍ତାନ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ ଏହି ଆକ୍ରମଣ କରିଥିବା କଥା ସ୍ୱୀକାର କରିଥିଲା । ଏହି ଘଟଣା ଦେଶର ହୃଦୟକୁ ଏଭଳି ଭାବେ ଦୋହଲାଇଥିଲା ଯେ ସମସ୍ତଙ୍କ ଆଖିରେ ପ୍ରତିଶୋଧର ବହ୍ନି ଦେଖିବାକୁ ମିଳିଥିଲା । ଟିଭି, ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ସରକାର ମଧ୍ୟ ଏହାର ପାଲଟା ଜବାବ୍ ଦେବାକୁ ଅଣ୍ଟା ଭିଡିଥିଲେ । ଭାରତୀୟ ସେନା ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରିଥିଲା । ଫେବୃୟାରୀ ୨୬ ଭାରତୀୟ ବାୟୁସେନା ପାକ୍ ସ୍ଥିତ ବାଲାକୋଟ୍ ର ଆତଙ୍କୀ ସଂଗଠନ ଜୈସ୍ – ଏ – ମହମ୍ମଦ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା । ଏହି ଆକ୍ରମଣରେ ବାୟୁସେନାର ବୋମାବର୍ଷାରେ ଆତଙ୍କୀ କ୍ୟାମ୍ପ୍ ଧ୍ୱସ୍ତବିଧ୍ୱସ୍ତ ହେବା ସହ ୩୦୦ ଆତଙ୍କୀ ପୋକମାଛି ପରି ମରିଥିଲେ । ବୀରଙ୍କ ବଳିଦାନର ବାର ଦିନ ପରେ ହିଁ ଆକ୍ସନ୍ ରେ ଆସିଥିଲେ ସରକାର ।