ବଡଦାଣ୍ଡରେ ଗଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ : ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର

200

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର । ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଅନୁସାରେ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଳମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିକ କରୁଛନ୍ତି । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠିଥିଲା ।

ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି। ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି । ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ ।

ଏହି ରଥ ଟଣା ସମୟରେ ବିଭିନ୍ନ ମଠ, ଜାଗା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ । ଏଥି ମଧ୍ୟରେ ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଅବସ୍ଥିତ ମାଉସୀ ମା’ ମନ୍ଦିରଠାରେ ଠାକୁରମାନଙ୍କୁ ପୋଡ଼ ପିଠା ଭୋଗ ଲାଗିଥାଏ ।