କନକ ବ୍ୟୁରୋ: ଟେଷ୍ଟ ଟିମରୁ ବାଦ୍ ପଡିଲେ ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶିଆଲିଷ୍ଟ୍ ଚିତେଶ୍ୱର ପୂଜାରା । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ପୂଜାରା ବାଦ୍ ପଡିଛନ୍ତି । ଅନ୍ୟପଟେ ଦଳରେ ଯୁବ ଖେଳାଳି ଋତୁରାଜ ଗାଏକ୍ୱାଡ, ଯଶ୍ୱସୀ ଜୟସୱାଲ ଆଉ ମୁକେଶ କୁମାରଙ୍କୁ ସୁଯୋଗ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଦଳ ଘୋଷଣା ପୂର୍ବରୁ ଚିତେଶ୍ୱର ପୂଜାରାଙ୍କୁ ନେଇ ସିଲେକ୍ଟରଙ୍କ ଭିତରେ ଯଥେଷ୍ଟ ଆଲୋଚନା ହୋଇଥିଲା । ଆଉ ଶେଷରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ତେବେ ୩୫ ବର୍ଷୀୟ ଏହି କ୍ରିକେଟର ଜଣକ ନିଜର ଶେଷ ୫୨ଟି ଇଂନିସରେ ମାତ୍ର ଗୋଟିଏ ଶତକ ମାରିବା ତାଙ୍କୁ ଭାରି ପଡିଛି । ଶେଷଥର ପାଇଁ ୨୦୨୨ ମସିହା ଡିସେମ୍ବର ମାସରେ ସେ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିଲେ । ଏହାପରେ ତାଙ୍କ ବ୍ୟାଟରୁ ଆଉ କୌଣସି ବି ଶତକ ଦେଖିବାକୁ ମିଳିନଥିଲା ।

ତେବେ ଲଗାତାର ଦ୍ୱିତୀୟ ଥର ପାଇଁ ପୂଜାରା ଦଳରୁ ବାଦ୍ ପଡିଛନ୍ତି । ଶେଷ ଥର ପାଇଁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ମଧ୍ୟ ସେ ବାଦ୍ ପଡିଥିଲେ । ହେଲେ ଏହାପରେ କାଉଟିଂ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ପରେ ସେ ଦଳକୁ ଫେରିଥିଲେ । ଆଉ ଏବେ ଦ୍ୱିତୀୟ ଥର ପାଇଁ ପୂଜାରା ଦଳରୁ ବାଦ୍ ପଡିଛନ୍ତି ।

ପୂଜାରାଙ୍କୁ ବାଦ୍ ଦେବା ପରେ, ଋତୁରାଜ ଟେଷ୍ଟ ଦଳରେ ସ୍ଥାନ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରର ଏହି କ୍ରିକେଟର ଜଣକ ତାଙ୍କ ବ୍ୟାକଅପ୍ ଖେଳାଳି ଭାବେ ଦଳରେ ସ୍ଥାନ ପାଇପାରନ୍ତି । ଖାଲି ସେତିକି ନୁହେଁ, ଯୁବ ଖେଳାଳି ଯଶସ୍ୱୀ ଜୟସୱାଲ ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ପାଇପାରନ୍ତି ବୋଲି କ୍ରିକେଟ୍ ପଣ୍ଡିତମାନେ ଆକଳନ କରୁଛନ୍ତି । ସେପଟେ ବିରାଟ କୋହଲି ପୂର୍ବଭଳି ୪ ନମ୍ବର ଏବଂ ରାହାଣେ ୫ ନମ୍ବରରେ ବ୍ୟାଟିଂ କରିପାରନ୍ତି ବୋଲି କୁହାଯାଉଛି ।

ବ୍ୟାଟିଂ ପରେ ଯଦି ବୋଲିଂ କଥା କହିବା, ତେବେ ମହମ୍ମଦ ସାମିଙ୍କୁ ଉଭୟ ଟେଷ୍ଟ ଓ ଦିନିକିଆ ଦଳରୁ ରେଷ୍ଟ ଦିଆଯାଇଛି । ଆଇପିଏଲ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଖେଳିବା ପରେ ତାଙ୍କୁ ଏହି ବିଶ୍ରାମ ଦିଆଯାଇଛି । ଅନ୍ୟପଟେ ବିହାରର ଖେଳାଳି ମୁକେଶ କୁମାରଙ୍କୁ ଦଳରେ ଏଥର ସୁଯୋଗ ମିଳିଛି । ତେଣୁ ଆସନ୍ତା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଭାରତର ଏହି ୟଙ୍ଗ ବ୍ରିଗେଡ୍ କେମିତି କ୍ରିକେଟ୍ ଦେଖାଉଛି, ତାହା ଦେଖିବାକୁ ବାକି ରହିଲା ।