ମା’ଙ୍କ ମୂର୍ତ୍ତି ଉଚ୍ଚତା ବିବାଦ : ହାଇକୋର୍ଟ ଗଲେ ପୂଜା କମିଟି, ଏସଆରସିଙ୍କ ବିଜ୍ଞପ୍ତିକୁ କଲେ ଚ୍ୟାଲେଞ୍ଜ ।

140

କନକ ବ୍ୟୁରୋ : ହାଇକୋର୍ଟକୁ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା । ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ନେଇ ହାଇକୋର୍ଟରେ ଦାୟର ହେଲା ରିଟ୍ ପିଟିସନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ପିଟିସନ ଦାୟର କରାଯାଇଛି । ଏଥିରେ ଏସଆରସି ଓ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ରିଟ୍ ପିଟିସନ ଦାୟର କରାଯାଇଛି । ଯେଉଁଥିରେ ପରମ୍ପରାକୁ ଦୃଷ୍ଟିରେ ରଖି ପୂର୍ବପରି ମୂର୍ତ୍ତିର ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡିଛି ବାଲୁବଜାର ପୂଜା କମିଟି ।

ଏସଆରସିଙ୍କ ପାର୍ବଣ କଟକଣା ବିଜ୍ଞପ୍ତି ଅନୁଯାୟୀ,  ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରହିବାକୁ ଥିବା ବେଳେ ମଣ୍ଡପ ୩ ପଟୁ ପରଦାରେ ଆବଦ୍ଧ ରହିବ । ଭକ୍ତ ମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ । କେବଳ ନୀତିକାନ୍ତିରେ ପୂଜା ଶେଷ ହେବ ବୋଲି କଟକଣା ରହିଥିଲା । ଆଉ ଏଭଳି କଟକଣା ବିରୋଧରେ କଟକର ବିଭିନ୍ନ ପୂଜା କମିଟି ପ୍ରତିବାଦ କରିଥିଲେ । ବର୍ଷାରେ ଓଦା ହୋଇ ମୂର୍ତ୍ତି କଟକଣାକୁ ହଟାଇବାକୁ ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ କରିଥିଲେ । ଏପରିକି ପରବର୍ତ୍ତୀ ସମୟରେ ବିଭିନ୍ନ ପୂଜା କମିଟିର ସଦସ୍ୟଙ୍କ ସହ ସରକାର ଏହି ମୂର୍ତ୍ତି ବିବାଦକୁ ନେଇ ଆଲୋଚନା କରିଥିଲେ । ଲାଗୁଥିଲା ଆଲୋଚନା ପରେ ସରକାର ପାର୍ବଣ କଟକଣାକୁ କିଛି ମାତ୍ରାରେ କୋହଳ  କରିବେ  । କିନ୍ତୁ କେରଳର ଓନାମ ପର୍ବ ଓ ମୁମ୍ବାଇର ଗଣେଶ ପୂଜାର ଉଦାହରଣ ଦେଇ ସରକାର ପୂର୍ବ ପାର୍ବଣ କଟକଣାକୁ ବଳବତ୍ତର ରଖିଥିଲେ । ଯାହାକୁ ନେଇ ଏବେ ପ୍ରତିବାଦର ସ୍ୱର ଉଠିଛି ।

ଏପରିକି ମୂର୍ତ୍ତି ଉଚ୍ଚତା ନିଷ୍ପତ୍ତିକୁ  ନେଇ ବିଜେପି ପକ୍ଷରୁ ଗତକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ଏହାପରେ ସରକାରଙ୍କ ନିଷ୍ପତ୍ତି ବଦଳିନଥିବା ବେଳେ ଆଜି ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ପିଟିସନ ଦାୟର କରାଯାଇଥିବା ବେଳେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କୋର୍ଟ କଣ ରାୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।