କନକ ବ୍ୟୁରୋ: ପାର୍ବଣ ଋତୁ ଆସିଛି ସତ କିନ୍ତୁ ନା ଅଛି ପୂଜାର ମାହୋଲ ନା ଅଛି ମୀନା ବଜାର । କୋଭିଡ କଟକଣା ପାଇଁ ଫାଙ୍କା ପଡିଛି ପୂଜା ମଣ୍ଡପ । ପୂଜା ବଜାରରେ ଭଲ ଦି ପଇସା ରୋଜଗାର କରିବାକୁ ଆଶା ରଖିଥିଲେ କ୍ଷୁଦ୍ର ବ୍ୟବସାୟୀ କିନ୍ତୁ ଏଥର ବି ମାନ୍ଦା ପଡିଛି ବେପାର ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୁର୍ଗା ପୂଜା ଆସିଲେ ଦୁଲୁକୁଥିବା କଟକ ସହରରେ ଫିକା ପଡିଛି ପୂଜା ବଜାର । ଚୁଲି ଜଳୁଛି, ଡିସରେ ବିରିୟାନି ବସିଛି । କିନ୍ତୁ ଗ୍ରାହକଙ୍କର ଦେଖାନାହିଁ । ଗ୍ରାହକଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ଅଖତାର । ଦୁର୍ଗା ପୂଜା ଆସିଲେ ଅଖତାର ଭଲ ବେପାର କରନ୍ତି । କିନ୍ତୁ ଏଥର ପୂଜାରେ କୋଭିଡ କଟକଣା ଲାଗିଥିବାରୁ ବେପାର ପୁରା ମାନ୍ଦା । ଲୋକେ ପୂଜା ଦେଖିବାକୁ ବାହାରକୁ ବାହାରିଲେ ତ ବାହାରେ ଖାଇବେ ଆଉ ବେପାର ଜମିବ ।
ବଜାରରେ ବଡ ବଡ ସୋରୁମ ଥିଲେ ମଧ୍ୟ ଏବେବି ସିଲେଇ କରି ଡ୍ରେସ ପିନ୍ଧିବା ଅନେକଙ୍କ ପ୍ରଥମ ପସନ୍ଦ । ପୂଜା ମାହୋଲରେ ସିଲେଇ ମେସିନରେ ବ୍ରେକ ଲାଗେନି । କିନ୍ତୁ କୋଭିଡ କଟକଣା ପାଇଁ ଏବେ ୟେମିତି ଧିମେଇ ୟାଇଛି ପଙ୍କଜଙ୍କ ସିଲେଇ ମେସିନ ।
ପୂଜା ଆରମ୍ଭ ନହେଉଣୁ ଭୁବନେଶ୍ୱରର ପୂଜା ମଣ୍ଡପ ସାମ୍ନାରେ ଛୋଟ ଛୋଟ ବ୍ୟବସୀୟୀ ପସରା ମେଲାଇ ଦିଅନ୍ତି । ମଣ୍ଡପ ବୁଲିବାକୁ ଆସିଥିବା ପିଲାଙ୍କ ପାଇଁ ଆକର୍ଷଣୀୟ ଜିନିଷ ଆଣିଥାନ୍ତି । ସବୁଥର ଭଳି ଏଥର ବି ନିଜର ପସରା ମେଲାଇଛନ୍ତି ଦୀନକୃଷ୍ଣ । ଭଳିକି ଭଳି କଥା କହି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଶ୍ରଦ୍ଧାଳୁ ଆସୁନଥିବାରୁ ତାଙ୍କ ବେପାର ବି ଜମୁନାହିଁ । ।
କେବଳ କଟକ କିମ୍ବା ଭୁବନେଶ୍ୱର ନୁହଁ, ରାଜ୍ୟର ବିଭିନ୍ନ ଅଂଚଳରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ପାର୍ବଣ ସମୟ ଆସିଲେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପଡୋଶୀ ରାଜ୍ୟ ଛତିଶଗଡର ବ୍ୟବସାୟୀ ଭଲ ବେପାର ଆଶାରେ ଉମରକୋଟ ଆସନ୍ତି । ଏଥର ବି ବ୍ୟବସାୟୀ ଦେକାନ ବଜାର ମେଲାଇଛନ୍ତି କିନ୍ତୁ ଗ୍ରାହକଙ୍କର ଦେଖା ନାହିଁ । ସମ୍ବଲପୁରର କୁଟିଣ୍ଡାରେ ବି ସମାନ ଅବସ୍ଥା । ଖେଳଣା ଧରି ଗ୍ରାହକଙ୍କୁ ଅନେଇ ବସିଛନ୍ତି ବ୍ୟବସାୟୀ । ଦିନ ଯାକ ସେମିତି ବସିବସି ସାଙ୍ଗରେ ଆଣିଥିବା ଖେଳଣା ଧରି ସେମିତି ଫେରି ଯାଉଛନ୍ତି ।
କୋଭିଡ କାଳରେ କ୍ଷତି ସହିଥିବା ଛୋଟ ଛୋଟ ବ୍ୟବସାୟୀ ଅଂଟା ସଳଖିବାକୁ ଚେଷ୍ଟା କରୁଥିବାବେଳେ ପୂଜାରେ କରୋନାର କଠୋର କଟକଣା ଏମାନଙ୍କୁ ଚିନ୍ତାରେ ପକାଇଛି ।