ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୪୮ ଘଂଟା ଭିତରେ କରୋନା ସଂକ୍ରମିତ ହେଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ । ଅବସ୍ଥା ସଂକଟାପର୍ଣ୍ଣ । ଚେନ୍ନାଇର ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

340

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସୁନାମୀ ଭଳି ମାଡିଚାଲିଛି । ଯାହା କାରଣରୁ ଏବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ ନେତା ଓ ଖେଳାଳୀ ମାନେ ବି କରୋନା କବଳରେ କବଳିତ ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହେଲେ ଚିନ୍ତାର ବିଷୟକି ଡାକ୍ତରମାନେ ତାଙ୍କୁ ଚିକିତ୍ସା ପାଇଁ ପୁଡୁଚେରୀରୁ ଚେନ୍ନାଇକୁ ପଠାଇ ଦେଇଛନ୍ତି ।

ସୂଚନା ମୁତାବକ ସ୍ୱସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରବିବାର ଦିନ ପୁଡୁଚେରୀ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା ।

କହିରଖୁ କି ଦୁଇଦିନ ପୂର୍ବରୁ ପୁଡୁଚେରୀ ରାଜଭବନରେ ଆୟୋଜିତ ସମାରୋହରେ ସେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏବେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ରଙ୍ଗାସ୍ୱାମୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଠାବ କରି କ୍ୱାରେଣ୍ଟିନ୍ କରୁଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨.୨୬ କୋଟି ପାର କରିଛି । ଏହାସହ କରୋନା ସଂକ୍ରମଣରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨.୪୬ ଲକ୍ଷ କୁ ବୃଦ୍ଧି ପାଇଛି ।