କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଦରୁୁ ହଟାଇବାକୁ ଯେଉଁ ଆବେଦନ କରାଯାଇଥିଲା, ତାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଶୁଣାଣି କରି କୋର୍ଟ କହିଛନ୍ତି ଏହି ସବୁ ଆବେଦନ କେବଳ ଶସ୍ତା ପ୍ରଚାର ପାଇଁ କରାଯାଉଛି । ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇବା ଉଚିତ୍ ।
ତେବେ ଆମ୍ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ସନ୍ଦିପ କୁମାର ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିୱାଲଙ୍କୁ ହଟାଇବାକୁ ଯେଉଁ ଆବେଦନ କରିଥିଲେ ତାକୁ ଖାରଜ କରିଛନ୍ତି ହାଇକୋର୍ଟ । ଆଗାମୀ ଶୁଣାଣୀ ୧୫ ତାରିଖରେ କରାଯିବ ବୋଲି କୋର୍ଟ କହିଛନ୍ତି । ତେବେ ତୃତୀୟଥର ପାଇଁ କେଜ୍ରିୱାଲଙ୍କୁ ପଦରେ ହଟାଇବାକୁ ଆବେଦନ କରାଯାଇଛି । ପୂର୍ବ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଥିଲେ ।
ସେପଟେ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆମ ଆଦମୀ ପାର୍ଟି ଆଜିଠୁ ନୂଆ କ୍ୟାମ୍ପେନ ଆରମ୍ଭ କରିଛି । କ୍ୟାମ୍ପେନର ନାଁ ରହିଛି ‘ଜେଲର ଉତ୍ତର ଭୋଟରେ ଦିଆଯିବ’ । ଏନେଇ ଦଳ ପକ୍ଷରୁ ଏକ ଫଟୋ ପ୍ରକାଶ କରାଯାଇଛି । ଯେଉଁଥିରେ ଜେଲର ଚାରିକାନ୍ଥ ତଳେ କେଜ୍ରିୱାଲ ଓ ନିମ୍ନରେ ଲେଖାହୋଇଛି ‘ଜେଲର ଉତ୍ତର ଭୋଟରେ ଦିଆଯିବ’ ।
ସୂଚନାଯୋଗ୍ୟ ଯେ, ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲରେ ଅଛନ୍ତି । ତାଙ୍କ ଗିରଫଦାରୀକୁ ବିରୋଧ କରି ରବିବାର ଦଳ ସାରା ଦେଶରେ ସାମୁହିକ ଉପବାସ ସହ ଧାରଣା ଦେଇଥିଲା । ଏହାର କିଛି ଦିନ ପୂର୍ବରୁ ଇଣ୍ଡି ମେଣ୍ଟର ସମସ୍ତ ସହଯୋଗୀ ଦଳ ଜନ୍ତରମନ୍ତରରେ ବିଶାଳ ପ୍ରତିବାଦ ସଭା କରିଥିଲେ । ସେପଟେ ପ୍ରତ୍ୟେକ ଦିନ ରାଜରାସ୍ତାକୁ ଓହ୍ଲାଇ ଆମ ଆଦମୀ ପାର୍ଟିର ମନ୍ତ୍ରୀ, ନେତା, କର୍ମୀ, ସମର୍ଥକ ଧାରଣା ଜାରି ରଖିଛନ୍ତି । ଆଗକୁ ନିର୍ବାଚନ, ଆଉ ଜେଲରେ କେଜ୍ରିୱାଲ । ତେଣୁ ଦେଖିବାକୁ ବାକି ରହିଲା ଏଭଳି ଘଡିସନ୍ଧି ସମୟରେ ଦଳର ପରବର୍ତ୍ତୀ ରଣନୀତି କ’ଣ ହେବ ।