ଦେଶରେ ଚାଲିଥିବା ସାର୍ବଜନୀନ ଟିକାକରଣ ନିରାଶାଜନକ : ଲଗାତାର ତୃତୀୟ ଦିନ ପାଇଁ ୧୫ ଲକ୍ଷ ତଳେ ଟିକାକରଣ

ରାଜ୍ୟରେ ଟିକାର ଘୋର ଅଭାବ; ବରିଷ୍ଠ ବି ନେଇପାରୁନାହାନ୍ତି ଦ୍ୱିତୀୟ ଡୋଜ୍

143

କନକ ବ୍ୟୁରୋ : ମହାମାରୀ କୋଭିଡ୍‌-୧୯ର ଭୟାବହତାର ସମୟୋଚିତ ମୁକାବିଲା ପାଇଁ ଦ୍ରୁତ ଗଣଟିକାକରଣ ହିଁ ଶ୍ରେଷ୍ଠ ଉପାୟ ଭାବେ ଉଭା ହୋଇଛି । ମାତ୍ର ଭାରତରେ ଦୀର୍ଘ ୪ ମାସ ହେଲା ଜାରି ରହିଥିବା ବିଶ୍ବର ଏହି ବୃହତ୍ତମ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅତ୍ୟନ୍ତ ନିରୁତ୍ସାହଜନକ ରହିଥିବା ସରକାରଙ୍କ କୋ-ଵିନ୍‌ ପୋର୍ଟାଲ ତଥ୍ୟରୁ ଜଣାଯାଇଛି । ମିଳିଥିବା ସୂଚନାନୁଯାୟୀ, ଲଗାତାର ତୃତୀୟ ଦିନ ପାଇଁ ୧୯ ତାରିଖ ମଧ୍ୟ ଟିକା ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୧୫ ଲକ୍ଷ ତଳେ ରହିଛି ।

ଏପରିକି ଗତକାଲି ରାତି ୯ଟା ସୁଦ୍ଧା ମାତ୍ର ସାଢ଼େ ୧୧ ଲକ୍ଷରୁ ଅଳ୍ପ ଅଧିକ ନାଗରିକଙ୍କର ଟିକାକରଣ କରାଯାଇଥିବା ସ୍ପଷ୍ଟ ହୋଇଛି । ଚଳିତ ସପ୍ତାହର ପ୍ରାରମ୍ଭ ଦିନ ପ୍ରାୟ ୧୫ ଲକ୍ଷ ପାଖାପାଖି ଟିକା ଦିଆଯାଇଥିବା ବେଳେ ମଙ୍ଗଳବାର ତାହା ୧୩ ଲକ୍ଷକୁ ଖସି ଆସିଥିଲା । ତେବେ ବୁଧବାର ଏପରି ଅଳ୍ପ ସଂଖ୍ୟକ ନାଗରିକ ଟିକା ନେବା ପଛରେ ରହିଥିବା କାରଣ ଆହୁରି ଉଦ୍‌ବେଗଜନକ ।

ପୋର୍ଟାଲ୍‌ରେ ତାଲିକାଭୁକ୍ତ ଥିବା ଦେଶର ମୋଟ ୭୫୪ଟି ଜିଲ୍ଲା ମଧ୍ୟରୁ ୯୨ଟି ଜିଲ୍ଲାରେ ଗତକାଲି ଆଦୌ ଟିକା ଦିଆଯାଇନଥିବା ଜଣାଯାଇଛି । ଏପରିକି ଗୁଜରାଟର ୪୧ ଜିଲ୍ଲାରୁ ମାତ୍ର ୫ଟିରେ ଏବଂ ତେଲେଙ୍ଗାନାର ୩୩ଟି ଜିଲ୍ଲାରୁ ମାତ୍ର ୩ଟିରେ ଟିକା ଦିଆଯାଇଛି । ଟିକା ପାଇନଥିବା ଅନ୍ୟ ଜିଲ୍ଲାଗୁଡ଼ିକ ବିକ୍ଷିପ୍ତ ଭାବେ ଦେଶର ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାଯାଇଛି । ଦେଶରେ ମହାମାରୀର ଅଦ୍ୟାବଧି ଦ୍ବିତୀୟ ଲହର ସଂକ୍ରମଣ ଅବସରରେ ସରକାରୀ ଗଣନା ଭାବେ ୩ ଲକ୍ଷ ପାଖାପାଖି ଜୀବନ ଯାଇଛି ଯଦିଓ ବେସରକାରୀ ଭାବେ ମୃତକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଏପରି ସ୍ଥଳେ ଆଗକୁ ତୃତୀୟ ଲହରର ଆଗମନ ଅବଶ୍ୟମ୍ଭାବୀ ହୋଇପଡ଼ିଥିବା ବେଳେ ଟିକାକରଣ ଏପରି ଧିମେଇ ଯିବା ବୁଦ୍ଧିଜୀବୀମାନଙ୍କୁ ବିବ୍ରତ କରିଛି ।

ଅପରପକ୍ଷେ, ଅନେକ ରାଜ୍ୟରେ ଟିକାର ଘୋର ଅଭାବ ରହିଛି ବୋଲି ଅଭିଯୋଗ ଉଠୁଥିବା ବେଳେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଭରସା ଦେଇଛନ୍ତି । ତେବେ ସବୁଠୁ ଉଦ୍‌ବେଗର ବିଷୟ ହେଲା, ସମ୍ପ୍ରତି ସଂକ୍ରମଣର ବେଶୀ ଶିକାର ହେଉଥିବା ବୟସ୍କମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ବେଳେ ଏବେ ସେମାନଙ୍କ ପାଇଁ ଟିକା ଉପଲବ୍ଧ କରାଇବାରେ ସରକାର ବିଫଳ ହୋଇଛନ୍ତି ।